Home Energy ବସ୍ତିରେ ମାତ୍ର ୨୧ହଜାର ବିଜୁଳି ସଂଯୋଗ

ବସ୍ତିରେ ମାତ୍ର ୨୧ହଜାର ବିଜୁଳି ସଂଯୋଗ

ଭୁବନେଶ୍ୱର : ବିଜୁଳି ବିଭାଗ ତାଲିକାରେ ରାଜଧାନୀର ୨୧ ହଜାର ବସ୍ତିବାସିନ୍ଦାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି । ତେବେ ରାତାରାତି ଜବରଦଖଲ ହୋଇ ଗଢି ଉଠୁଥିବା ବସ୍ତି ଓ ଘରଗୁଡିକୁ କିଏ କିଭଳି ବିଜୁଳି ଯୋଗାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି ।

ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନ କାଳରେ ଖୋଦ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବସ୍ତିବାସିନ୍ଦାଙ୍କୁ ବିଜୁଳି ଯୋଗାଣ ନେଇ ସୂଚନା ଦେଇଛନ୍ତି । ଏଥିରେ ଦର୍ଶାଯାଇଛି ଯେ ରାଜଧାନୀରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟିପିସିଓଡିଏଲ୍‍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ୍‍ ୨୧,୪୯୭ ବସ୍ତିବାସିନ୍ଦାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି ।

ତେବେ ସରକାରୀ ହିସାବରେ ରାଜଧାନୀରେ ସରକାରୀ ଖାତାରେ ୪୩୧ଟି ବସ୍ତି ଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ହଜାରେ ଟପିଲାଣି । ସେହି ଅନୁସାରେ ରାଜଧାନୀ ବସ୍ତିରେ ପ୍ରାୟ ଲକ୍ଷାଧିକ ପରିବାର ରହୁଛନ୍ତି । ଏହାବାଦ୍‍ ରାସ୍ତାକଡ, କନଜରଭେନ୍ସି ଆଦି ସ୍ଥାନରେ ବି ଜରଦଖଲ ହୋଇ ଘର ଗଢି ଉଠିଛି ।

ତେବେ ସମସ୍ତ ଘରକୁ ପ୍ରାୟତଃ ବିଜୁଳି ସଂଯୋଗ ହୋଇଛି । ଖାଲି ବିଜୁଳି ସଂଯୋଗ ନୁହେଁ, ଏଠାରେ ରହୁଥିବା ଲୋକଙ୍କ ଘରେ ଏସି, ଫ୍ରିଜ, କୁଲର ଆଦି ବି ରହିଛି । ଯଦି ବିଜୁଳି ବଣ୍ଟନକାରୀ ସଂସ୍ଥାର ଖାତାରେ ମାତ୍ର ୨୧,୪୯୭ଜଣ ବସ୍ତିବାସିନ୍ଦା ବିଜୁଳି ସଂଯୋଗ ନେଇଛନ୍ତି ତେବେ ଅନ୍ୟମାନେ କିଭଳି ବିଜୁଳି ସଂଯୋଗ ପାଇଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୋରାରେ ବିଜୁଳି ସଂଯୋଗ ନେବା ଧର୍ତ୍ତବ୍ୟ ଅପରାଧ ହୋଇଥିବାବେଳେ ଏହା ବିରୁଦ୍ଧରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ତେବେ ରାଜଧାନୀରେ ବସ୍ତି ଓ ଅନ୍ୟାନ୍ୟ ଜବରଦଖଲ ସ୍ଥାନରେ ଗଢି ଉଠିଥିବା ବେଆଇନ୍‍ ଘରକୁ ବିଜୁଳି ସଂଯୋଗ ପଛରେ ସ୍ଥାନୀୟ ବିଜୁଳି କର୍ମଚାରୀଙ୍କର ହାତ ରହୁଥିବା ଅଭିଯୋଗ ହେଉଛି । କାରଣ ସେମାନଙ୍କ ଅଜାଣତରେ ବିଜୁଳି ଖୁଣ୍ଟରୁ କିମ୍ବା ଅନ୍ୟ ସ୍ଥାନରୁ ବିଜୁଳି ସଂଯୋଗ ହେବା ସମ୍ଭବ ନୁହେଁ । ଏମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ଚୋରି ଚାଲୁଥିବାବେଳେ ବଣ୍ଟନକାରୀ ସଂସ୍ଥାର ଖାତାକୁ ଟଙ୍କାଟିଏ ରାଜସ୍ୱ ଆସୁନାହିଁ ।

ଅନ୍ୟ ପକ୍ଷରେ ବିଜୁଳି ଚୋରିକୁ ରୋକିବାପାଇଁ ରାଜଧାନୀରେ ଗୋଟିଏ ବିଜୁଳି ଥାନା ଥିବାବେଳେ ବିଜୁଳି ଚୋରଙ୍କ ସଂକ୍ରାନ୍ତରେ ସୂଚନା ଦେବାପାଇଁ ସାଧାରଣ ଲୋକଙ୍କୁ ଅପିଲ୍‍ କରାଯାଉଛି । ହେଲେ ବିଜୁଳି ଥାନା ପକ୍ଷରୁ କୌଣସି ସ୍ଥାନରେ ଚଢଉ ହେଉଥିବାର ଲକ୍ଷ୍ୟ କରାଯାଉ ନାହିଁ । ସାଧାରଣ ଲୋକେ ବି ଏହି ଥାନା ଉପରେ ଭରସି ପାରୁନାହାନ୍ତି ।

ରାଜଧାନୀରେ ଏବେ ବସ୍ତି ସଂଖ୍ୟା ଅନିୟନ୍ତ୍ରିତ ଭାବେ ଗଢି ଉଠୁଥିବାବେଳେ ଏହାର ପ୍ରମୁଖ କାରଣ ବେଆଇନ୍‍ ବିଜୁଳି ଓ ପାଣି ସଂଯୋଗ ବୋଲି କୁହାଯାଉଛି । ତେଣୁ ସରକାରୀ ଖାତା ବାହାରେ ବସ୍ତିରେ ଥିବା ଯେଉଁସବୁ ଘରେ ବିଜୁଳି ଆଲୁଅ ଜଳୁଛି ସେ ସଂକ୍ରାନ୍ତରେ ବିଜୁଳି ଥାନା ପକ୍ଷରୁ ଖୋଳତାଡ କରାଯିବା ସହିତ ବିଜୁଳି ବିତରଣ କମ୍ପାନୀ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)