Home General ରନ୍ଧନଗ୍ୟାସ ପାଇପ୍‍ ବିଛାରେ ଓଡିଶା ଆଗୁଆ

ରନ୍ଧନଗ୍ୟାସ ପାଇପ୍‍ ବିଛାରେ ଓଡିଶା ଆଗୁଆ

ଭୁବନେଶ୍ୱର : ରନ୍ଧନଗ୍ୟାସ ପାଇପ୍‍ ଲାଇନ୍‍ ବିଛାଇବା କ୍ଷେତ୍ରରେ ଓଡିଶା ପଡୋଶୀ ରାଜ୍ୟାମାନଙ୍କ ତୁଳନାରେ ଆଗରେ ରହିଛି । ଏବେ ସୁଦ୍ଧା ଓଡିଶାରେ ୪୦୦୦ କିଲୋମିଟର ପାଇପ୍‍ ଲାଇନ୍‍ ବିଛା ଯାଇଥିବା ଅଧିକାରୀମାନେ କହିଛନ୍ତି ।

ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ରନ୍ଧନଗ୍ୟାସ ଯୋଗାଣ ପାଇଁ ୨୦୧୭-୧୮ ବର୍ଷରୁ ରାଜ୍ୟରେ ପାଇପ୍‍ ବିଛା ଯାଉଛି । ତେବେ ଗତ ଦୁଇବର୍ଷ ଧରି ଏହି କାର୍ଯ୍ୟ ଜୋରସୋରରେ ଚାଲିଛି । ୨୦୨୧-୨୨ ରେ ଓଡିଶାରେ ୨୨୦୨ କିଲୋମିଟର ରନ୍ଧନଗ୍ୟାସ ପାଇପ୍‍ ଲାଇନ୍‍ ବିଛା ଯାଇଥିବାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହା ୧୫୫୮ କିଲୋମିଟର ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳାଳୟର ସର୍ବଶେଷ ସୂଚନାରୁ ଜଣାଯାଇଛି ।

ସେହିଭଳି ପଡୋଶୀ ପଶ୍ଚିମବଙ୍ଗରେ ୨୦୨୧-୨୨ ବର୍ଷରେ ମାତ୍ର ୨୪୮ କିଲୋମିଟର ରନ୍ଧନଗ୍ୟାସ ପାଇପ୍‍ ଲାଇନ୍‍ ବିଛା ଯାଇଥିବାବେଳେ ତେଲେଙ୍ଗାନାରେ ୧୯୩୯ କିଲୋମିଟର ବିଛାଯାଇ ପାରିଛି । ଝାଡଖଣ୍ଡରେ ବିଛାଯାଇଥିବା ରନ୍ଧନଗ୍ୟାସ ପାଇପ୍‍ ଲାଇନ୍‍ର ଦୈର୍ଘ୍ୟ ଥିଲା ୨୦୧୪ କିଲୋମିଟର । ତେବେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ କଟକରେ ଚଳିତବର୍ଷ ଶେଷ ସୁଦ୍ଧା ଅଧିକରୁ ଅଧିକ ଲୋକଙ୍କୁ ପାଇପ୍‍ ଯୋଗେ ରନ୍ଧନଗ୍ୟାସ ସଂଯୋଗ ଦେବାପାଇଁ ଦ୍ରୁତଗତିରେ କାର୍ଯ୍ୟ ଜାରି ରହିଛି ।

ଭୁବନେଶ୍ୱର ଓ କଟକ ସହରରେ ପାଇପ୍‍ ଯୋଗେ ରନ୍ଧନଗ୍ୟାସ ଯୋଗାଣ ଦାୟିତ୍ୱ ଗେଲ୍‍ ଇଣ୍ଡିଆ ଲିମିଟେଡ ନେଇଥିବାବେଳେ ଦୁଇ ସହରରେ ଚଳିତବର୍ଷ ଶେଷ ସୁଦ୍ଧା ଅତି କମ୍‍ରେ ୭୫ହଜାର ଘରକୁ ପାଇପ୍‍ ଯୋଗେ ଗ୍ୟାସ ସଂଯୋଗ ଦେବାର ଲକ୍ଷ୍ୟ ରହିଛି । ସେହଭଳି ୨୦୨୩ ଠାରୁ ପ୍ରତିବର୍ଷ ୨୦ହଜାର କରି ସଂଯୋଗ ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଜଣାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଦେଶର ୧୧ଏ ରାଉଣ୍ଡ ପାଇପ ଯୋଗେ ଗ୍ୟାସ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ୨୯୫ଟି ଭୌଗଳିକ କ୍ଷେତ୍ରକୁ ଅନୁମତି ଦିଆଯାଇଛି ଯାହା ଦେଶର ୯୮ ପ୍ରତିଶତ ଜନସଂଖ୍ୟା ଏବଂ ୮୮ ପ୍ରତିଶତ ଭୌଗଳିକ ସୀମା ଅର୍ନ୍ତଭୁକ୍ତ । ୨୦୩୦ ସୁଦ୍ଧା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅତି କମ୍‍ରେ ୧୨.୩୩ କୋଟି ପାଇପ୍‍ ଗ୍ୟାସ ସଂଯୋଗର ଲକ୍ଷ୍ୟ ରହିଛି । ଚଳିତବର୍ଷ ମଇ ୩୧ ସୁଦ୍ଧା ଉପଯୁକ୍ତ ହିତାଧିକାରୀଙ୍କୁ ମୋଟ୍‍ ୯୫.୨୧ ଲକ୍ଷ ଘରୋଇ ସଂଯୋଗ ପ୍ରଦାନ କରାଯାଇଥିବା ଜଣାଯାଇଛି । (ତଥ୍ୟ)