Home Education ଯୁବ ଆଦିବାସୀ କମ୍ପ୍ୟୁଟର ପ୍ରତି ଆଗ୍ରହ

ଯୁବ ଆଦିବାସୀ କମ୍ପ୍ୟୁଟର ପ୍ରତି ଆଗ୍ରହ

ଭୁବନେଶ୍ୱର : କମ୍ପ୍ୟୁଟର ଶିକ୍ଷା ହାସଲ କରିବାପାଇଁ ଆଦିବାସୀ ଯୁବକ ଯୁବତୀମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ କେନ୍ଦ୍ରୀୟ ଯୋଜନାରେ ସାମିଲ ହୋଇଛନ୍ତି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଓ ଡିଜିଟାଲ ସାକ୍ଷରତା ଅଭିଯାନ ଜରିଆରେ ଗ୍ରାମାଞ୍ଚଳରେ ଏ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହି ଦୁଇଟି ଯୋଜନା ଜରିଆରେ ମୋଟ୍‍ ୫ଲକ୍ଷ ୭୬ହଜାର ଆଦିବାସୀ ଯୁବକ ଯୁବତୀମାନେ ପ୍ରଶିକ୍ଷଣ ପାଇଁ ତାଲିକାଭୁକ୍ତ ହୋଇଥିବା ଜଣାଯାଇଛି ।

ଜାତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଥିଲା ଯେ ଗ୍ରାମାଞ୍ଚଳର ମାତ୍ର ୧୧ ପ୍ରତିଶତ ଯୁବକ ଯୁବତୀ ଡିଜିଟାଲ ସାକ୍ଷର । ଏହି ସର୍ଭେରୁ ଜଣାପଡିଥିଲା ଯେ ସହରାଞ୍ଚଳରେ ପ୍ରାୟ ୩୪.୭ ପ୍ରତିଶତ ଡିଜିଟାଲ ସାକ୍ଷର । ସେଥିପାଇଁ କେନ୍ଦ୍ର ସରକାର ୨ଟି ବୃହତ୍‍ ଯୋଜନା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ଜରିଆରେ ଆମ ରାଜ୍ୟରୁ ଅଧିକରୁ ଅଧିକ ଆଦିବାସୀ ଯୁବଶକ୍ତି ସାମିଲ ହେଉଥିବା ଜଣାଯାଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଓ ଡିଜିଟାଲ ସାକ୍ଷରତା ଅଭିଯାନ ଜରିଆରେ ସମଗ୍ର ଦେଶରେ ପ୍ରାୟ ୬୩ଲକ୍ଷ ଯୁବକ ଯୁବତୀଙ୍କୁ ସାମିଲ କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ୫୫ଲକ୍ଷ ପ୍ରଶିକ୍ଷଣ ହାସଲ କରିଛନ୍ତି । ଏହି ପ୍ରଶିକ୍ଷଣ ପାଇବାପରେ ସେମାନେ ପାଉଥିବା ପ୍ରମାଣପତ୍ର ନେଇ ନିଜକୁ ନିଯୁକ୍ତି ଯୋଗ୍ୟ କରିବାରେ ସକ୍ଷମ ହେଉଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଡିଜିଟାଲ ସାକ୍ଷରତା ଅଭିଯାନ ଜରିଆରେ ୫୨ଲକ୍ଷ ୫୦ହଜାର ବ୍ୟକ୍ତିଙ୍କୁ ଡିଜିଟାଲ ବ୍ୟବସ୍ଥାରେ ପ୍ରଶିକ୍ଷଣ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କାରଣ ପ୍ରତ୍ୟେକ ପରିବାରରୁ ଅତି କମ୍‍ରେ ଯେଭଳି ଜଣେ ଡିଜିଟାଲ ସାକ୍ଷର ହୋଇପାରିବ ସେଥିପାଇଁ ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଛି ।

ଦିଶା ଯୋଜନାରେ ସମଗ୍ର ଦେଶରେ ୭,୬୬,୦୮୦ ଜଣ ଆଦିବାସୀ ପ୍ରଶିକ୍ଷଣ ପାଇଥିବାବେଳେ ୭,୧୭,୪୧୨ ଜଣ ପ୍ରମାଣପତ୍ର ହାସଲ କରିଛନ୍ତି । ଦିଶା ଯୋଜନା କାର୍ଯ୍ୟକାରୀ ହେବାପରେ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏହି ଯୋଜନାରେ ସମଗ୍ର ଦେଶରେ ୫୫,୮୨,୭୨୦ଜଣ ଆଦିବାସୀ ସାମିଲ ହୋଇଥିବାବେଳେ ୪୭,୦୪,୯୭୩ଜଣ ପ୍ରଶିକ୍ଷଣ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୩,୮୨,୦୪୪ ଜଣ ପ୍ରମାଣପତ୍ର ପାଇଛନ୍ତି ।

ଆଦିବାସୀ ବହୁଳ ଜିଲ୍ଲାରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ କେନ୍ଦ୍ର ମନ୍ତ୍ରଣ।।ଳୟ ପଦକ୍ଷେପ ନେଉଥିବାବେଳେ ରାଜ୍ୟ ସରକାରଙ୍କ ସହାୟତା ଏଥିରେ ଲୋଡାଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଲ ସାକ୍ଷରତା ଯୋଜନାକୁ ବଳବତ୍ତର କରିବାପାଇଁ ପଦକ୍ଷେପ ନେବା ଫଳରେ ଅଧିରୁ ଅଧିକ ଆଦିବାସୀ ଯୁବକ ଯୁବତୀ ଏଥିରେ ସାମିଲ ହୋଇପାରୁଛନ୍ତି ବୋଲି ଅଧିକାରୀମାନେ ମତପ୍ରକାଶ କରୁଛନ୍ତି । (ତଥ୍ୟ)