ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଅମଲାତାନ୍ତ୍ରିକ ତ୍ରୁଟି ଓ କର୍ତ୍ତୃପକ୍ଷଙ୍କ ଏକଜିଦିଆ ମନୋଭାବ ଯୋଗୁଁ ଭିନ୍ନକ୍ଷମଙ୍କ ପାଇଁ ଥିବା କେନ୍ଦ୍ରୀୟ ଆଇନ୍କୁ ମୋଡି ମକଚି ଦିଆଯିବାରେ ଅଣସଂରକ୍ଷିତବର୍ଗର ଜଣେ ଭିନ୍ନକ୍ଷମ ପ୍ରାର୍ଥୀ ଓଏଏସ୍ ନିଯୁକ୍ତିରୁ ବଞ୍ଚିତ ହୋଇ ୪ବର୍ଷ ଧରି କୋର୍ଟ କଚେରୀ ସମେତ ବିଭିନ୍ନ ଅଧିକାରୀଙ୍କ ଦପ୍ତରକୁ ଦଉଡୁଛନ୍ତି । ତେବେ ଆଜି ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହି ମାମଲାର ବିସ୍ତୃତ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ମିଳିତ ଜାତିସଂଘର ଘୋଷଣାନାମା ଆଧାରରେ କେନ୍ଦ୍ର ସରକାର ସଂସଦରେ ସ୍ୱତନ୍ତ୍ର ବିଲ୍ ଆଣି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରର ସୁରକ୍ଷା ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ୨୦୧୬ ମସିହାରେ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଥିଲେ । ଏହି ଆଇନ୍ରେ ବିଭିନ୍ନ କିସମର ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଚାକିରିରେ ୪ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେବେ ୪୦ ପ୍ରତିଶତ ଓ ତଦୁର୍ଦ୍ଧ୍ୱ ଶାରିରୀକ ଅକ୍ଷମଙ୍କ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଅଛି ।
ଏହି ଆଇନ୍କୁ କାର୍ଯ୍ୟକାରୀ କରିବାପାଇଁ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ୨୦୧୭ ସେପ୍ଟେମ୍ବର ମାସରେ ଏକ ସଙ୍କଳ୍ପ ପାରିତ କରିଥିଲେ । ଏହି ସଙ୍କଳ୍ପରେ ଦର୍ଶାଯାଇଥିଲା ଯେ ୪୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମଙ୍କୁ ସଂରକ୍ଷଣ ସୁବିଧା ମିଳିବ । ତେବେ ଯେଉଁ ଶାରୀରିକ ଅକ୍ଷମମାନେ ପ୍ରତିଯୋଗିତା ପରୀକ୍ଷାରେ ଅନ୍ୟବର୍ଗର ପ୍ରାର୍ଥୀଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଅଣସଂରକ୍ଷିତ ପ୍ରାର୍ଥୀଭାବେ ନିଯୁକ୍ତି ଦିଆଯାଇ ସେମାନଙ୍କ ଠାରୁ କମ୍ ନମ୍ବର ରଖିଥିବା ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ସଂରକ୍ଷଣ ଆଧାରରେ ନିଯୁକ୍ତି ଦିଆଯିବ ।
ଉଭୟ କେନ୍ଦ୍ରୀୟ ଆଇନ୍ ଓ ରାଜ୍ୟ ସରକାରଙ୍କ ସଙ୍କଳ୍ପରେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ସୁରକ୍ଷା ଓ ନିରାପତ୍ତା ସମେତ ବିଭିନ୍ନ ବ୍ୟବସ୍ଥା ରଖାଯାଇ କେବଳ ଭିନ୍ନକ୍ଷମ ଆଳରେ ସେମାନଙ୍କ ପ୍ରତି ପାତର ଅନ୍ତର କରାଯାଇ ପାରିବନାହିଁ ଓ ଏମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାପାଇଁ ସମ୍ବିଧାନର ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି ।
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳର ଜଣେ ୨୩ ବର୍ଷିୟ ଦୃଷ୍ଟିବାଧିତ ପ୍ରାର୍ଥୀ ରାଜ୍ୟ ସିଭିଲ ସର୍ଭିସ ପରୀକ୍ଷାପାଇଁ ଆବେଦନ କରିଥିଲେ ଏବଂ କେନ୍ଦ୍ରୀୟ ଆଇନ୍ ଆଧାରରେ ତାଙ୍କର ୪୦ ପ୍ରତିଶତ ଶାରୀରିକ ଅକ୍ଷମତା ଥିବାରୁ ସମ୍ପୃକ୍ତ ପ୍ରାର୍ଥୀ ଅଣୁଶ୍ରବ ଗନ୍ତାୟତଙ୍କୁ ଓପିଏସସି ପ୍ରିଲିମିନାରୀ ପରୀକ୍ଷା ଦେବାକୁ ସୁଯୋଗ ଦେଇଥିଲା । ପ୍ରଲିମିନାରୀ ପରୀକ୍ଷାରେ ଏହି ଭିନ୍ନକ୍ଷମ ପ୍ରାର୍ଥୀ କାହାର କିଛି ସହାୟତା ନନେଇ ଚମତ୍କାର ପ୍ରଦର୍ଶନ କରିବାରୁ ତାଙ୍କୁ ଲିଖିତ ପରୀକ୍ଷା ଦେବାର ସୁଯୋଗ ମିଳିଥିଲା ଏବଂ ସେଥିରେ ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବାପରେ ଅନ୍ୟମାନଙ୍କ ସହ ତାଙ୍କର ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଇ ମୌଖିକ ପରୀକ୍ଷାକୁ ଡକାଯାଇଥିଲା ।
ଅଣସଂରକ୍ଷିତବର୍ଗର ଏହି ଭିନ୍ନକ୍ଷମ ପ୍ରାର୍ଥୀ ଜଣଙ୍କ ଓଏଏସ୍ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିବାବେଳେ ତାଙ୍କୁ ନିଯୁକ୍ତି ନଦେଇ ୪୦ ପ୍ରତିଶତ ଭିନ୍ନକ୍ଷମ ଦର୍ଶାଇ ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିଦିଆଯାଇଥିଲା । ଅଥଚ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀ ଓ ୧୦୬୫ ନମ୍ବର ରଖିଥିବା ଦୃଷ୍ଟିବାଧିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ଏହି ନିଯୁକ୍ତି ଦିଆଯିବା ପୂର୍ବରୁ ରାଜ୍ୟ ସରକାର ତାଙ୍କ ତ୍ରୁଟିର ସଂଶୋଧନ କରିବା ସହ କେନ୍ଦ୍ରୀୟ ଆଇନ୍ ରାଜ୍ୟ ସରକାର ବଦଳାଇ ପାରିବେନାହିଁ ଓ ଏହା ବେଆଇନ୍ ଦର୍ଶାଇ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ପ୍ରାର୍ଥୀଭାବେ ଯୋଗ୍ୟତା ତାଲିକାରେ ସ୍ଥାନିତ କରିବାଲାଗି ମୁଖ୍ୟ ଶାସନ ସଚିବ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଲୋକସେବା ଆୟୋଗଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ୩ବର୍ଷ ଧରି ଏହି ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଆୟୋଗ ପଠାଉ ନଥିବାରୁ ସେ ନିଯୁକ୍ତି ନପାଇ ନ୍ୟାୟାଳୟରେ ଲଢେଇ ଜାରି ରଖିଛନ୍ତି । ଏବେ ଏହି ଯୋଗ୍ୟ ପ୍ରାର୍ଥୀ ଜଣଙ୍କ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାର ପ୍ରିଲିମିନାରୀରେ ସଫଳତା ପାଇବାପରେ ଲିଖିତ ପରୀକ୍ଷା ଦେଇଥିବା ଜଣାପଡିଛି । (ତଥ୍ୟ)