Home Infrastructure ଜଙ୍ଗଲ ଅନୁମତି ପାଇଁ ବାଟ ଫିଟିଲା

ଜଙ୍ଗଲ ଅନୁମତି ପାଇଁ ବାଟ ଫିଟିଲା

ଭୁବନେଶ୍ୱର : ଖୋରଧାରୋଡ-ବଲାଙ୍ଗିର ରେଳପଥ ଲାଗି ଜଙ୍ଗଲ ମଞ୍ଜୁରୀ ପାଇଁ ଉପୁଜିଥିବା ଅନ୍ତରାୟ ଦୂର ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାର, ରେଳବାଇ, ଜଙ୍ଗଲ ଓ ପରିବେଶ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ପିସିସିଏଫ୍‍ ସୁଶାନ୍ତ ନନ୍ଦ ବୈଠକ ସଂକ୍ରାନ୍ତରେ ଟୁଇଟ୍‍ କରି ସୂଚନା ଦେଇଛନ୍ତି । ଶ୍ରୀ ନନ୍ଦ କହିଛନ୍ତି ଯେ ଧାର୍ଯ୍ୟ ସମୟ ମଧ୍ୟରେ ଜଙ୍ଗଲ ଅନୁମତି ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।

ସୂଚନା ଅନୁଯାୟୀ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପଟିକୁ କେନ୍ଦ୍ର ସରକାରଙ୍କର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳୁନଥିବାରୁ ଅହେତୁକ ବିଳମ୍ବ ହେବାରେ ଲାଗିଛି । ମୋଟ୍‍ ୩୦୧ କିଲୋମିଟର ଦୈର୍ଘ୍ୟ ଏହି ରେଳପଥ ମଧ୍ୟରୁ ୯୧ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧାରେଡ-ନୂଆଗାଁରେ ରେଳ ଚଳାଚଳ କରୁଥିବାବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ନୂଆଗାଁ ରୁ ଦଶପଲ୍ଲା ମଧ୍ୟରେ ରେଳ ଚଳାଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ତେବେ ଦଶପଲ୍ଲା ଠାରୁ ବୁଗୁଡା ପର୍ଯ୍ୟନ୍ତ ଥିବା ୧୫ କିଲୋମିଟର ରେଳପଥ କାର୍ଯ୍ୟ ଧିମେଇ ଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ପ୍ରଦାନ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଅନୁରୂପ ସମସ୍ୟା ଯୋଗୁଁ ବୁଗୁଡା ଠାରୁ ବାଣିଗୋଚ୍ଛା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇପାରୁ ନାହିଁ ।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହି ରେଳପଥର ୧୧୨ କିଲୋମିଟରୁ ୧୮୦ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟପାଇଁ ଜଙ୍ଗଲ ଅନୁମତି ପ୍ରଦାନ କରିନାହାନ୍ତି । ତେବେ ୧୮୦ ରୁ ୨୭୫ କିଲୋମିଟର କାର୍ଯ୍ୟ ଆଗେଇ ଥିବାବେଳେ ୨୭୫ ରୁ ୩୦୧ କିଲୋମିଟର ରେଳପଥରେ ରେଳ ଚଳାଚଳ କରୁଛି ।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ୧୧୨ରୁ ୩୦୧ କିଲୋମିଟର ପର୍ଯ୍ୟନ୍ତ ଆବଶ୍ୟକ ପଡୁଥିବା ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଉଥିବାବେଳେ ନିର୍ମାଣକାର୍ଯ୍ୟର ୫୦ ପ୍ରତିଶତ ବହନ କରୁଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳୁନଥିବାରୁ ୧୧୨ ରୁ ୧୧୮ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଜଙ୍ଗଲ ଅନୁମତି ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ଭୁବନେଶ୍ୱର ଠାରେ ଥିବା ଆଞ୍ଚଳିକ ଦପ୍ତରକୁ ପ୍ରସ୍ତାବ ପଠାଇ ଦିଆଯାଇଛି । ବର୍ତ୍ତମାନ ତୁରନ୍ତ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ରୀୟ ଅଧିକାରୀମାନଙ୍କୁ କୁହାଯାଇଛି ଯାହା ଫଳରେ ଏହି ବହୁ ଆଙ୍କାକ୍ଷିତ ରେଳପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । (ତଥ୍ୟ)