ଭୁବନେଶ୍ୱର : ରାଜଧାନୀର ସଫେଇ କାର୍ଯ୍ୟରେ ନୂଆ ସଂସ୍ଥା ସାମିଲ ହେବାପରେ ସ୍ଥିତିରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ । ବରଂ ପୁରୁଣା ସଂସ୍ଥାର କାର୍ଯ୍ୟ ଢାଞ୍ଚାରେ ପରିବର୍ତ୍ତନ ହେବା ଫଳରେ ବହୁ ସ୍ଥାନରେ ସ୍ଥିତି ବିଗିଡିବାରେ ଲାଗିଛି ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଇତି ମଧ୍ୟରେ କେତେକ ୱାର୍ଡରେ ପୁରୁଣା ସଫେଇ ସଂସ୍ଥାକୁ ପରିବର୍ତ୍ତନ କରିଛନ୍ତି । ସେମାନଙ୍କ ସ୍ଥାନରେ ନୂଆ ସଂସ୍ଥା ନିୟୋଜିତ ହୋଇଛନ୍ତି । ତେବେ ପୁରୁଣା ସଂସ୍ଥାମାନେ ଯେଉଁଦିନ କାର୍ଯ୍ୟରୁ ହଟିଲେ ସେମାନେ ସେହିଦିନ ରାତାରାତି ବିଭିନ୍ନ ସ୍ଥାନରେ ରଖିଥିବା ଡଷ୍ଟବିନ୍ଗୁଡିକୁ ହଟାଇନେଲେ । ନୂଆ ସଂସ୍ଥା ଡଷ୍ଟବିନ୍ ରଖିବା ବଦଳରେ ଏବେ ରାସ୍ତାଉପରେ କୁଢ କୁଢ ଅଳିଆ ଜମା କରିବାରେ ଲାଗିଛନ୍ତି । ଏପରିକି ପୁରୁଣା ସଂସ୍ଥାଗୁଡିକ ଯେଉଁସବୁ ସ୍ଥାନରେ ଭଙ୍ଗା ଦଦରା ଅଳିଆ ଡଷ୍ଟବିନ୍ ଛାଡିଦେଇ ଯାଇଛନ୍ତି ତାହାକୁ ବି ବଦଳାଇବାର ନା ଧରୁନାହାନ୍ତି ।
ସେହଭଳି କାର୍ଯ୍ୟରୁ ଅନ୍ତର ହୋଇଥିବା ପୁରୁଣା ସଂସ୍ଥା ସେମାନଙ୍କର ସଫେଇ କର୍ମଚାରୀଙ୍କୁ ହଟାଇ ନେଇଥିବାରୁ ନୂଆ ସଂସ୍ଥା ନୂଆ କର୍ମଚାରୀ ମୁତୟନ କରିଛି । ହେଲେ ଯେଉଁ ସ୍ଥାନରେ ପୁରୁଣା ସଂସ୍ଥା ଦୁଇଜଣ ଝାଡୁଦାର ନିୟୋଜିତ କରୁଥିଲା ନୂଆ ସଂସ୍ଥାରେ ସେଠାରେ ଜଣେ କର୍ମଚାରୀରେ କାମ ଚଳାଇ ନେଉଛି । ଏପରିକି ରାସ୍ତା କଡରେ ପଡି ରହୁଥିବା ଗଛପତ୍ରକୁ ଆଉ ପୂର୍ବଭଳି ନିୟମିତ ଭାବେ ଉଠୁନାହିଁ ।
ନୂତନ ଭାବେ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା କେବଳ ସଫେଇ କର୍ମଚାରୀଙ୍କୁ ନୂଆ ଜ୍ୟାକେଟ ପିନ୍ଧାଇବା ସହିତ ନୂଆ ଅଳିଆ ଉଠା ଗାଡି ଧରାଇ ଦେଇଛି । ପୂର୍ବଭଳି ମେସିନ ଲଗାଇ ନିୟମିତ ଭାବେ ଘାସ କାଟିବା କିମ୍ବା ଧାର୍ଯ୍ୟ ସମୟ ମଧ୍ୟରେ ରାସ୍ତାରେ ଝାଡୁ କରିବା କାର୍ଯ୍ୟ ହେଉନାହିଁ । କେଉଁଠି ଦିନ ଦ୍ୱିପ୍ରହରରେ ଝାଡୁ ହେଉଛି ତ ଆଉ କେଉଁଠି କୁଢ କୁଢ ଆବର୍ଜନା ଅପରାହ୍ନରେ ଟ୍ରକ ଯୋଗେ ଉଠୁଛି । ତେଣୁ ବିଭିନ୍ନ ସ୍ଥାନରେ ଏବେ ସ୍ଥାନୀୟ ଅଞ୍ଚଳରେ ପୂତ୍ତି ଗନ୍ଧମୟ ପରିସ୍ଥିତି ଉପୁଜିବାରେ ଲାଗିଛି ।
ଅବସ୍ଥା ଏଭଳି ହୋଇଛି ଯେ ଯଦି ବିଏମସିର ସଫେଇ ଗାଡି ରାସ୍ତାରେ ବୁଲୁନଥାନ୍ତା ତେବେ ନୂଆ ସଂସ୍ଥାଗୁଡିକ ଅଳିଆ ଆବର୍ଜନା ସଫା କରିବା ତ ଦୂରରକଥା ଝାଡୁ ମାରିବାକୁ ବି ସମର୍ଥ ହୋଇନଥାନ୍ତେ ବୋଲି ଲୋକେ ଅଭିଯୋଗ କରୁଛନ୍ତି । କେଉଁ ୱାର୍ଡରେ ନୂଆ ସଂସ୍ଥାମାନେ କିଭଳି ସଫେଇ କରୁଛନ୍ତି ସେ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଲିଖିତ ମତାମତ ସଂଗ୍ରହ ହେଉନଥିବାରୁ ନୂଆ ସଫେଇ ସଂସ୍ଥାଗୁଡିକ ଏକ ପ୍ରକାର ମନମାନି ଚଳାଇଛନ୍ତି ।
ତେଣୁ ଯେଉଁସବୁ ୱାର୍ଡରେ ବିଏମ୍ସି ନୂଆ ସଫେଇ ସଂସ୍ଥାଙ୍କୁ ନିୟୋଜିତ କରିଛି ସେଠାରେ ସ୍ଥିତି କିଭଳି ରହିଛି ତାହାର ରିପୋର୍ଟ ୱାର୍ଡ ଅଫିସରଙ୍କ ଠାରୁ ସଂଗ୍ରହ କରିବା ସହିତ ସ୍ଥାନୀୟ ଲୋକଙ୍କ ଠାରୁ ଲିଖିତ ମତାମତ ନେବାକୁ ଦାବି ହେଉଛି । ନହେଲେ ଯେଉଁ ଢଙ୍ଗରେ ଅଳିଆ ଉଠୁଛି ତାହା ଆଗାମୀ ଦିନରେ ସ୍ମାର୍ଟସିଟିର ସ୍ୱଚ୍ଛତା ବ୍ୟବସ୍ଥାକୁ ବିଗାଡିଦେବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)