Home General ଅଧା ବ୍ଲକରେ ନାହିଁ ବିଶୁଦ୍ଧ ପାନୀୟଜଳ

ଅଧା ବ୍ଲକରେ ନାହିଁ ବିଶୁଦ୍ଧ ପାନୀୟଜଳ

ଭୁବନେଶ୍ୱର : ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚଳାଇଥିବାବେଳେ ଏବେ ବି ଓଡିଶାର ପାଖପାଖି ଅଧା ବ୍ଲକରେ ଉପଯୁକ୍ତ ପିଇବା ପାଣି ନଥିବା ଜଣାଯାଇଛି । କେଉଁଠି ଫ୍ଲୋରାଇଡ୍‍ ମିଶ୍ରିତ ଜଳ ତ ଆଉ କେଉଁଠି ଜଳରେ ଲୁଣ ଓ ଲୌହ ଅଂଶ ଯୋଗୁଁ ତାହା ବ୍ୟବହାର ଯୋଗ୍ୟ ହେଉନାହିଁ ।

ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ରାଜ୍ୟର ୧୫୪ଟି ବ୍ଲକରେ ବିଶୁଦ୍ଧ ପିଇବାପାଣି ଉପଲବ୍ଧ ହେଉନାହିଁ । ଏଥି ମଧ୍ୟରୁ ୧୨୧ଟି ବ୍ଲକରେ ଜଳରେ ଲୌହାଂଶ ଥିବାବେଳେ ୫ଟି ବ୍ଲକରେ ନାଇଟ୍ରେଟ, ୧୫ଟି ବ୍ଲକରେ ଫ୍ଲୋରାଇଡ୍‍ ଓ ୧୩ଟି ବ୍ଲକରେ ଜଳରେ ଲବଣାଂଶ ରହୁଛି । ଫଳରେ ଏହିସବୁ ସ୍ଥାନରେ ଲୋକେ ବିଶୁଦ୍ଧ ଜଳ ପାଇପାରୁ ନାହାନ୍ତି ।

ରାଜ୍ୟର ପାଖାପାଖି ଅଧା ବ୍ଲକରେ ବିଶୁଦ୍ଧ ପିଇବାପାଣି ନଥିବାବେଳେ ୨୦୨୪ ସୁଦ୍ଧା କିନ୍ତୁ ରାଜ୍ୟର ସବୁ ଗ୍ରାମରେ ଲୋକଙ୍କୁ ଉପଯୁକ୍ତ ମାନର ପିଇବାପାଣି ଯୋଗାଇବାପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି । ଜୁଲାଇ ସୁଦ୍ଧା ୫୬୫୫ଟି ଏକକ ଗ୍ରାମ ବିଶିଷ୍ଟ ପାଇପ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏଥିରୁ ୫୯ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୯୦୦ଟି ପ୍ରକଳର କାର୍ଯ୍ୟ ଚାଲିଥିବାବେଳେ ଅବଶିଷ୍ଟ ୨୬୯୬ ଟି ପ୍ରକଳ୍ପର ଟେଣ୍ଡର ଆହ୍ୱାନ ସ୍ତରରେ ରହିଥିଲା । ତେବେ ଏଥିରୁ ଜୁଲାଇ ଶେଷ ସୁଦ୍ଧା ୧୦ଟି ପ୍ରକଳ୍ପକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ୧୩୨ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ।

ତେବେ ୨୦୨୪ ସୁଦ୍ଧା ସବୁ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କ୍ଷେତ୍ରରେ ବାଧକ ସାଜିଛି କରୋନା ମହାମାରୀ । କରୋନା ମହାମାରୀ ସମୟରେ ପ୍ରାୟ ଦୁଇ ବର୍ଷ ଧରି ବିଭିନ୍ନ କଟକଣା ଯୋଗୁଁ ଶ୍ରମିକ ଅଭାବ ଦେଖା ଦେଇଥିଲା । କୁଶଳୀ କାରିଗରଙ୍କ ଅଭାବ ସାଙ୍ଗକୁ ଆବଶ୍ୟକ ପାଇପ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ବି ଉପଲବ୍ଧ ହୋଇନଥିଲା । ଏଥିଯୋଗୁଁ ବହୁ ସ୍ଥାନରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ପଛେଇ ଯାଇଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ତେବେ ଇତି ମଧ୍ୟରେ ପ୍ରଥମରୁ ଯେଉଁସବୁ ଗ୍ରାମକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା ସେଥି ମଧ୍ୟରୁ ଅଧିକାଂଶ ସ୍ଥାନରେ ଜଳ ଯୋଗାଣ ବ୍ୟାହତ ହୋଇଥିବାରୁ ଅଭିଯୋଗ ଆସୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ପାଇପ୍‍ ବିଛାଇବାରେ ଦୁର୍ନୀତି ଯୋଗୁଁ ଅଳ୍ପ ଦିନର ଜଳଯୋଗାଣ ପରେ ତାହା ଅଚଳ ହୋଇଯାଇଛି । କେତେକ ସ୍ଥାନରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ୍‍ ବିଲ୍‍ ପ୍ରଦାନ ଓ କର୍ମଚାରୀ ନିଯୁକ୍ତି ଜନିତ ସମସ୍ୟା ବି ଦେଖିବାକୁ ମିଳୁଛି । ତେଣୁ ଯୋଜନା ଆରମ୍ଭରୁ ଯେଉଁସବୁ ଗ୍ରାମରେ ପାଇପ୍‍ ଜଳ ଯୋଗାଣ ହୋଇଥିଲା ସେଠାରେ ଏବେ ଏହା କିଭଳି କାର୍ଯ୍ୟ କରୁଛି ତାହାର ତଦାରଖ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)