ଭୁବନେଶ୍ୱର : ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ ପ୍ରଚଳିତ ପକସୋ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବାର ସମୟ ଆସିଛି । ୨୦୧୭ରୁ ୨୦୨୦ ଭିତରେ ଜାତୀୟ ସ୍ତରରେ ପକସୋ ମାମଲା ପଞ୍ଜୀକରଣ ହାର ୪୫ଭାଗ ବଢ଼ିଛି । ଶିଶୁଙ୍କ ସୁରକ୍ଷା ପାଇଁ ଏବେ ବି ଅନେକ ଆହ୍ୱାନ ରହିଛି । ଏଥିପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ବୃଦ୍ଧି ନିହାତି ଜରୁରୀ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଛନ୍ତି ।
ପକସୋ ଆଇନ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଶିଶୁ ଯୌନ ନିର୍ଯାତନା ଓ ଶୋଷଣର ବିଲୋପ ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ କଲଚରାଲ ସେଣ୍ଟର(ପିକକ୍), ଏନଏସିଜି ଇଭିଏସି ଇଣ୍ଡିଆ, ୱାର୍ଲଡ଼ ଭିଜନ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଥିଲେ ଯେ ଶିଶୁଙ୍କ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଅଧିକାଂଶ କ୍ଷେତ୍ରରେ ନିଜ ପରିବାରରୁ ଶିଶୁମାନେ ନିର୍ଯାତିତ ଓ ଶୋଷିତ ହେଉଥିବା ଅଭିଯୋଗ ଆସୁଛି । ଶିଶୁଙ୍କ ସୁରକ୍ଷା ପାଇଁ ଆମ ମାନସିକତାରେ ପରିବର୍ତ୍ତନ ଆଣିବା, ସେମାନଙ୍କ ଗୁଣାତ୍ମକ ବିକାଶ ପ୍ରତି ଧ୍ୟାନ ଦେବା ସହିତ ସଚେତନତା ଅଭିଯାନ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ରହିଛି ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଥିଲେ ଯେ ବିଏମସିକୁ ଶିଶୁଙ୍କ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରହିଛି । ରାସ୍ତାଘାଟରେ ଶିଶୁଙ୍କୁ ଭିକ୍ଷାବୃତ୍ତିରେ ବିନିଯୋଗ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଶେଷ କରି ଘରେ, ବାହାରେ, ବିଦ୍ୟାଳୟରେ ଶିଶୁଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ପକସୋ ଆଇନରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ଏଥିନେଇ ମାମଲା ସଂଖ୍ୟା ବଢ଼ୁଥିବାରୁ ତ୍ୱରିତ ଫଇସଲା ପାଇଁ ରାଜ୍ୟରେ ୨୧ଟି ପକସୋ କୋର୍ଟ ଖୋଲାଯାଇଛି । ଗ୍ରାମ୍ୟ ସ୍ତରରେ ପ୍ରସ୍ତାବିତ ଶିଶୁ ସୁରକ୍ଷା କମିଟି ଗଠନ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ ଶିଶୁଙ୍କୁ ସୁରକ୍ଷା ବଳୟରେ ରଖିବାର ଆବଶ୍ୟକତା ରହିଛି ।
ଏନଏସିଜି-ଇଭାକର ଅଧ୍ୟକ୍ଷ ରଞ୍ଜନ ମହାନ୍ତି ପକ୍ସୋ ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ଭିତରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଘଟିଥିବା ଅଗ୍ରଗତି ଓ ସେଥିରେ ସରକାରୀ- ବେସରକାରୀ ସଙ୍ଗଠନର ଭୂମିକା ଉପରେ ଆଲୋକପାତ କରିଥିଲେ । ୱାର୍ଲଡ ଭିଜନ ଇଣ୍ଡିଆର ପ୍ରୋଗ୍ରାମ ମ୍ୟାନେଜର ଭି ନିତା ମାରିଆ ସତିଶ ପକସୋ କାର୍ଯ୍ୟକାରିତାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ପକସୋ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆହ୍ୱାନ ଓ ସୁଯୋଗ ବିଷୟବସ୍ତୁ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଏନଏସିଜି ଓଡ଼ିଶା ଚାପ୍ଟର ଆବାହକ ପ୍ରକାଶ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା, ଓସେପା ଯୁଗ୍ମ ନିର୍ଦେଶିକା ରାଜଶ୍ରୀ ପଟ୍ଟନାୟକ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଶିଶୁ ଅଧିକାର କେନ୍ଦ୍ରର ପ୍ରମୋଦ ଆଚାର୍ଯ୍ୟ, ପିକକ୍ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ବିଦ୍ୟାଳୟରେ ଶିଶୁଙ୍କସୁରକ୍ଷା ଓ ନିର୍ଯାତନାରୁ ରକ୍ଷା ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ, ଶିକ୍ଷକଙ୍କୁ ତାଲିମ , ଜନସଚେତନତା ସୃଷ୍ଟି, ଠିକଣା ସମୟରେ ପୀଡ଼ିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ, ମହିଳା ଓ ଶିଶୁ ବିଭାଗ ସମେତ ଶିକ୍ଷା ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ତଥା ଅନଲାଇନରେ ଶିଶୁଙ୍କୁ ବିପତ୍ତିରୁ ରକ୍ଷା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଅପରାହ୍ନ ଅଧିବେଶନରେ ଓଏସସିପିସିଆର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର , ମେ ଆଇ ହେଲ୍ପ ୟୁ’ର ଉର୍ବାଚକ ମହାନ୍ତି, ଭିଏଚଏଆଇ ପକ୍ଷରୁ ଦେବାନନ୍ଦ ମହାନ୍ତ,ଆଦର୍ଶର ପ୍ରଦୀପ ବେହେରା , ପକ୍ସୋ ଏବଂ ସାମାଜିକ ଅନୁଷ୍ଠାନର ଭୂମିକା ଉପରେ ଆଲୋଚନା କରିଥିଲେ । ପିକକ୍ର ଚନ୍ଦନ କୁମାର ନାୟକ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।