Home News in Odia ଚାପରେ ନଆସି ନିରପେକ୍ଷ ନିର୍ବାଚନ କରାନ୍ତୁ

ଚାପରେ ନଆସି ନିରପେକ୍ଷ ନିର୍ବାଚନ କରାନ୍ତୁ

ଭୁବନେଶ୍ୱର : ଭାରତୀୟ ନିର୍ବାଚନ ଆୟୋଗଙ୍କ ନିୟମାନୁଯାୟୀ, ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗ ଏବଂ କୋଭିଡ୍ ସଂକ୍ରମିତ ଭୋଟରମାନଙ୍କ ମତଦାନକୁ ସୁନିଶ୍ଚିତ କରାଇବା ଦାୟୀତ୍ୱ ହେଉଛି ରିଟର୍ଣ୍ଣିଂ ଅଫିସରଙ୍କର । ସେଥିପାଇଁ ନିର୍ଦ୍ଦିଷ୍ଟ ଗାଇଡଲାନ ରହିଛି ।

ନିର୍ବାଚନମଣ୍ଡଳୀର ବାହାର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ନିର୍ବାଚନ ପରିଚାଳନାର ଦାୟୀତ୍ୱର ନିୟମ ଥିବାବେଳେ ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତ ଓ ତତ୍ୱାବଧାନରେ ସ୍ଥାନୀୟ ଏଆରଓ ସେହି ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡୀ କର୍ମଚାରୀମାନେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ରଖୁଛନ୍ତି । ଏହି ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ମତଦାନ ମଧ୍ୟ କରାଉଛନ୍ତି, ଯାହାକୁ ସଂପୂର୍ଣ୍ଣ ବେଆଇନ । ତେଣୁ ନିର୍ବାଚନମଣ୍ଡଳୀର ବାହାରୁ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ (ସିଇଓ) ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହାର ସଠିକ କାର୍ଯ୍ୟାନ୍ୱୟନର ତଦାରଖ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି ।

ରାଜ୍ୟ ପଂଚାୟତରାଜ ବିଭାଗର ମୁଖ୍ୟ ସଚିବ ଥିବା ଅଧିକାରୀ ବର୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ କାର୍ଯ୍ୟରତ । । ଶାସକ ବିଜେଡିର ହାତବାରିସୀ ସାଜି ନିର୍ବାଚନ ଆୟୋଗ ନିଜେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଆଇନକୁ ଉଲ୍ଲଂଘନ କରି ନିର୍ବାଚନ ଆୟୋଗ ଧାମନଗର ଓ ତିହିଡି ବିଡିଓଙ୍କୁ ବଦଳି କରିଥିଲେ । ଅଭିଯୋଗ ପରେ ନିଜ ଦୋଷକୁ ଲୁଚାଇବା ପାଇଁ ଆୟୋଗ ବିଭିନ୍ନ ବାହାନାବାଜୀ କରିଲେ । ବାସ୍ତବରେ ଯଦି ବିଡିଓ ଜଣଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଯାଇଥିଲା, ତାହେଲେ ତାଙ୍କୁ ଆଗରୁ କାହିଁକି ବଦଳି କରାଗଲା ନାହି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ଧାମନଗର ଉପନିର୍ବାଚନରେ ଭୋଟ ଦେବାକୁ ଚାହୁଁଥିବା ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗ ଏବଂ କୋଭିଡ୍ ସଂକ୍ରମିତ ଭୋଟରମାନଙ୍କ ତାଲିକା ସହ ତାଙ୍କ ଭୋଟ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ସୁଚୀ ଓ ରୁଟ୍ ଲିଷ୍ଟ ସ୍ପଷ୍ଟ ହେବା ଉଚିତ୍ । ଏହି ତାଲିକା ପ୍ରତ୍ୟେକ ରାଜନୈତିକ ଦଳକୁ ପ୍ରଦାନ କରିବା ପାଇଁ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

ଆଦର୍ଶ ନିର୍ବାଚନ ଆଚଚରଣଣ ବିଧି ଲାଗୁ ହେଲେ କୈାଣସି ସରକାରୀ ବିକାଶମୁଳକ କାର୍ଯ୍ୟ ହୋଇପାରିବନାହିଁ । କିନ୍ତୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପୂର୍ବ ନିର୍ଦ୍ଦେଶକୁ ଆଳ କରି ମାଟି, ନଳକୁପ, ବିଜୁଳି ଭଳି ଆଦି କାର୍ଯ୍ୟ ଶାସକ ଦଳ କରୁଛି । ଯାହା ସଂପୂର୍ଣ୍ଣ ବେଆଇନ ଓ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ । ଭୋଟରଙ୍କୁ ପ୍ରଭାବିତ କରୁଥିବା ସମସ୍ତ ଉନ୍ନୟନମୁଳକ କାର୍ଯ୍ୟ ବନ୍ଦ ରଖିବା ସହିତ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ତରଫରୁ ଧାରଣା ଓ ପ୍ରତିବାଦ କରାଯିବ ବୋଲି ଡ.ଲେଖାଶ୍ରୀ କହହିଛନ୍ତି । ଏହି ଅବସରରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।