Home Infrastructure ଅବଢା ଯୋଜନାରେ ୫୪୪କୋଟି ଖର୍ଚ୍ଚ

ଅବଢା ଯୋଜନାରେ ୫୪୪କୋଟି ଖର୍ଚ୍ଚ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ଧାମର ବିକାଶ ପାଇଁ ରାଜ୍ୟ ସରକାର ଅବଢା ଯୋଜନାରେ ୨୦୨୧-୨୨ ବର୍ଷରେ ୫୪୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ପୂର୍ତ୍ତ ବିଭାଗର ଷ୍ଟାଣ୍ଡିଂ କମିଟିରେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ଅବଢା ଯୋଜନା ୨୦୧୭-୧୮ ବର୍ଷରେ ଆରମ୍ଭ ହୋଇଥିବାବେଳେ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଐତିହ୍ୟ ସହର ପୁରୀର ବିକାଶ । ଫନି ବାତ୍ୟାରେ ପୁରୀ ସହର ଧ୍ୱସ୍ତ ବିଧ୍ୱସ୍ତ ହେବାପରେ ରାଜ୍ୟ ସରକାର ଏହାକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ଘୋଷଣା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ଆଖପାଖରେ ରାଜ୍ୟ ସରକାର ଏକାଧିକ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ଏହି ସମସ୍ତ ଯୋଜନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ କାର୍ଯ୍ୟକାରୀ ହେଉଛି ।

୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ୯୭.୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ଚାରି ଲେନ୍‍ ବିଶିଷ୍ଟ ୧୯.୩ କିଲୋମିଟର ରାସ୍ତାକାମ ହାତକୁ ନିଆଯାଇଥିଲା । ଏଥିରେୁ ୨୮.୫୪କୋଟି ଟଙ୍କାରେ ୮.୬୬କିଲୋମିଟର ରାସ୍ତା ନିର୍ମାଣ ହୋଇଛିା ସେହିଭଳି ୨୦୨୧-୨୨ ଆର୍ଥିକବର୍ଷରେ ୫୪୪.୫୭କୋଟି ଟଙ୍କାର ବଜେଟ୍‍ ବ୍ୟବସ୍ଥା ହୋଇଥିବାବେଳେ ଏଥିରୁ ୫୪୪.୫୬କୋଟି ଟଙ୍କା ବ୍ୟୟ ହୋଇଛି । ତେବେ ମୁଖ୍ୟତଃ ଏହି ଅର୍ଥ ଜମି ଅଧିଗ୍ରହଣ ବାବଦରେ ବ୍ୟୟ ହୋଇଥିବା ଜଣାଯାଇଛି । ଏହାବାଦ ୯.୬୨ କୋଟି ଟଙ୍କା ବ୍ୟୟରେ ୨.୦୯ କିଲୋମିଟର ରାସ୍ତାର ବିକାଶ ହୋଇଛି ।

ଏଥିସହିତ ମଙ୍ଗଳା ନଈ ଉପରେ ପୋଲ ନିର୍ମାଣ ପାଇଁ ୮୨.୨୨ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଜାରିହୋଇଛି ଯାହାକି ପୁରୀର ଷ୍ଟର୍ଲିଂ ରିସୋର୍ଟ ଠାରୁ ସାମୁକା ବିଚ୍‍ ପ୍ରକଳ୍ପ ପର୍ଯ୍ୟନ୍ତ ସଂଯୋଗ କରିବ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବଢା ଯୋଜନାରେ ୧୩୨୪.୯୨କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଅନୁରୂପ ଭାବେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ଏକାମ୍ର ଯୋଜନାରେ ଜମି ଅଧିଗ୍ରହଣ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହି ଯୋଜନାରେ ୨୦୨୨-୨୩ବର୍ଷ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଅନୁରୂପ ଭାବେ ରାଜ୍ୟ ସରକାର ସମ୍ବଲପୁରର ସମଲାଇ ମନ୍ଦିରର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ‘ସମଲାଇ’ ଯୋଜନାରେ ୨୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ୨୦୨୧-୨୨ବର୍ଷରେ ଏହି ଅର୍ଥ ବ୍ୟୟ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଆହୁରି ୨୦୦ କୋଟି ଟଙ୍କା ବରାଦ ହୋଇଛି ।

ସେହିଭଳି ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩୭.୭୦ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗା ଠାରୁ କାକଟପୁର ପର୍ଯ୍ୟନ୍ତ ୬ଲେନ୍‍ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି । ଅନୁରୂପ ଭାବେ ପୂର୍ତ୍ତ ବିଭାଗ ପକ୍ଷରୁ ମା’ ତାରା ତାରିଣୀ ପୀଠର ବିକାଶ ପାଇଁ ୨୪.୮୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୫.୮୭କୋଟି ଟଙ୍କା ବ୍ୟୟରେ ଗଞ୍ଜାମର ସମରଝୋଲା ହ୍ରଦର ବିକାଶ କାର୍ଯ୍ୟ ଜାରି ରହିଛି । ଗତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୨-୨୩ବର୍ଷରେ ଆଉ ୧୫୦ କୋଟି ଟଙ୍କା ବରାଦ ହୋଇଛି । (ତଥ୍ୟ)