ଭୁବନେଶ୍ୱର : ରାଜ୍ୟରେ ମଇଁଷି ପାଳନ ପାଇଁ ଆଗ୍ରହ ନାହିଁ । ୨୦ତମ ପ୍ରାଣୀଧନ ଗଣନା ଅନୁଯାୟୀ ରାଜ୍ୟରେ ପାଖାପାଖି କୋଟିଏ ଗାଈଗୋରୁ ଥିବାବେଳେ ମଇଁଷିଙ୍କ ସଂଖ୍ୟା ୫ଲକ୍ଷ ବି ଟପୁନାହିଁ ।
ହୋଇଥିବା ସର୍ବଶେଷ ପଶୁଗଣନାର ତଥ୍ୟ ଅନୁଯାୟୀ ରାଜ୍ୟରେ ପାଖାପାଖି କୋଟିଏ ଗାଈଗୋରୁ ଥିବାବେଳେ ମଇଁଷିଙ୍କ ସଂଖ୍ୟା ୪ଲକ୍ଷ ୫୮ହଜାରରୁ ସାମାନ୍ୟ ଅଧିକ ରହିଛନ୍ତି । ଲୋକଙ୍କ ମଧ୍ୟରେ ଗୋପାଳନ ପ୍ରତି ଆଗ୍ରହ ରହିଥିବାବେଳେ ମଇଁଷି ପାଳିବାକୁ ସେମାନେ ଆଗ୍ରହୀ ହେଉନାହାନ୍ତି । ଗୋପାଳନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ମୟୁରଭଞ୍ଜ ଜିଲ୍ଲା ।
ଏଠାରେ ଗାଈଗୋରୁଙ୍କ ସଂଖ୍ୟା ୬ଲକ୍ଷ ୭୩ହଜାରରୁ ଅଧିକ ରହିଥିବାବେଳେ କେନ୍ଦୁଝରରେ ୬ଲକ୍ଷ ୨୬ହଜାର, ବାଲେଶ୍ୱରରେ ୬ଲକ୍ଷ ୨୨ହଜାର, କଟକର ୫ଲକ୍ଷ ୪୮ହଜାର ଓ ସୁନ୍ଦରଗଡରେ ୪ଲକ୍ଷ ୬୦ହଜାର ରହିଛି । ସବୁଠାରୁ କମ୍ ଅର୍ଥାତ୍ ଏକ ଲକ୍ଷରୁ କମ୍ ଗାଈଗୋରୁ ରହିଛନ୍ତି ଝାରସୁଗୁଡା ଜିଲ୍ଲାରେ ।
ତେବେ ଯେଉଁ ପରିମାଣରେ ଲୋକଙ୍କ ମଧ୍ୟରେ ଗୋପାଳନ ପାଇଁ ଆଗ୍ରହ ରହିଛି ଅନୁରୂପ ଆଗ୍ରହ ମଇଁଷି ପାଳନ ପାଇଁ ନାହିଁ । ରାଜ୍ୟରେ ମୋଟ୍ ୪,୫୮,୩୨୪ଟି ମଇଁଷି ଥିବାବେଳେ ଏଥି ମଧ୍ୟରେ ସର୍ବାଧିକ ୬୧ହଜାର କୋରାପୁଟରେ ରହିଛନ୍ତି । କନ୍ଧମାଳରେ ୪୮ହଜାର, ଗଜପତିରେ ୪୬ହଜାର, ରାୟଗଡାରେ ୪୮ହଜାର ମଇଁଷି ରହିଛନ୍ତି । ସବୁଠାରୁ କମ୍ ମାତ୍ର ୧୩୪୨ଟି ମଇଁଷି ବାଲେଶ୍ୱର ଜିଲ୍ଲାରେ ରହିଛି ।
ଅନୁରୂପ ଭାବେ ଏହି ପ୍ରାଣୀଧନ ଗଣନାରୁ ଜଣାପଡିଛି ଯେ ରାଜ୍ୟରେ ଛେଳିମାନଙ୍କ ସଂଖ୍ୟା ପ୍ରାୟ ୬୪ଲକ୍ଷ ଥିବାବେଳେ ୧୨ଲକ୍ଷ ୮୦ହଜାର ମେଣ୍ଢା, ଏକ ଲକ୍ଷ ୩୫ହଜାର ଘୁଷୁରୀ ଏବଂ ୨କୋଟି ୭୫ଲକ୍ଷ କୁକୁଡା ରହିଛନ୍ତି । ଏହି ଶେଷ ଗଣନାଟି ୨୦୧୯ ମସିହାରେ ରାଜ୍ୟ ସରକାର କରିଥିଲେ ।
ରାଜ୍ୟ ସରକାର ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଉଦ୍ୟମ ଜାରି ରଖିଥିବାବେଳେ ଏବେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି । ତେବେ ପ୍ରାଣୀଧନ ଚିକିତ୍ସା ଲାଗି ଔଷଧ ବାବଦରେ ଯେତିକି ଅର୍ଥ ବରାଦ ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ବ୍ୟୟ ହୋଇପାରୁ ନାହିଁ । ବିଗତ ତିନିଟି ଆର୍ଥିକ ବର୍ଷ ମଧ୍ୟରେ ଔଷଧ ବାବଦରେ ମୋଟ୍ ୧୬୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଏଥିରୁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ ।
ସେହିଭଳି ବିଗତ ତିନିବର୍ଷ ମଧ୍ୟରେ ପ୍ରାଣୀଧନ ଚିକିତ୍ସା ସାମଗ୍ରୀ ପାଇଁ ପାଖାପାଖି ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଏଥିରୁ ୫୯କୋଟି ଟଙ୍କା ବଳି ପଡିଛି । ରାଜ୍ୟରେ ପଶୁ ସମ୍ପଦ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବରାଦ ହେଉଥିବା ଅର୍ଥରୁ ଏତେ ପରିମାଣ କିଭଳି ବଳକା ହେଉଛି ତାହା ଏବେ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)