ଭୁବନେଶ୍ୱର : ଟିକସ ଆଶାୟୀ ପୂର୍ବତନ ବିଧାୟକ ଧାମନଗର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାପରେ ଦୀର୍ଘ ୨୨ବର୍ଷ ତଳର ଘଟଣାର ପୁନଃରାବୃଦ୍ଧି ହୋଇଛି । ସେତେବେଳେ ବି ପୂର୍ବତନ ବିଧାୟକ ମାନସ ରଞ୍ଜନ ମଲ୍ଲିକ ଦଳୀୟ ଟିକଟ ନପାଇ ସ୍ୱାଧୀନ ପ୍ରାର୍ଥୀଭାବେ ଧାମନଗର ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ଲଢିଥିଲେ ।
ଧାମନଗର ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ପାଇଁ ଆଜି ସ୍ୱାଧୀନ ପ୍ରାର୍ଥୀଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀ ଦାସ ୨୦୦୯ ରେ ବିଜେଡି ଟିକଟରେ ଧାମନଗର ଆସନରୁ ବିଜୟୀ ହୋଇଥିଲେ । ସେବେଠାରୁ ସେ ବିଜେଡିର ସକ୍ରିୟ ସଦସ୍ୟ ରହିଥିବାବେଳେ ଚଳିତ ଉପନିର୍ବାଚନରେ ଟିକଟ ପାଇଁ ଆଶାୟୀ ଥିଲେ । ହେଲେ ଟିକଟ ନପାଇବାରୁ ସେ ଆଜି ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ଅନୁରୂପ ଘଟଣା ୨୦୦୦ ମସିହାରେ ଘଟିଥିଲା । ସେତେବେଳେ ଅଣସଂରକ୍ଷିତ ଥିବା ଧାମନଗର ଆସନରୁ ଟିକଟ ଆଶାୟୀ ଥିଲେ ପୂର୍ବତନ ବିଧାୟକ ମାନସ ରଞ୍ଜନ ମଲ୍ଲିକ । ହେଲେ ସେତେବେଳେ ବିଜେଡି-ବିଜେପି ମେଣ୍ଟ ରାଜନୀତି ଥିବାରୁ ଧାମନଗର ଆସନଟି ବିଜେପି ଭାଗରେ ପଡିଥିଲା । ଫଳରେ ଶ୍ରୀ ମଲ୍ଲିକ ବିଦ୍ରୋହୀ ପ୍ରାର୍ଥୀ ଭାବେ ଉଭାହୋଇ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ସେତେବେଳେ ଏହି ଆସନରୁ ବିଜେପି ଟିକଟରେ ଲଢିଥିଲେ ମନମୋହନ ସାମଲ । ତେବେ ସ୍ୱାଧୀନ ପ୍ରାର୍ଥୀଭାବେ ଶ୍ରୀ ମଲ୍ଲିକ ୩୫ ପ୍ରତିଶତରୁ କମ୍ ଭୋଟ ପାଇ ବିଜୟୀ ହୋଇଥିଲେ । ସେତେବେଳେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କ ବିଜୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ତେବେ ଧାମନଗର ଆସନରେ ଅନୁଷ୍ଠିତ ଚଳିତ ଉପନିର୍ବାଚନରେ ନାମାଙ୍କନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ଭାବେ ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତିକା ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ରହିଛନ୍ତି । ପୂର୍ବରୁ ସ୍ୱାର୍ଥୀନ ପ୍ରାର୍ଥୀଭାବେ ଏହି ଆସନରୁ ମାନସ ରଞ୍ଜନ ମଲ୍ଲିକ ୩୫ ପ୍ରତିଶତରୁ କମ୍ ଭୋଟ ପାଇ ବିଜୟୀ ହୋଇଥିବାରୁ ଏବେ ରାଜେନ୍ଦ୍ରଙ୍କ ପ୍ରାର୍ଥୀତ୍ୱ ଉପରେ ସମସ୍ତଙ୍କ ନଜର ରହିଛି ।
ଧାମନଗର ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଘଟଣାର ପୁନଃରାବୃତ୍ତି ହୋଇଥିବାବେଳେ ଦୁଇ ଦୁଇ ଜଣ ବିଜୟୀ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଏଠାରେ ମଧ୍ୟ ଉପନିର୍ବାଚନର ପୁନରାବୃତ୍ତି ହୋଇଛି । ପୂର୍ବରୁ ଏହି ଆସନରୁ ବିଜୟୀ ହୋଇଥିବା ବିଧାୟକ ହୃଦାନନ୍ଦ ମଲ୍ଲିକ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ଆକସ୍ମିକ ମୃତ୍ୟୁବରଣ କରିବାରୁ ସେଠାରେ ଉପନିର୍ବାଚନ ହୋଇଥିଲା ଓ ସେହି ନିର୍ବାଚନରେ ତାଙ୍କ ପୁତ୍ର ମାନସ ରଞ୍ଜନ ମଲ୍ଲିକ ବିଜୟୀ ହୋଇଥିଲେ । ଏବେ ବିଧାୟକ ବିଷ୍ଣୁ ଚରଣ ସେଠୀ ବିଧାୟକ ଥାଇ ଅକାଳ ମୃତ୍ୟୁବରଣ କରିଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ଏବଂ ଏଠାରୁ ତାଙ୍କ ପୁତ୍ର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । (ତଥ୍ୟ)