Home Agriculture ସାର ଅଭାବକୁ ନେଇ ଉଦବେଗ

ସାର ଅଭାବକୁ ନେଇ ଉଦବେଗ

ଭୁବନେଶ୍ୱର : ସାରର ଅଭାବ ଓ ପଡୋଶୀ ରାଜ୍ୟକୁ ଚାଲାଣ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଏ ସଂକ୍ରାନ୍ତରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ମୂଳ ପ୍ରଶ୍ନ ଉପରେ ବିଜେଡି ସଦସ୍ୟ ଭୂପିନ୍ଦର ସିଂହ, ବିଜେପି ସଦସ୍ୟ ଭାଷ୍କର ମଢେଇ, କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି, ଅଧିରାଜ ପାଣିଗ୍ରାହୀ, ବିଜେଡି ସଦସ୍ୟ ରୁଦ୍ର ପ୍ରସାଦ ମହାରଥୀ, ପ୍ରଦୀପ ଦିଶାରୀ, ନବଚରଣ ମାଝି ପ୍ରମୁଖ ଅତିରିକ୍ତ ପ୍ରଶ୍ନମାନ ପଚାରିଥବଲେ ।

ଶ୍ରୀ ସାଲୁଜା କହିଥିଲେ ଆବଶ୍ୟକ ପରିମାଣରେ ସାର ମିଳୁନାହିଁ । ସାରର ବ୍ୟାପକ କଳାବଜାର ହେଉଛି । ସଦସ୍ୟ ଭୂପିନ୍ଦର ସିଂହ କହିଥିଲେଯେ ସାର ପରିବହନ ପାଇଁ ଅଧିକ ରେଳ ଡବା ଯୋଗାଇ ଦେବାକୁ ମନ୍ତ୍ରୀ ରେଳବାଇ ସହିତ ଯୋଗାଯୋଗ କରନ୍ତୁ । କଳାହାଣ୍ଡିର ଜୁନାଗଡ ଓ କେସିଙ୍ଗାକୁ ସାର ପଠାଇବାକୁ ସେ ଦାବି କରିଥିଲେ । ସଦସ୍ୟ ଭାଷ୍କର ମଢେଇ କହିଥିଲେ ଯେ କର୍ମଚାରୀ ଅଭାବରୁ ମୟୁରଭଞ୍ଜ ଜିଲ୍ଲାରେ ସାର ଯୋଗାଣ ହୋଇପାରୁ ନାହିଁ । କଂଗ୍ରେସ ସଦସ୍ୟ ସୁରେଶକୁମାର ରାଉତରାୟ କହିଥିଲେ ଯେ କେବଳ ସାର ନୁହେଁ, ବିହନର ବି ଘୋର ଅଭାବ । ସରକାର ତୁରନ୍ତ ବିହନ ଯୋଗାଣ କରନ୍ତୁ । ପନିପରିବା ପାଇଁ ଜୈବିକ ସାରର ଢେର ଚାହିଦା ଥିବାବେଳେ ସରକାର ତାହା ଯୋଗାଇବାର ବ୍ୟବସ୍ଥା କରନ୍ତୁ ।

ସଦସ୍ୟ ପ୍ରଦୀପ ଦିସାରୀ କହିଥିଲେ ଯେ ଡିଲରମାନେ ଏବେ ସାର ସହିତ ତରଳ ୟୁରିଆ ଓ ଅନ୍ୟାନ୍ୟ ଭିଟାମିନ୍‍ କିଣିବାକୁ ବାଧ୍ୟ କରୁଛନ୍ତି । ସଦସ୍ୟ ରୁଦ୍ର ମହାରଥୀ କହିଥିଲେ ଯେ ପିପିଲି-ଡେଲାଙ୍ଗ ଅଞ୍ଚଳକୁ ଆବଶ୍ୟକ ସାର ଯୋଗାଣ ହେଉନଥିବାବେଳେ ସରକାର ଯୋଗାଇଥିବା ସାରଳା, ସ୍ୱର୍ଣ୍ଣ ଭଳି ବିହନ ଗଜା ହେଉନାହିଁ । ସଦସ୍ୟ ନବଚରଣ ମାଝି କହିଥିଲେ ଯେ ଓଡିଶାର ସାର ନବରଙ୍ଗପୁରରୁ ଝାଡଖଣ୍ଡକୁ ଚାଲାଣ ହୋଇ ଯାଉଛି । ସଦସ୍ୟ ତାରା ପ୍ରସାଦ ବାହିନିପତି କହିଥିଲେ ଯେ ଚାଷୀମାନେ ଯେଭଳି ଘର ପାଖରେ ସାର ପାଇବେ ସେଥିପାଇଁ ପଞ୍ଚାୟତରେ ସାର ଯୋଗାଣର ବ୍ୟବସ୍ଥା ସରକାର କରନ୍ତୁ ।

ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ବିଭିନ୍ନ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୪,୦୫,୯୯୯ ମେଟ୍ରିକ ଟନ୍‍ ସାର ଯୋଗାଣ ହୋଇଛି । ଏଥି ମଧ୍ୟରେ ୨,୦୫,୯୯୯ ମେଟ୍ରିକ ଟନ୍‍ ୟୁରିଆ, ୭୭,୬୭୧ ଟନ୍‍ ଡିଏପି, ୨୬,୬୯୮ ଟନ୍‍ ଏସଓପି ଏବଂ ୯୫,୬୩୮ ମେଟ୍ରିକ ଟନ୍‍ ଏନ୍‍ପିକେ ରହିଛି । ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଯେତିକି ସାର ଯୋଗାଉଛନ୍ତି ତାହାକୁ ଆବେ ବିଭିନ୍ନ ଜିଲ୍ଲାର ଆବଶ୍ୟକତାକୁ ଦେଖି ପଠାଯାଉଛି ।

ତେବେ ଗତ ପ୍ରାୟ ୫ବର୍ଷହେଲା ରାଜ୍ୟର ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଉ ନାହାନ୍ତି । ବର୍ତ୍ତମାନ ଋଷିଆ ଓ ବେଲାରୁସରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସେଠାରୁ ଆସିପାରୁ ନାହିଁ । ତେଣୁ ସାର ଯୋଗାଣ ପ୍ରଭାବିତ ହୋଇଛି । ରାଜ୍ୟ ବାହାରକୁ ସାରା ଚାଲାଣ ନେଇ ତଦରଖ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ କହିଥିବାବେଳେ ସଦସ୍ୟ ରୁଦ୍ର ମହାରଥୀ ଉଠାଇଥିବା ପ୍ରସଙ୍ଗର ସମାଧାନପାଇଁ ମନ୍ତ୍ରୀ ପଦକ୍ଷେପ ନେବାକୁ ବାଚସ୍ପତି ଶ୍ରୀ ଆରୁଖ ମନ୍ତ୍ରୀଙ୍କୁ କହିଥିଲେ ।