ଭୁବନେଶ୍ୱର : ଖୁବ୍ଶୀଘ୍ର ରାଜ୍ୟରେ ଚାରିଚକିଆ ଯାନରେ ଯାଉଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଦେଶର ବିଶିଷ୍ଟ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁପରେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ମିଳିଛି ।
କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାକୁ ଅନୁସରଣ କରି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ମୋଟରଯାନ ଆଇନ୍ ୧୯୮୯ ଆଧାରରେ ସିଲ୍ଟ ବେଲ୍ଟ ବାନ୍ଧିବାପାଇଁ ନିର୍ଦ୍ଦେଶନାମା ଜାରି ଲାଗି ପଦକ୍ଷେପ ନେବାକୁ ରାଜ୍ୟ ପରିବହନ କମିଶନରଙ୍କୁ କହିଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହି ମର୍ମରେ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ମୋଟର ଯାନ ଆଇନ୍ ୧୯୮୮ ରୁ ଧାରା ୧୯୪ଖ ଅନୁଯାୟୀ ସିଟ୍ବେଲ୍ଟ ବ୍ୟବହାର କରିବା ବାଧ୍ୟତାମୂଳକ ଏବଂ ଏହି ଆଇନ୍ର ଉପଧାରା ୧ରେ କୁହାଯାଇଛି ଯେ ଯଦି ଗାଡି ଚାଳକ ସିଟବେଲ୍ଟ ନବାନ୍ଧି ଗାଡି ଚାଳନା କରୁଥିବେ ଏବଂ ଯାତ୍ରୀମାନେ ସୁରକ୍ଷା ବେଲ୍ଟ ବାନ୍ଧିନଥିବେ ତେବେ ସେମାନଙ୍କ ଠାରୁ ୧୦୦୦ ଟଙ୍କାର ଜୋରିମାନା ଆଦାୟ ହେବ ।
ଅନୁରୂପ ଭାବେ କେନ୍ଦ୍ରୀୟ ମୋଟର ଯାନ ଆଇନ୍ ୧୯୮୯ ରୁ ଅଧିନିୟମ ୧୨୫୯୧) ରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ ମୋଟରସାଇକେଲ ଓ ୩ଚକିଆ ଯାନ ବ୍ୟତିତ ସମସ୍ତ ଯାନରେ ଗାଡି ଚାଳକ ଓ ଗାଡିର ଆଗ ଆସନରେ ବସିଥିବା ଯାତ୍ରୀ ସିଟବେଲ୍ଟ ପିନ୍ଧିବାକୁ ବାଧ୍ୟ । ତେବେ ଏହି ଆଇନ୍ର ଆଉ ଗୋଟିଏ ଉପଧାରାରେ ଉଲ୍ଲେଖ ଅଛି ଯେ ଆଠ ଆସନ ବିଶିଷ୍ଟ ଯାତ୍ରୀବାହୀ ଯାନରେ ପଛପଟକୁ ମୁହଁକରି ଆଗରେ ବସୁଥିବା ଯାତ୍ରୀ ସିଟବେଲ୍ଟ ବାନ୍ଧିବେ ।
ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସଏଭଳି ଆଠ ଆସନ ବିଶିଷ୍ଟ ଗାଡିରେ ସାମ୍ନାକୁ ମୁହଁକରି ବସୁଥିବା ସମସ୍ତ ଯାତ୍ରୀ ଯେଭଳି ସିଲ୍ଟବେଲ୍ଟ ବାନ୍ଧିବେ ତାହା ନିଶ୍ଚିତ କରିବାକୁ ରାଜ୍ୟ ପରିବହନ କମିଶନରଙ୍କୁ କହିଛନ୍ତି । ଏଭଳି ଯାନରେ ଥିବା ସିଟକଭରଗୁଡିକ ଯେଭଳି ସିଟବେଲ୍ଟ ବାନ୍ଧିବାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି ।
ଏହି ନିର୍ଦ୍ଦେଶ ଅନୁଯାୟୀ ଗାଡିଚାଳକଙ୍କୁ ବାଦ୍ ଦେଇ ଆଠଜଣ ଯାତ୍ରୀ କ୍ଷମତା ଥିବା ଗାଡିର ସମସ୍ତ ଯାତ୍ରୀ ସିଟବେଲ୍ଟ ବାନ୍ଧିବେ । ଏହା ନହେଲେ ୧୦୦୦ ଟଙ୍କାର ଜୋରିମାନା ଗଣିବେ । ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ ଲାଗି କୁହାଯାଇଛି । ସେହିଭଳି ଗାଡିର ଫିଟ୍ନେସ ଯାଞ୍ଚ ସମୟରେ ସିଟକଭର ଗୁଡିକ ଯେଭଳି ସିଟବେଲ୍ଟ କ୍ଷେତ୍ରରେ ବାଧା ସୃଷ୍ଟି ନକରୁନଥିବେ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ଦାଶ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖ କରାଯାଇପାରେ ଯେ ଶିଳ୍ପପତି ଶ୍ରୀ ମିସ୍ତ୍ରୀ ତାଙ୍କ ବନ୍ଧୁ ଜାହାଙ୍ଗିର ପାଣ୍ଡୋଲେଙ୍କ ସହିତ ମସିଡେଜ-ବେଞ୍ଜର ପଛ ସିଟ୍ରେ ବସି ଯାତ୍ରା କରୁଥିବାବେଳେ ସିଟ୍ବେଲ୍ଟ ବାନ୍ଧିନଥିଲେ । ଚଳିତ ମାସ ସେପ୍ଟେମ୍ବର ୪ ତାରିଖରେ ତାଙ୍କ ଗାଡିଟି ମୁମ୍ବାଇର ପାଲଘର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଏଥିରେ ଶ୍ରୀ ମିସ୍ତ୍ରୀଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା । (ତଥ୍ୟ)