ନୂଆଦିଲ୍ଲୀ : ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି କାର୍ମିକ, ସାଧାରଣ ଅଭିଯୋଗ, ପେନସନ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ କହିଛନ୍ତି । ସର୍ବନିମ୍ନ ସମୟ ମଧ୍ୟରେ ଅଭିଯୋଗକାରୀଙ୍କ ସନ୍ତୋଷ ମୁତାବକ ସମାଧାନ ପାଇଁ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଗୁରୁତ୍ୱକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି)ଙ୍କ ଦ୍ୱାରା ଜାରି ଓଏମ ଅନୁଯାୟୀ ନାଗରିକଙ୍କଠାରୁ ମିଳିଥିବା ଅଭିଯୋଗ ସମାଧାନ ନହେବା ଯାଏଁ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଗତ ବର୍ଷ, ଡିଏଆରପିଜି ସାଧାରଣ ଅଭିଯୋଗ ସମାଧାନର ସମୟସୀମା ସର୍ବାଧିକ ୪୫ ଦିନରୁ ୩୦ ଦିନକୁ ହ୍ରାସ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ସହ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପ୍ରଶାସନିକ ସଂସ୍କାର ଆଣି ନାଗରିକ ସନ୍ତୁଷ୍ଟି ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି । ବିଭିନ୍ନ ମାସିକ ପ୍ରଗତି (ସକ୍ରିୟ ପ୍ରଶାସନ ଓ ସମୟୋଚିତ କାର୍ଯ୍ୟାନ୍ୱୟନ) ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ସାଧାରଣ ଅଭିଯୋଗର ସ୍ଥିତି ସମୀକ୍ଷା କରୁଥିବା ମନ୍ତ୍ରୀ କହିଛନ୍ତି ।
ଜନ ସନ୍ତୁଷ୍ଟି ଓ ଅଭିଯୋଗର ସମୟୋଚିତ ସମାଧାନ ଏହି ଦୁଇଟି କାରଣ ପାଇଁ ୨୦୧୪ରେ ଏହି ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଅଭିଯୋଗ ମାମଲା ୧୦ ଗୁଣ ବୃଦ୍ଧି ହୋଇଛି ଓ ଏହା ସରକାରଙ୍କ ଉପରେ ନାଗରିକଙ୍କ ଆସ୍ଥାକୁ ପ୍ରତିଫଳିତ କରୁଛି । ୨୦୧୪ରେ ସାଧାରଣ ଅଭିଯୋଗ ସଂଖ୍ୟା ୨ ଲକ୍ଷ ଥିଲା ବେଳେ ୯୫ ପ୍ରତିଶତରୁ ଅଧିକ ମାମଲା ସମାଧାନ ସହ ଏବେ ଏହା ୨୨ ଲକ୍ଷରୁ ଅଧିକରେ ପହଞ୍ଚିଛି । ଧାଡିର ଶେଷରେ ଥିବା ବ୍ୟକ୍ତିଙ୍କ ନିକଟରେ ଜନକଲ୍ୟାଣକାରୀ ଯୋଜନାଗୁଡିକର ସୁଫଳ ପହଞ୍ଚାଇବା ମୋଦୀ ସରକାରଙ୍କ ମୂଳ ମନ୍ତ୍ର ବୋଲି ମନ୍ତ୍ରୀ କହିଛନ୍ତି ।
ସଦ୍ୟତମ ଆଦେଶ ଅନୁଯାୟୀ ସିପିଜିଆରଏଏମଏସରେ ପ୍ରାପ୍ତ ଅଭିଯୋଗ ସର୍ବାଧିକ ୩୦ ଦିନ ସମୟସୀମା ମଧ୍ୟରେ ସମାଧାନ ହେବ ଓ ମାମଲା ବିଚାରାଧୀନ/ନୀତିଗତ ସମସ୍ୟା ଆଦି କାରଣରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗ ସମାଧାନ ନହେଲେ ନାଗରିକଙ୍କୁ ଅନ୍ତରୀଣ/ଉପଯୁକ୍ତ ଜବାବ ପ୍ରଦାନ କରାଯିବ । ଅଭିଯୋଗଗୁଡିକର ଯଥାଶୀଘ୍ର ସମାଧାନ ପାଇଁ ସରକାର ପ୍ରୟାସ ଜାରି ରଖିଥିବାରୁ ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ଆଗେଇ ନେବାରେ ଏହା ସହାୟକ ହେବ ।
ସିପିଜିଆରଏଏମଏସ ୭.୦ ଦ୍ୱାରା ଅଭିଯୋଗ ସ୍ୱୟଂଚାଳିତ ଭାବେ ଡିଜିଟାଲ ଡ୍ୟାସବୋର୍ଡ ମାଧ୍ୟମରେ ଅଧିକ ତଥ୍ୟ ସହ ବରିଷ୍ଠ ଅଭିଯୋଗ ସମାଧାନ ଅଧିକାରୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବ । ୨୦୨୧ରେ ପ୍ରାୟ ୩୦,୨୩,୮୯୪ ଅଭିଯୋଗ ମିଳିଥିବା ବେଳେ (ସେଥିରୁ ୨୧,୩୫,୯୨୩ ସମାଧାନ ହୋଇଛି) ୨୦୨୦ରେ ୩୩,୪୨,୮୭୩ (୨୩,୧୯,୫୬୯ ସମାଧାନ ହୋଇଛି) ଓ ୨୦୧୯ରେ ୨୭,୧୧,୪୫୫ (୧୬,୩୯,୮୫୨ ସମାଧାନ) ଅଭିଯୋଗ ମିଳିଛି ।
ସଦ୍ୟତମ ନିର୍ଦ୍ଦେଶରେ ଡିଏଆରପିଜି ସମସ୍ତ ବିଭାଗରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରି ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ସେମାନଙ୍କୁ କ୍ଷମତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସାଧାରଣ ଅଭିଯୋଗ ସଂଖ୍ୟା ଆଧାରରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ ଆବଶ୍ୟକ ସଂଖ୍ୟକ ଜିଆରଓ ନିଯୁକ୍ତ ହୋଇପାରିବେ । ଅଭିଯୋଗ ସମାଧାନ ପରେ ନାଗରିକମାନେ ସେମାନଙ୍କ ମତାମତ ଦେଇପାରିବେ, ଅପିଲ ଦାଖିଲ କରିପାରିବେ, ସମାଧାନର ଗୁଣବତ୍ତା ସମ୍ପର୍କରେ ମତାମତ ଦେଇପାରିବେ, ବର୍ହିମୁଖୀ କଲସେଣ୍ଟର ଆରମ୍ଭ କରାଯାଇପାରିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ନାଗରିକମାନଙ୍କୁ କଲସେଣ୍ଟର ତରଫରୁ ମତାମତ ପାଇଁ ଯୋଗାଯୋଗ କରାଯିବ ।
ଅଭିଯୋଗ ସମାଧାନରେ ସନ୍ତୁଷ୍ଟ ନହେଲେ ନାଗରିକମାନଙ୍କୁ ଅପିଲ ଫାଇଲ କରିବାକୁ ସୁଯୋଗ ପ୍ରଦାନ କରାଯିବ ଓ କଲସେଣ୍ଟର ଦ୍ୱାରା ନାଗରିକମାନଙ୍କ ଠାରୁ ସଂଗୃହୀତ ମତାମତ ମନ୍ତ୍ରାଳୟ କିମ୍ବା ମତାମତ ସହ ସମ୍ପର୍କିତ ବିଭାଗକୁ ଜଣାଇ ଦିଆଯିବ ଓ ବ୍ୟବସ୍ଥାଗତ ଉନ୍ନତି କରାଯିବ ।
ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ଅଭିଯୋଗ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରାଳୟ/ବିଭାଗୀୟ ସଚିବ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଅଭିଯୋଗ ସମାଧାନ ପ୍ରକ୍ରିୟା ସମୀକ୍ଷା କରିବେ ବୋଲି ଡିଏଆରପିଜି ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ମନ୍ତ୍ରାଳୟ/ବିଭାଗଗୁଡିକ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ଅଭିଯୋଗଗୁଡିକୁ ନୀରିକ୍ଷଣ କରିବେ ।