Home Administration ୱାଟକୋର ଦୁର୍ବଳ ଗ୍ରାହକସେବା

ୱାଟକୋର ଦୁର୍ବଳ ଗ୍ରାହକସେବା

ଭୁବନେଶ୍ୱର : ରାଜଧାନୀରେ ଜଳ ଯୋଗାଣ ଦାୟିତ୍ୱରେ ଥିବା ୱାଟକୋର ଗ୍ରାହକସେବା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ । ଜନସାଧାରଣଙ୍କ ପାଇଁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବରରେ ଗ୍ରାହକ ସେବାକେନ୍ଦ୍ର ଅଧିକାରୀଙ୍କ ସହିତ ସିଧାସଳଖ କଥା ହେବାର ବ୍ୟବସ୍ଥା ଥିବାବେଳେ ସେବାକେନ୍ଦ୍ରରେ କିନ୍ତୁ କେହି ଅଧିକାରୀ ନାହାନ୍ତି ।

ସହରବାସୀଙ୍କୁ ୨୪ଘଣ୍ଟିଆ ଜଳଯୋଗାଣ ପ୍ରତିଶ୍ରୁତି ଦେଉଥିବା ୱାଟକୋ କୌଣସି ସମସ୍ୟାର ସମାଧାନ ପାଇଁ ୧୫୫୩୫୯ ଟ୍ରୋଲ ଫ୍ରି ନମ୍ବର ଜାରି କରିଛି । ଏହି ନମ୍ବରରେ ଫୋନ୍‍ କରୁଥିବା ବ୍ୟକ୍ତିଙ୍କୁ ଓଡିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ସ୍ୱାଗତ କରାଯିବା ପରେ ସେମାନଙ୍କୁ ଅଭିଯୋଗ ଦରଜ ପାଇଁ କୁହାଯାଉଛି । ତେବେ ଯେଉଁମାନେ ଅନ୍‍ଲାଇନ୍‍ରେ ଅଭିଯୋଗ ନକରିବେ ସେମାନେ ସିଧାସଳଖ ଭାବେ ଗ୍ରାହକସେବା କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା ପାଇଁ ଫୋନ୍‍ରେ ଥିବା ୯ ନମ୍ବର ବଟମ ଚିପିବାକୁ କୁହଯାଉଛି । ହେଲେ ଏହାପରେ ଗ୍ରାହକସେବା କେନ୍ଦ୍ର ଅଧିକାରୀ ନାହାନ୍ତି ଓ ଅଭିଯୋଗର ଭଏସ ସେସେଜ ପଠାଇବାକୁ କୁହାଯାଉଛି ।

ଗ୍ରାହକଙ୍କ କହିବାକଥା ଯେ ଯଦି ଗ୍ରାହକସେବା କେନ୍ଦ୍ରରେ ଅଧିକାରୀ ନାହାନ୍ତି ତେବେ ଅଯଥାରେ କାହିଁକି ଏହି ବ୍ୟବସ୍ଥା ରଖାଯାଇଛି ଓ ଲୋକଙ୍କୁ ହଇରାଣ କରାଯାଉଛି । କେବଳ ଟୋଲ ଫ୍ରି ନମ୍ବରରେ ଏଭଳି ସମସ୍ୟା ନାହିଁ, ୱାଟ୍‍କୋ ୱେବସାଇଟ୍‍ରେ ଯେଉଁସବୁ ଅଞ୍ଚଳର ଯନ୍ତ୍ରୀ ଓ ଅଧିକାରୀମାନଙ୍କ ନମ୍ବର ରହିଛି ତାହାକୁ ଅପଡେଟ୍‍ କରାଯାଉ ନାହିଁ । ଫଳରେ ଯଦି ଜଣେ ହିତାଧିକାରୀ ସମସ୍ୟାରେ ପଡି କୌଣସି ଯନ୍ତ୍ରୀଙ୍କୁ ଫୋନ୍‍ କରୁଛନ୍ତି ସିଏ ଦାୟିତ୍ୱରେ ନଥିବା କହୁଛନ୍ତି । ଅନେକ ସମୟରେ ଦିଆଯାଇଥିବା ନମ୍ବରକୁ ଫୋନ୍‍ କଲେ କେହି ଉଠାଉ ନାହାନ୍ତି ।

ଅନ୍ୟ ପକ୍ଷରେ ୱାଟକୋ ପକ୍ଷରୁ ୨୪ଘଣ୍ଟିଆ ଜଳଯୋଗାଣ ସହିତ ନିୟମିତ ଜଳର ମାନ ପରୀକ୍ଷା ଓ ମିଟର ରିଡିଂ ଅନୁଯାୟୀ ଅର୍ଥ ଆଦାୟ ପାଇଁ ଦିଆଯାଉଥିବା ପ୍ରତିଶ୍ରୁତି ବି ପାଣିର ଗାର ହୋଇଛି । ଜଳର ମାନ ପରୀକ୍ଷା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟଙ୍କୁ ତାଲିମ ଦିଆଯାଉଥିଲେ ମଧ୍ୟ କୌଣସି ଠାରେ ଜଳ ପରୀକ୍ଷା ହେଉଥିବାର ଲକ୍ଷ୍ୟ କରାଯାଉ ନାହିଁ । ବ୍ୟବସ୍ଥା ଅନୁଯାୟୀ ଏହି ତାଲିମପ୍ରାପ୍ତ ମହିଳାମାନେ ଘରକୁ ଘର ବୁଲି ନିୟମିତ ଜଳର ମାନ ପରୀକ୍ଷା କରିବାକଥା ।

ସେହିଭଳି ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଜଳ କର ଆଦାୟ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ ସହିତ ବ୍ୟାଙ୍କ୍‍ର ପୋସ୍‍ ମେସିନ୍‍ ବି ଦିଆଯାଇଛି । ହେଲେ ରାଜଧାନୀର ଅଧିକାଂଶ ସ୍ଥାନରେ ଏମାନଙ୍କର ଦେଖାଦର୍ଶନ ମିଳୁନାହିଁ । କେଉଁଠାରେ ଚାରି ମାସରେ ତ ଆଉ କେଉଁଠାରେ ଏମାନେ ବର୍ଷକରେ ଥରେ ଆସି ଦେଖା ଦେଉଛନ୍ତି । ଫଳରେ ଜଳ କର ବାବଦରେ ରାଜ୍ୟ ରାଜକୋଷକୁ ନିୟମିତ ଭାବେ ଯେଭଳି ଅର୍ଥ ଆସିବାକଥା ତାହା ଆସିପାରୁ ନାହିଁ । (ତଥ୍ୟ)