ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀ ସଂଖ୍ୟା ବୃଦ୍ଧି ନକଲେ ରାଜ୍ୟରେ ଥିବା କମନ ସର୍ଭିସ ସେଣ୍ଟର (ସିଏସ୍ପି)ରେ ବ୍ୟାଙ୍କ୍ କାରବାରକୁ ଅନୁମତି ମିଳୁନାହିଁ । ଏହି ସେବା ଯୋଗାଉଥିବା ସଂସ୍ଥାଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଲୋକେ ହଇରାଣ ହରକତ ହୋଇଛନ୍ତି ।
ଗାଁ ଗହଳର ଲୋକଙ୍କ ହାତ ପାଆନ୍ତାରେ ବ୍ୟାଙ୍କ୍ ସେବା ଯୋଗାଇ ଦେବାପାଇଁ ସିଏସ୍ପି ଖୋଲିଛି । ଏଠାରେ ଆର୍ଥିକ କାରବାର ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଯଥା ଅଟଳ ପେନ୍ସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ହିତାଧିକାରୀଙ୍କୁ ସାମିଲ ଭଳି କାର୍ଯ୍ୟପାଇଁ ଅନୁମତି ରହିଛି । ତେବେ ଦିନକୁ ଦିନ ସିଏସ୍ପିଗୁଡିକରେ ସାମାଜିକ ସୁରକ୍ଷାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ପୂର୍ବ ଭଳି ବୃଦ୍ଧି ପାଉନାହିଁ ।
ଏ ସଂକ୍ରାନ୍ତରେ ସିଏସ୍ପିଗୁଡିକର ମତ ହେଉଛି ଯେ ପ୍ରଥମରୁ ବହୁ ସଂଖ୍ୟାରେ ଲୋକେ ଏହିସବୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇସାରିଛନ୍ତି । ଏହାଛଡା ବର୍ତ୍ତମାନ କେତେକ ସାମାଜିକ ସୁରକ୍ଷା ଯୋଜନାରେ ମାସକ ଦେୟ ବୃଦ୍ଧି ପାଇଛି । ଯେଭଳିକି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ପୂର୍ବରୁ ମାସକୁ ୩୩୦ ଟଙ୍କା ଦେବାକୁ ପଡୁଥିବାବେଳେ ଚଳିତବର୍ଷ ଜୁନ୍ ମାସରୁ ତାହାକୁ ୪୩୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଦେୟ ୧୨ ରୁ ୨୦ ଟଙ୍କାକୁ ବଢିଛି ।
ଗୋଟିଏ ପଟେ କରୋନା ପରବର୍ତ୍ତୀ ସମୟରେ ଗାଁ ଗହଳର ଲୋକେ ବୀମାରାଶି ବାବଦରେ ଅଧିକ ଅର୍ଥ ବ୍ୟୟ ପାଇଁ ମଙ୍ଗୁନଥିବାବେଳେ ଯେଉଁମାନଙ୍କର ବିଭିନ୍ନ ବ୍ୟାଙ୍କ୍ ଶାଖାରେ ଆକାଉଣ୍ଟ ରହିଛି ସେମାନେ ସେଠାରେ ଯୋଜନାରେ ସାମିଲ ହେବାକୁ ପସନ୍ଦ କରୁଛନ୍ତି ।
ହେଲେ ମାର ମାର ଭଣ୍ଡାରିଆରୁ ମାର୍ ନୀତିରେ ଏବେ ସିଏସ୍ପିଗୁଡିକରେ ଅର୍ଥ ଦେଣ ନେଣକୁ ଆଜି ହଠାତ୍ ବନ୍ଦକରି ଦିଆଯାଇଛି । ଲୋକେ ଟଙ୍କା ଜମା କିମ୍ବା ଉଠାଣ କରିପାରୁ ନାହାନ୍ତି । କେବଳ ପାସ୍ବୁକ୍ ଅପଡେଟ୍ ସୁବିଧା ଯୋଗାଉଛନ୍ତି । ଫଳରେ ନିଜ ଘର ପାଖରେ ବ୍ୟାଙ୍କ୍ ସୁବିଧା ପାଉଥିବା ଲକ୍ଷ ଲକ୍ଷ ଲୋକ ଆଜି ରାଜ୍ୟର ବିଭିନ୍ନ ସିଏସ୍ପି ପଏଣ୍ଟକୁ ଆସି ଫେରିବାରେ ଲାଗିଛନ୍ତି ।
ଏ ନେଇ ସିଏସ୍ପି ପରିଚାଳକମାନେ ନାଚାର ଥିବାବେଳେ ସେବାଯୋଗାଣକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ କିଛି କରିପାରୁ ନାହାନ୍ତି । ଉପରୁ ଏଭଳି କଟକଣା ଜାରି ହୋଇଥିବା କହି ସେମାନେ ନିଜ ମୁଣ୍ଡରୁ ଦୋଷ ଖସାଇବାରେ ଲାଗିଛନ୍ତି । ବର୍ତ୍ତମାନ ଗାଁ ଗହଳରେ ଚାଷବାସ ପାଇଁ ଅର୍ଥ ଆବଶ୍ୟକ ପଡୁଥିବାରୁ ରାଜ୍ୟ ଅର୍ଥ ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗାଁ ଗହଳରେ ସିଏସ୍ପିରେ ଆର୍ଥିକ କାରବାର ପୁନଃ ଚାଲୁ କରିବାକୁ ଦାବି ହେଉଛି । (ତଥ୍ୟ)