ଭୁବନେଶ୍ୱର : ମାଓବାଦୀମାନେ ପାଳନ କରିଥିବା ଶହୀଦ ସପ୍ତାହ ପ୍ରଥମ ଥର ପାଇଁ ବିନା ହିଂସାକାଣ୍ଡର ସହ ସମାପ୍ତ ହୋଇଛି । ପୂର୍ବ ବର୍ଷ ପରି ଚଳିତବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ସିପିଆଇ (ମାଓବାଦୀ) ପକ୍ଷରୁ ଦେଶରେ ଶହୀଦ ସପ୍ତାହ ପାଳନ ହୋଇଥିଲା । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏଥର ଶହୀଦ ସପ୍ତାହ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ କୌଣସି ଅଘଟଣ ବିନା ପାଳନ କରାଯାଇଛି ।
ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ମାଓବାଦୀମାନଙ୍କର ପ୍ରଭାବ ରହିଥିଲେ ମଧ୍ୟ ପ୍ରଥମ ଥର ପାଇଁ ବ୍ୟାନର / ପୋଷ୍ଟର ଲାଗିନଥିଲା କି ଗାଁରେ ମାଓବାଦୀଙ୍କ କୌଣସି ବୈଠକ, ଶହୀଦ ସ୍ତମ୍ଭ ଉଦଘାଟନ, ଗଛ କାଟି ଦ୍ୱାରା ରାସ୍ତା ଅବରୋଧ କିମ୍ବା ହିଂସାତ୍ମକ ଘଟଣା ଘଟି ନଥିଲା । ବିଗତ ବର୍ଷଗୁଡିକରେ, ଶହୀଦ ସପ୍ତାହରେ, ମାଓବାଦୀ କାର୍ଯ୍ୟକଳାପ ସ୍ପଷ୍ଟ ବାରିହୋଇ ପଡୁଥିଲା ।
ବିଭିନ୍ନ ଅଞ୍ଚଳରେ କେତେକ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ମାଓବାଦୀ ବିରୋଧୀ ଅଭିଯାନ ଯୋଗୁଁ ଚଳିତ ବର୍ଷ ସ୍ଥିତିରେ ବଡ ପରିବର୍ତ୍ତନ ଆସିଛି ଏବଂ ମାଓବାଦୀମାନେ ଶହୀଦ ସପ୍ତାହରେ ସେମାନଙ୍କର କୌଣସି କାର୍ଯ୍ୟକଳାପ କରିପାରିନଥିବା ସୁରକ୍ଷାବଳ ପକ୍ଷରୁ କୁହାଯାଇଛି ।