Home Infrastructure କେବେ ସରିବ ରେଳ ପ୍ରକଳ୍ପ

କେବେ ସରିବ ରେଳ ପ୍ରକଳ୍ପ

ଭୁବନେଶ୍ୱର : ଖୋର୍ଦ୍ଧାରୋଡ-ବଲାଙ୍ଗୀର ଏବଂ ତାଳଚେର-ବିମଳାଗଡ ରେଳପଥର ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ଅତ୍ୟନ୍ତ ଧିମା ଗତିରେ ଚାଲୁଥିବାରୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବରେ କିଛି କହିପାରୁ ନାହାନ୍ତି । ବିଶେଷକରି ଜଙ୍ଗଲ ଜମି ଅଧିଗ୍ରହଣ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ହେଉଥିବାରୁ ଏହି ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ସମାପ୍ତ ହୋଇପାରୁ ନାହିଁ ।

୧୯୯୩-୯୪ ମସିହାରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିବା ସହ ପ୍ରାୟ ପ୍ରତିବର୍ଷ ଏଥିଲାଗି କେନ୍ଦ୍ର ବଜେଟରେ ଅର୍ଥ ବ୍ୟବସ୍ଥା ହେଉଛି । ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବା ଦୃଷ୍ଟିରୁ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଣ ସହିତ ପ୍ରକଳ୍ପ ବ୍ୟୟର ୫୦ ପ୍ରତିଶତ ବହନ କରିବାକୁ ନିଷ୍ପତ୍ତି ନେଇ ତଦନୁଯାୟୀ କାର୍ଯ୍ୟ କରୁଛନ୍ତି । ଏହାସତ୍ତ୍ୱେ ବି ଉକ୍ତ ରେଳ ପ୍ରକଳ୍ପର କାମ ସଂପୂର୍ଣ୍ଣ ହୋଇପାରୁ ନାହିଁ ।

ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଦେଇ ରେଳଗାଡି ଚଳାଇବା ପାଇଁ ଏହି ପ୍ରକଳ୍ପ ବହୁ ଆନ୍ଦୋଳନ ପରେ ମଞ୍ଜୁରୀ ପାଇଥିଲା । ଇତିମଧ୍ୟରେ ୨୮ବର୍ଷ ବିତିଯାଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ବେଳେ ନୟାଗଡ ଓ ବଲାଙ୍ଗୀର ଜିଲ୍ଲାରେ ଆଂଶିକ ଭାବେ ନିର୍ମାଣ କାର୍ଯ୍ୟ ହୋଇଛି । ଅନ୍ୟ ଜିଲ୍ଳାଗୁଡିକରେ ନିର୍ମାଣ କାର୍ଯ୍ୟ ବିଶେଷ ଆଗେଇ ପାରୁନାହିିଁ । ପାଖାପାଖି ୩୦୦ କିଲୋମିଟର ଦୈର୍ଘ୍ୟର ଏହି ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗମନାଗମନ ଓ ମାଲ ପରିବହନ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସି ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ଏବେ ଏହି ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ କେତେକ ସ୍ଥାନରେ ଜିଲ୍ଲାପାଳମାନଙ୍କ ଦପ୍ତର ଆଗରେ ଧାରଣା, ଧର୍ମଘଟ ଆରମ୍ଭ ହୋଇଛି ।

ସେହିପରି ତାଳଚେର-ବିମଳାଗଡ ରେଳପଥ ପାଇଁ ୨୦୦୩-୦୪ ବର୍ଷରୁ ମଞ୍ଜୁରୀ ମିଳିଛି ଏବଂ ଇତିମଧ୍ୟରେ ୧୯ ବର୍ଷ ଅତିକ୍ରାନ୍ତ କରିଯାଇଥିବା ବେଳେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନାହିଁ । ଏଥିପାଇଁ ବି ପ୍ରତିବର୍ଷ ବଜେଟରେ ଅର୍ଥ ବ୍ୟବସ୍ଥା ହେଉଛି । କିନ୍ତୁ ଜମି ଅଧିଗ୍ରହଣ ଝାମଲା ଛିଣ୍ଡୁ ନଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଧିମେଇ ଯାଉଛି । ଓଡ଼ିଶାର ରାଜ୍ୟସଭା ସାଂସଦ କେନ୍ଦ୍ରରେ ରେଳମନ୍ତ୍ରୀ ଅଛନ୍ତି ଏବଂ ଓଡ଼ିଶା ସମେତ ପୂର୍ବୋତ୍ତର ରାଜ୍ୟଗୁଡିକୁ ଦେଶ ପ୍ରଗତିର ମୁଖଶାଳା କରିବା ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ନେତାମାନେ ପ୍ରତିଶ୍ରୁତି ଦୋହରାଉଛନ୍ତି । ତେବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏବଂ ରେଳ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପରିବେଶ ମଞ୍ଜୁରୀ ବିଳମ୍ବ ହେଉଥିବାରୁ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ଭଳି ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ବିଳମ୍ବିତ ହେଉଛି ।

ଅନୁଗୁଳ ଜିଲ୍ଲାରେ ତାଳଚେର ଆଡୁ ଏହି ରେଳପଥ ନିର୍ମାଣ କାର୍ଯ୍ୟ କିଛିଟା ଆଗେଇଥିବା ବେଳେ ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ କିନ୍ତୁ ଧିମେଇ ଯାଇଛି । ପ୍ରାୟ ଦେଢ଼ ଶହ କିଲୋମିଟର ଦୈର୍ଘ୍ୟର ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦୂରତା ଶତାଧିକ କିଲୋମିଟର କମିଯିବ । ଏଥିଯୋଗୁଁ ଯାତ୍ରା ସମୟ ହ୍ରାସ ହେବା ସହିତ ଟିକଟ ବାବଦ ଖର୍ଚ୍ଚ ବି କମିବ । କେବଳ ସେତିକି ନୁହେଁ, ଲୁହାପଥର, କୋଇଲା ସମେତ ଅନ୍ୟାନ୍ୟ ଖଣିଜ ସାମଗ୍ରୀ ପରିବହନରେ ସରକାରୀ ଓ ବେସରକାରୀ ଉଦ୍ୟୋଗମାନେ ଯେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇଯାକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିଲା ବେଳେ ସରକାରୀ କଳରେ ଠିକଣା ସମନ୍ୱୟ ରଖା କରାଯାଇପାରିେଲେ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଉଛି । (ତଥ୍ୟ)