Home General ବିମାନ ବନ୍ଦର ପାଇଁ ଉଡାଣ ସମୟ ଧାର୍ଯ୍ୟ

ବିମାନ ବନ୍ଦର ପାଇଁ ଉଡାଣ ସମୟ ଧାର୍ଯ୍ୟ

ଭୁବନେଶ୍ୱର : ରାଜ୍ୟରେ ଅତି କମରେ ୫ଟି ବିମାନ ବନ୍ଦରରୁ ଧାର୍ଯ୍ୟ ସମୟରେ ବ୍ୟବସାୟିକ ଉଡାଣ ଆରମ୍ଭ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ବିମାନ ଉଡାଣ ପାଇଁ ଆଗ୍ରହୀ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନଙ୍କ ଉଦ୍ୟମ ଯୋଗୁଁ ରାଜ୍ୟର ପାଞ୍ଚଟି ବିମାନବନ୍ଦର ରାଉରକେଲା, ଜୟପୁର, ଉତ୍‍କେଲା, ରଙ୍ଗେଇଲୁଣ୍ଡା ଏବଂ ମାଲକାନଗିରିର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଜାରି ରହିଛି । ରାଉରକେଲା ବିମାନବନ୍ଦର ଚଳିତବର୍ଷ ଅକ୍ଟୋବର ୩୧ ସୁଦ୍ଧା ପ୍ରସ୍ତୁତ ହେବାକୁ ଥିବାବେଳେ ୨୦୨୩ରେ ଏଠାରେ ପୁରୁଷ ବିଶ୍ୱକପ୍‍ ହକି ଆୟୋଜନ ହେଉଛି ।

ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଏଠାରୁ ବିମାନ ଉଡାଣ କରିବାକୁ ଥିବାବେଳେ ବିମାନବନ୍ଦର ଇତି ମଧ୍ୟରେ ୨ବି ବର୍ଗର ଲାଇସେନ୍ସ ହାସଲ କରିଛି ଏବଂ ଏହାକୁ ୨ସି ବର୍ଗକୁ ଉନ୍ନିତ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତିଷ୍ଠିତ ବିମାନ କମ୍ପାନୀ ଆଲାଏନ୍ସ ଏୟାର ରାଉରକେଲାରୁ ତାହାର ଉଡାଣ ଆରମ୍ଭ ପାଇଁ ମନୋନିତ ହୋଇଛି ।

ସେହିଭଳି କୋରାପୁଟର ଜୟପୁର ବିମାନ ବନ୍ଦରକୁ ୨ବି ବର୍ଗକୁ ଉନ୍ନିତ କରାଯିବ ସହିତ ଏଠାରୁ ଦିନବେଳା ବିମାନ ଉଡାଣ ସୁବିଧା ହୋଇଛି । ଜୟପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ବିମାନ ଉଡାଣ ପାଇଁ ଇଣ୍ଡିଆୱାନ ଏୟାର ଅନୁମତିପ୍ରାପ୍ତ ହୋଇଛି । ଏହି ବିମାନ କମ୍ପାନୀ ଇତି ମଧ୍ୟରେ ୯ଆସନ ବିଶିଷ୍ଟ ସେସନା ବିମାନକୁ ଏଥିପାଇଁ ପ୍ରସ୍ତୁତ ରଖିଛି ।

ପଶ୍ଚିମଓଡିଶାର କଳାହାଣ୍ଡିରେ ଥିବା ଉତ୍‍କେଲା ବିମାନବନ୍ଦରକୁ ୨ବି ବର୍ଗକୁ ଉନ୍ନିତ କରାଯାଇଥିବାବେଳେ ଏଠାକୁ ଦିନ ବେଳା ବିମାନ ଉଡାଣ ଲାଇସେନ୍ସ ହାସଲ ପାଇଁ ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି । ଉତ୍‍କେଲାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡାଣ ପାଇଁ ଇଣ୍ଡିଆୱାନ ଏୟାର ମଧ୍ୟ ମନୋନିତ ହୋଇଛି । ଏହି ବିମାନବନ୍ଦରକୁ ୩ସି ବର୍ଗକୁ ଉନ୍ନୀତ ପାଇଁ ଯୋଜନା ହୋଇଥିବାବେଳେ ୨୦୨୩ ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ବିକାଶ କାର୍ଯ୍ୟ ସାରିବାକୁ ଯୋଜନା ହୋଇଛି । ଇତି ମଧ୍ୟରେ ଏଏଆଇ କର୍ତ୍ତୃପକ୍ଷଙ୍କ ନିକଟରେ ୩ସି ବର୍ଗର ମାଷ୍ଟରପ୍ଲାନ ଦାଖଲ ହୋଇଥିବା ସୂଚନା ମିଳିଛି ।

ଗଞ୍ଜାମ ଜିଲ୍ଲାରେ ୩୬ ଏକର ଜମି ଉପରେ ଥିବା ରଙ୍ଗେଇଲୁଣ୍ଡା ବିମାନବନ୍ଦର କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଏଥିରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ୨ବି ବର୍ଗର ଏହି ବିମାନବନ୍ଦର କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ତେବେ ବିଚ୍ଛିନ୍ନାଞ୍ଚଳ ମାଲକାନଗିରି ଥିବା ବିମାନବନ୍ଦରକୁ ୨୦୨୪ ଜାନୁୟାରୀ ସୁଦ୍ଧା ବିମାନ ଉଡାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି । ମାଓ ଅଧ୍ୟୁଷିତ ଏହି ଜିଲ୍ଲାକୁ ବିମାନ ସଂଯୋଗ ଉପରେ ଜୋର ଦିଆଯାଉଥିବାବେଳେ ରାଜ୍ୟ ସରକାର ଏଥିପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଏହି ବିମାନବନ୍ଦର ପାଇଁ ୫୫କୋଟି ଟଙ୍କା ବ୍ୟୟ ହେଉଥିବା ଜଣାଯାଇଛି । (ତଥ୍ୟ)