ଭୁବନେଶ୍ୱର : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ରାଷ୍ଟ୍ରପତି ନିର୍ବାଚନରେ ଆଜି କଂଗ୍ରେସ ନିଷ୍ପତ୍ତି ବିରୁଦ୍ଧରେ ଭୋଟିଂ କରିଛନ୍ତି । ଏହା ରାଜ୍ୟ କଂଗ୍ରେସକୁ ଅକଳରେ ପକାଇଥିବା ବେଳେ ଘଟଣା ସଂକ୍ରାନ୍ତରେ ହାଇକମାଣ୍ଡଙ୍କୁ ଅବଗତ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିବା ବେଳେ କଂଗ୍ରେସ କିନ୍ତୁ ସମର୍ଥନ କରିବ ନାହିଁ ଓ ଏହାର ବିଧାୟକମାନେ ଭୋଟ ଦେବେ ନାହିଁ ବୋଲି ଖୋଲାଖୋଲି ଭାବେ କହିଥିଲେ । କଂଗ୍ରେସ କହିଥିଲା ଯେ ଏନ୍ଡିଏ ତାହାର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖୋଲାଖୋଲି ଭାବେ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଜଣେ ଭଲ ଲୋକ ଓ ତାଙ୍କ ପ୍ରତି ଆମର ଢ଼େର ସମ୍ମାନ ରହିଛି । ହେଲେ ସେ ଯେଉଁ ଚିନ୍ତାଧାରାରୁ ସମର୍ଥନ ପାଇଛନ୍ତି ତାହାକୁ ଆମେ ସମର୍ଥନ କରିପାରିବୁ ନାହିଁ । କଂଗ୍ରେସ ଜଣକୁ ପ୍ରାର୍ଥୀ ଭାବେ ଛିଡାକରି ଅନ୍ୟ ଜଣକୁ ଭୋଟ ଦେଲେ ତାହା ବେଇମାନୀ ହେବ ।
ହେଲେ ବିଜେଡି କିନ୍ତୁ ଦ୍ରୌପଦୀଙ୍କ ପାଇଁ ଆଗକୁ ଆସି କଂଗ୍ରେସର ଭୋଟ ଲୋଡିଥିଲା । ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସ ସଭାପତିଙ୍କଠାରୁ ଆରମ୍ଭ କରି ଜଣ ଜଣ କରି ବିଧାୟକଙ୍କୁ ଭେଟି ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ତେବେ କଂଗ୍ରେସ ଦଳୀୟ ଦ୍ୱାହି ଦେଇ ଭୋଟ ଦେବ ନାହିଁ ବୋଲି ନିଜ ଜିଦ୍ରେ ଅଟଳ ଥିଲା ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଯେହେତୁ ଦଳୀୟ ହ୍ୱିପ୍ ନଥାଏ । ତେଣୁ କଂଗ୍ରେସରୁ କେହି ହୁଏତ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ଭୋଟ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା । ତେବେ ମୋକିମ ଆଜି ଏହି ଆକଳନକୁ ସତ୍ୟ ପ୍ରମାଣିତ କରିଛନ୍ତି । ଭୋଟ ଦେଇସାରିବା ପରେ ଗଣମାଧ୍ୟମ ମୋକିମ କହିଛନ୍ତି ଯେ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ତାଙ୍କୁ ସାଙ୍ଗସାଥୀମାନେ ଅନୁରୋଧ କରିଥିଲେ । ନିଜ ବିବେକ ଓ ସାଙ୍ଗମାନଙ୍କ ଅନୁରୋଧକୁ ରକ୍ଷାକରି ଆଜି ସେ ଏହି ଭୋଟ ଦେଇଛନ୍ତି । ଯଦି ତାଙ୍କର ଖଣ୍ଡିଏ ଭୋଟ ପାଇଥିବା ପ୍ରାର୍ଥୀ ଦେଶର ରାଷ୍ଟ୍ରପତି ହୁଅନ୍ତି ତେବେ ସେ ନିଜକୁ ଗର୍ବ ଅନୁଭବ କରିବେ ।
ତେବେ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ପୂର୍ବରୁ ଦଳର ସମସ୍ତ ୯ଜଣ ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ସ୍ଥିର ହୋଇଥିଲା । ହେଲେ ଆଜି ଏଥିରେ କିଛିଟା ବ୍ୟତିକ୍ରମ ହୋଇଛି । ବିବେକ ଅନୁଯାୟୀ ଭୋଟ ଦେଇଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ । ହେଲେ ଶ୍ରୀ ମୋକିମ ଗଣମାଧ୍ୟମରେ ଯେଭଳି ବିବୃତି ଦେଇଛନ୍ତି ତାହା ଦଳୀୟ ହାଇକମାଣ୍ଡଙ୍କ ନଜରକୁ ଅଣାଯିବ । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ମୋକିମଙ୍କ ଏହି କ୍ରସ ଭୋଟିଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ହୋଇଛି ଯେ ଶ୍ରୀ ମୋକିମ ଦଳରେ ଅସନ୍ତୁଷ୍ଟ ଅଛନ୍ତି । (ତଥ୍ୟ)