Home General ୱାନ ନେସନ ୱାନ କାର୍ଡରେ ଲକ୍ଷେରୁ ଅଧିକ ପରିବାର

ୱାନ ନେସନ ୱାନ କାର୍ଡରେ ଲକ୍ଷେରୁ ଅଧିକ ପରିବାର

ଭୁବନେଶ୍ୱର : ୨୦୨୧ ରୁ ରାଜ୍ୟରେ ଗୋଟିଏ ଦେଶ ଗୋଟିଏ ରାସନକାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ଏହା ମାଧ୍ୟମରେ ଲକ୍ଷେରୁ ଅଧିକ ପରିବାର ଉପକୃତ ହେଉଥିବାବେଳେ ଏମାନଙ୍କ ମଧ୍ୟରେ ପାଞ୍ଚଶହରୁ ସାମାନ୍ୟ ଅଧିକ ଆନ୍ତଃରାଜ୍ୟ ହିତାଧିକାରୀ ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ଜୁଲାଇ ୨୯ ତାରିଖରେ କେନ୍ଦ୍ର ସରକାରଙ୍କର ଏହି ଗୋଟିଏ ଦେଶ ଗୋଟିଏ ରାସନକାର୍ଡ ଯୋଜନାଟି ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ୧୦,୫୭୮ ସୁଲଭ ମୂଲ୍ୟ ଦୋକାନ ଯୋଡି ହୋଇଥିବାବେଳେ ୧,୧୦,୦୦୦ ପରିବାର ଉପକୃତ ହେଉଛନ୍ତି । ଏହି ଯୋଜନାରେ ଉପକୃତ ହେଉଥିବା ଆନ୍ତଃରାଜ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୩୩ ରହିଛି ।

ଗୋଟିଏ ଦେଶ ଗୋଟିଏ ରାସନକାର୍ଡ ଯୋଜନାରେ ସାମିଲ ହିତାଧିକାରୀମାନେ ଚାହିଁଲେ କୌଣସି ସୁଲଭ ମୂଲ୍ୟ ଦୋକାନରୁ ନିଜର ରାସନ ସାମଗ୍ରୀ ସଂଗ୍ରହ କରିପାରିବେ । ଏପରିକି ରାଜ୍ୟ ବାହାରେ ଥିବା ସୁଲଭ ମୂଲ୍ୟ ଦୋକାନରୁ ବି ସେମାନେ ରାସନ ନେଇ ପାରିବେ । ରାଜ୍ୟ ବାହାରେ କାର୍ଯ୍ୟରତ ଶ୍ରମିକ ଓ ଅନ୍ୟ ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ତେବେ ରାଜ୍ୟ ସରକାର ଖୁବ୍‍ଶୀଘ୍ର ସମସ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ।

ଉଲ୍ଲେଖନୀୟ ଯେ ୨୦୧୩ରୁ କାର୍ଯକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରେ ୩,୩୩,୨୭,୨୫୫ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଏଥିରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ୯୩,୧୩,୪୪୮ ପରିବାରର ୩,୨୫,୧୮,୪୫୫ ଜଣ ହିତାଧିକାରୀ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨,୬୧,୨୨୭ ପରିବାରର ୮,୦୮,୮୦୦ ଜଣ ଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ଯୋଜନାରେ ସାମିଲ ହିତାଧିକାରୀମାନେ ପ୍ରତିମାସରେ କିଲୋପ୍ରତି ଏକ ଟଙ୍କା ଦରରେ ଚାଉଳ ଓ ଗହମ ପାଉଛନ୍ତି । ତେବେ ରାଜ୍ୟରେ ସର୍ବାଧିକ ୨୬,୭୩,୧୫୦ ଜଣ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଏହା ପଛକୁ ଦ୍ୱିତୀୟ ସର୍ବାଧିକ ୨୧,୨୯,୩୯୨ ଜଣ ମୟୁରଭଞ୍ଜ ଜିଲ୍ଲାରେ ରହିଛନ୍ତି । ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୨,୬୬,୨୩୧ ଜଣ ହିତାଧିକାରୀ ରହିଛନ୍ତି । ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତ୍‍ସିଂହପୁର, ଝାରସୁଗୁଡା, କନ୍ଧମାଳ, ମାଲକାନଗିରି, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧୦ଲକ୍ଷ ତଳେ ରହିଛି ।

ଏହାବାଦ୍‍ ଏବେ ବି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ରାଜ୍ୟର ଲକ୍ଷାଧିକ ଲୋକ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କୁ ସାମିଲ ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର କେନ୍ଦ୍ରମାନ ଖୋଲାଯାଇଛି । ତେବେ କେତେକ ସ୍ଥାନରେ ମୃତ୍ୟୁବରଣ କରୁଥିବା ହିତାଧିକାରୀମାନଙ୍କ ନାଁ ସହଜରେ ତାଲିକାରୁ ବାଦ୍‍ ପଡୁନଥିବାରୁ ଭୂତ ହିତାଧିକାରୀଙ୍କ ତାଲିକା ବି ବେଳେ ବେଳେ ଚର୍ଚ୍ଚାର ବିଷୟ ପାଲଟୁଛି । (ତଥ୍ୟ)