Home General ପୂର୍ବତଟ କରିଡରକୁ ମଞ୍ଜୁରୀ ମିଳିନି

ପୂର୍ବତଟ କରିଡରକୁ ମଞ୍ଜୁରୀ ମିଳିନି

ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରସ୍ତାବିତ ପୂର୍ବତଟ ମାଲପରିବହନ କରିଡର ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମିଳିନାହିଁ ।

ରେଳବାଇ ପକ୍ଷରୁ ପୂର୍ବ ଉପକୂଳରେ ୪୪ହଜାର କୋଟି ଟଙ୍କାର ବ୍ୟୟରେ ୧୧୦୦ କିଲୋମିଟରର ସମ୍ପୂର୍ଣ୍ଣ ନୂତନ ମାଲପରିବହନ କରିଡର ପାଇଁ ଯୋଜନା ହୋଇଥିଲା । ଏହା ଆନ୍ଧ୍ରପ୍ରଦେଶର ବିଜୱାଡା ଠାରୁ ପଶ୍ଚିମବଙ୍ଗର ଖଡଗପୁର ପର୍ଯ୍ୟନ୍ତ ହେବ ବୋଲି ୨୦୧୯-୨୦ ବର୍ଷରେ କୁହଯାଇଥିଲା । ତେବେ ନିକଟରେ ଏହି ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମିଳିନଥିବା ରେଳମନ୍ତ୍ରୀ ସ୍ୱୀକାର କରିଛନ୍ତି ।

ଏହି ପ୍ରସ୍ତାବିତ ମାଲପରିବହନ କରିଡର ଦେଶର ଖଣିଜ ସମ୍ପଦ ଥିବା ଅଞ୍ଚଳ ସହିତ ଦକ୍ଷିଣରେ ଥିବା ଶିଳ୍ପଗୁଡିକୁ ସଂଯୋଗ କରିବ । ଏହି କରିଡର ଜରିଆରେ ବାର୍ଷିକ ୨୦୦ ନିୟୁତ ଟନ୍‍ ମାଲପରିବହନ ପାଇଁ ଲକ୍ଷ୍ୟ ଥିବାବେଳେ ଖଣିଜ ସମ୍ପଦ ଭରା ଓଡିଶା ପାଇଁ ଏହା ବେଶ୍‍ ସହାୟକ ହୋଇଥାନ୍ତା । ଉଲ୍ଲେଖନୀୟ ଯେ ପୂର୍ବତଟନ ରେଳବାଇ ୨୦୨୧-୨୨ ବର୍ଷରେ ସର୍ବାଧିକ ମାଲ ପରିବହନ ସହ ରେକର୍ଡ ସୃଷ୍ଟି କରିଛି । ପୂର୍ବତଟ ରେଳବାଇଁ ୨୦୨୧-୨୨ ବର୍ଷରେ ୨୩୨.୧୩ ନିୟୁତ ଟନ୍‍ ମାଲ ବୋଝେଇ କରିଥିବାବେଳେ ପୂର୍ବ ଆର୍ଥିକ ବର୍ଷରେ ଏହା ୨୦୪.୯୦ ନିୟୁତ ଟନ୍‍ ଥିଲା । ସେହଭଳି ପୂର୍ବବର୍ଷ ତୁଳନାରେ ଗତ ଆର୍ଥିକ ବର୍ଷରେ ପୂର୍ବତଟ ରେଳବାଇ ୨୭.୨୩ ନିୟୁତ ଟନ୍‍ ଅଧିକ କାର୍ଗୋ ପରିବହନ କରିଥିଲା ।

ଏଭଳି ସ୍ଥିତିରେ ପୂର୍ବତଟ ମାଲ ପରିବହନ କରିଡର ବେଶ୍‍ ଲାଭଦାୟକ ହୋଇଥାନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି କରିଡର ଲାଗି ସର୍ଭେ ଏବଂ ଡିପିଆର ଲାଗି ପ୍ରସ୍ତୁତି ଚାଲିଛି । ସର୍ଭେ ଡିପିଆର ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଏହି କରିଡରକୁ ମଞ୍ଜୁରୀ ମିଳିନଥିବା କେନ୍ଦ୍ର ରେଳମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ନୂତନ କରିଡରକୁ ମଞ୍ଜୁରୀ ଦେବା ବିଭିନ୍ନ ଦିଗ ଯଥା ଡିପିଆର ତଥ୍ୟ, ଆର୍ଥିକ ଦୃଷ୍ଟିକୁ ଲାଭଦାୟକ ଏବଂ ଅର୍ଥ ବ୍ୟବସ୍ଥା ଉପରେ ନିର୍ଭର କରୁଛି ।

ଅନ୍ୟ ଏକ ପ୍ରଶ୍ନରେ ରେଳମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ଓ ଭଦ୍ରାଚଳମ ମଧ୍ୟରେ ରେଳ ସଂଯୋଗ ପାଇଁ ଓଡିଶା ସରକାର ଅନୁରୋଧ କରିଛନ୍ତି । ଏଥି ସହିତ ରାଜ୍ୟ ସରକାର ନବରଙ୍ଗପୁର ରୁ ଜୁନାଗଡ ପର୍ଯ୍ୟନ୍ତ ସଂଯୋଗ ଲାଗି କହିଛନ୍ତି । ମାଲକାନଗିରିରୁ ଭଦ୍ରାଚଳମ ପର୍ଯ୍ୟନ୍ତ ୧୫୦ କିଲୋମିଟର ଦୀର୍ଘ ଥିବାବେଳେ ନବରଙ୍ଗପୁରରୁ ଜୁନାଗଡ ୧୧୮ କିଲୋମିଟର ରହିଛି ।

ରେଳମନ୍ତ୍ରୀ କହିଛନ୍ତି ଯେ ଜୁନାଗଡରୁ ନବରଙ୍ଗପୁର ଏବଂ ମାଲକାନଗିରିରୁ ଭଦ୍ରାଳଚମ ନୂତନ ରେଳଲାଇନ୍‍ ଚୂଡାନ୍ତ ସ୍ଥାନ ସର୍ବେକ୍ଷଣ ପାଇଁ ମଞ୍ଜୁରୀ ମିଳିଥିବାବେଳେ ଏହା ଆଗେଇ ଚାଲିଛି । ତେବେ ଡିପିଆର ମିଳିଲା ପରେ ଏହି କାର୍ଯ୍ୟ ଆଗେଇବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । (ତଥ୍ୟ)