ଭୁବନେଶ୍ୱର : ହିତାଧିକାରୀମାନଙ୍କ ବ୍ୟାଙ୍କ୍ଖାତାକୁ ସିଧାସଳଖ ଭାବେ ବାର୍ଦ୍ଧକ୍ୟ, ବିଧବା ଭଳି ଭତ୍ତା ଅର୍ଥ ଆସିବାପରେ ଏବେ ବିଭିନ୍ନ ସ୍ଥାନରେ ଭତ୍ତା କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ବିଶେଷକରି ବହୁ ମୃତ ଲୋକଙ୍କ ନାଁରେ ଭତ୍ତା ଆସୁଥିବା ଓ ଏହାକୁ କେହି ଚଳୁ କରୁଥିବାର ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି ।
ଏଭଳି ବ୍ୟାପକ ଅଭିଯୋଗ ଏବେ ଜଗତ୍ସିଂହପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିବାରେ ଲାଗିଛି । ପୂର୍ବରୁ ପଞ୍ଚାୟତ ଦପ୍ତରରୁ ଲୋକେ ହାତରେ ଭତ୍ତା ଆଣୁଥିବାରୁ କିଏ ପାଉଛି କିଏ ନପାଉଛି ତାହା ସାଧାରଣ ଲୋକେ ଜାଣିପାରୁ ନଥିଲେ । ବିଶେଷକରି ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଭତ୍ତା ବନ୍ଦ ହୋଇଥିବ ଭାବି ଏଥିରେ ମୁଣ୍ଡ ଖେଳାଉନଥିଲେ । ହେଲେ ଚଳିତ ଏପ୍ରିଲ୍ ମାସରୁ ହିତାଧିକାରୀଙ୍କ ବ୍ୟାଙ୍କ୍ଖାତାକୁ ସିଧାସଳଖ ଭତ୍ତା ଆସିବା ପରେ ଏବେ ଭତ୍ତା କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି ।
ଜିଲ୍ଲାର ପଲ୍ଲୀ ପଞ୍ଚାୟତରେ ୨୦୨୦ରୁ ମୃତ୍ୟୁବରଣ କରିଥିବା ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରକେ ଦୁଇମାସର ଭତ୍ତା ଅର୍ଥ ଆସିଛି । ତାଙ୍କ ପରିବାର ଏହା ଜାଣିବା ପରେ ପୂର୍ବରୁ ଏହି ଅର୍ଥ ନିୟମିତ ଭାବେ ଆସୁଥିବା ଓ ଏହାକୁ କେହି ଆତ୍ମସାତ କରୁଥିବା ଆଶଙ୍କାରେ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିଭଳି ଆଉ ଜଣେ ବ୍ୟକ୍ତିଙ୍କ ନାଁରେ ଭତ୍ତା ଉଠୁଛି ଯିଏ କି ଇପିଏଫ୍ ପେନ୍ସନ ପାଉଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଏହା ଜାଣିବାପରେ ଏବେ ବିଡିଓଙ୍କୁ ଲିଖିତ ଭାବେ ଅବଗତ ପାଇଁ ପ୍ରସ୍ତୁତ ହେଉଛନ୍ତି ।
କେବଳ ମୃତ ବ୍ୟକ୍ତି ଭତ୍ତା ପାଉ ନାହାନ୍ତି, ଅନେକ ବୟସ୍କ ବ୍ୟକ୍ତି ଯେଉଁମାନେ କି ୨୦୦ ଟଙ୍କା ଅଧିକ ଅର୍ଥାତ୍ ୭୦୦ ଟଙ୍କା ପାଇବାକଥା ସେମାନଙ୍କ ହାତରେ ବି ୫୦୦ ଟଙ୍କା ଧରାଇ ଦିଆଯାଉଥିଲା । ଏବେ ଆକାଉଣ୍ଟକୁ ୭୦୦ ଟଙ୍କା ଆସିବାପରେ ସେମାନଙ୍କ ୨୦୦ ଟଙ୍କା ଚଳୁ ହେଉଥିବା ଆଶଙ୍କା କରୁଛନ୍ତି ।
ସେହିଭଳି କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ପଲ୍ଲୀ ପଞ୍ଚାୟତର ଯେଉଁ ହିତାଧିକାରୀମାନଙ୍କ ସୂଚନା ରହିଛି ସେଥିରେ ୬୦/୬୫ ବର୍ଷ ବୟସର ଲୋକଙ୍କ ୭୬/୮୦ କିମ୍ବା ଏହାଠାରୁ ଅଧିକ ବୋଲି ଦର୍ଶାଯାଉଛି । ତେବେ ଏହି ବ୍ୟକ୍ତିମାନେ ବର୍ଦ୍ଧିତ ଭତ୍ତା ପାଉଛନ୍ତି କି ନାହିଁ ତାହାର ଏବେ ଖୋଲତାଡ ଆରମ୍ଭ ହୋଇଛି । ପୂର୍ବରୁ ଜିଲ୍ଲାର ବଳରାମପୁର ପଞ୍ଚାୟତରେ ମଧ୍ୟ ଲକ୍ଷାଧିକ ଟଙ୍କାର ଭତ୍ତା କେଳେଙ୍କାରୀ ହୋଇଛି ।
ହାତରେ ଭତ୍ତା ଦିଆଯିବା ଯୋଗୁଁ ଅଧିକାଂଶ ସ୍ଥାନରେ ଏଭଳି ଭତ୍ତା କେଳେଙ୍କାରୀର ଆଶଙ୍କା ପ୍ରକାଶ କରାଗଲାଣି । ଯେଉଁସବୁ ପଞ୍ଚାୟତରେ ଏବେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଭତ୍ତା ଅର୍ଥ ଆସୁଛି ସେଠାରେ କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି ।
ଇତି ମଧ୍ୟରେ ସଦସ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ସ୍ଥାନରେ ସରପଞ୍ଚ ବଦଳିଛନ୍ତି । ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ପୂର୍ବ ଭଳି ନିଜ ନିଜ ସ୍ଥାନରେ ଦାୟିତ୍ୱ ତୁଲାଉଛନ୍ତି । ବର୍ତ୍ତମାନ ଏହି ଭତ୍ତା କେଳେଙ୍କାରୀର ବୋଝ କିଏ ମୁଣ୍ଡାଇବ ତାହାକୁ ନେଇ ଦୋଷ ଠେଲାଠେଲି ଆରମ୍ଭ ହୋଇଗଲାଣି । ନୂଆ ସରପଞ୍ଚମାନେ ଏ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେବାକୁ ସଜବାଜ ହେଉଥିବାବେଳେ କେତେକ ହିତାଧିକାରୀ ଏଭଳି ଦୁର୍ନୀତି ସଂକ୍ରାନ୍ତରେ ମାମଲା ରୁଜୁ ପାଇଁ ସଜବାଜ ହେଉଥିବା ସୂଚନା ମିଳୁଛି । (ତଥ୍ୟ)