ଭୁବନେଶ୍ୱର : ବିଧବା ଭତ୍ତା ମଞ୍ଜୁରୀ ସକାଶେ ବିଧବା ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର କିମ୍ବା ବାର୍ଷିକ ଆୟ ସଂକ୍ରାନ୍ତରେ ରାଜସ୍ୱ ନିରୀକ୍ଷକ ଅଥବା ତହସିଲଦାରଙ୍କ ରିପୋର୍ଟ ଆବଶ୍ୟକ ନୁହେଁ । ରାଜ୍ୟ ସରକାରଙ୍କ ୨୦୧୯ ବର୍ଷର ନିୟମ ଅନୁଯାୟୀ ମଧୁବାବୁ ପେନସନ ଯୋଜନା ଲାଗି ଏହି ବ୍ୟବସ୍ଥା ରହିଛି ।
ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଧବା ଭତ୍ତା ଲାଗି ଆରଆଇ କିମ୍ବା ତହସିଲଦାରଙ୍କଠାରୁ ରିପୋର୍ଟ ଆବଶ୍ୟକ ହେଉନଥିବା ବେଳେ ଏଥିନିମନ୍ତେ ଆବେଦନକାରୀ ଦେଇଥିବା ନିଜସ୍ୱ ଘୋଷଣାନାମା ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ୍ ଓ ପୌରସଂସ୍ଥା ଅଧିକାରୀଙ୍କ ଦ୍ୱାରା ନିରୀକ୍ଷଣ ହୋଇ ଭତ୍ତା ଆବେଦନ ପତ୍ର ସହ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇପାରିବ । ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ବିଭାଗୀୟ ୱେବସାଇଟରେ ମଧ୍ୟ ରହିଛି ।
ଶ୍ରୀ ସେଠୀଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ଗ୍ରାମପଞ୍ଚାୟତ ଅଧିନସ୍ଥ କୁଣ୍ଡେଇ ଗ୍ରାମର ବିଧବା ଆଦିବାସୀ ମହିଳାଙ୍କୁ ବିଧବା ଭତ୍ତା ପାଇଁ ଦରଖାସ୍ତକୁ ଉପଜିଲ୍ଲାପାଳଙ୍କ ଦପ୍ତରରୁ ଫେରାଇ ଦିଆଯିବା କଥା ସତ୍ୟ ଅଟେ । ପେନସନ ଆବେଦନ ଫର୍ମ ସହିତ ସଂଯୋଗ କରାଯାଇଥିବା ବିପିଏଲ କାର୍ଡର ନକଲରେ ଆବେଦନକାରୀଙ୍କ ନାମ ଉଲ୍ଲେଖ ନଥିଲା କିମ୍ବା ଆବେଦନକାରୀ ନିଜର ସଠିକ୍ ବିପିଏଲ୍ କାର୍ଡ ଅଥବା ଆୟ ସଂକ୍ରାନ୍ତୀୟ ନିଜସ୍ୱ ଘୋଷଣା ପ୍ରମାଣପତ୍ର ଆଣି ଦାଖଲ କଲେ ତାହା ନିରୀକ୍ଷଣ କରାଯାଇ ପୁନର୍ବାର ଉପଜିଲ୍ଲାପାଳଙ୍କ ନିକଟକୁ ସୁପାରିସ୍ କରାଯାଇପାରିବ । ତେବେ ଏଥିରେ କୌଣସି କର୍ମଚାରୀଙ୍କ ତ୍ରୁଟି ପରିଲକ୍ଷିତ ହୋଇନଥିବା ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।
ସେହିଭଳି ଭତ୍ତା ସଂକ୍ରାନ୍ତରେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଜାତୀୟ ସାମାଜିକ ସହାୟତା ଯୋଜନା ଅଧୀନରେ ଭିନ୍ନକ୍ଷମମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯାଉଛି । ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ମଞ୍ଜୁରପ୍ରାପ୍ତ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରେ କହିଛନ୍ତି । (ତଥ୍ୟ)