Home General ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର

ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର

ଭୁବନେଶ୍ୱର : ସମଗ୍ର ଦେଶରେ ଆଜି ଓଡିଶା ‘ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବା‘ କ୍ଷେତ୍ରରେ କେନ୍ଦ୍ରସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି I

ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି I ଏହି ଅବସରରେ, ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି I ଏଥିସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଏବଂ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି I

ମୂଲ୍ୟାଙ୍କନ ଢାଞ୍ଚା ପାଇଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟିକରଣକୁ ଭିତ୍ତିଭୂମି କରି, ରେଙ୍କିଙ୍ଗ୍ ପ୍ରଦାନ କରାଯାଇଥିଲା I ରାଜ୍ୟରେ, ଡିସେମ୍ବର ୨୦୧୫ ଠାରୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ, ଏକ ଆମୁଳଚୁଳ ରୂପାନ୍ତରଣ କରାଯାଇଥିଲା I

ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଇଜ କରି, ୩.୨୫ କୋଟି ର ଏକ ବିଶାଳ ଡାଟାବେସ ତିଆରି କରାଯାଇଛି ଯାହା ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବପୋର୍ଟାଲରେ ଉପଲବ୍ଧ କରାଯାଇଛି I ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ତଥ୍ୟ ଗୁଡିକୁ ସଂଶୋଧନ କରିବା ନିମନ୍ତେ, ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌର କାର୍ଯ୍ୟାଳୟ ଗୁଡିକରେ, ସମୁଦାୟ ୩୭୮ ଗୋଟି ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡିକ ଖୋଲାଯାଇଛି I

ରାଜ୍ୟର ସମସ୍ତ ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକର କମ୍ପ୍ୟୁଟିକରଣ କରାଯାଇଛି I ଏହି ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକରୁ. ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁ ସିଧାସଳଖ ମାସିକ ୧.୮୭ ଲକ୍ଷ ମେଟ୍ରିକଟନ ଖାଦ୍ୟସାମଗ୍ରୀ, ସରକାରୀ ଖର୍ଚ୍ଚରେ ପରିବହନ କରି ପହଞ୍ଚାଇଦିଆଯାଉଛି I ସମସ୍ତ ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁରେ, ସ୍ୱୟଂଚାଳିତ ଇ-ପସ ମେସିନ ଜରିଆରେ, ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି I

ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନା ରାଜ୍ୟରେ ୨୦୨୧ ମସିହା ଜୁଲାଇ ମାସଠାରୁ ଲାଗୁ ହୋଇଛି। ଏହି ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଜଣେ ହିତାଧିକାରୀ ଦେଶର ଯେକୌଣସି ସୁଲଭମୂଲ୍ୟ ଦୋକାନରୁ ନିଜ ରାସନ ସାମଗ୍ରୀ ଉଠାଣ କରିପାରିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦,୫୭୮ ଗୋଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧,୧୦,୦୦୦ ପରିବାର ଉପକୃତ ହେଉଛନ୍ତି। ସେହିପରି, ୫୩୩ ଆନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି।

ଓଡିଶାର ମାଲକାନଗିରି ଜିଲ୍ଲାରେ ୨୦୨୧ ମସିହା ଜୁଲାଇ ମାସ ଠାରୁ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ଲାଗୁକରାଯାଇଛି। ଏହି କ୍ରମରେ ୧.୨୯ ଲକ୍ଷ ପରିବାରର ୪.୬୬ ଲକ୍ଷ ହିତାଧିକାରୀଙ୍କୁ ୩,୧୩୮ ମେଟ୍ରିକ ଟନ ପୃଷ୍ଟିକର ଚାଉଳ ପ୍ରତିମାସ ଯୋଗାଇ ଦିଆଯାଉଛି।

ଏହାଛଡା, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ, ସ୍କୁଲ ଯାଉଥିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନ (PM-POSHAN) ନିମନ୍ତେ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ, ଅତିରିକ୍ତ ପୃଷ୍ଟି ଯୋଜନା (Supplementary Nutrition Programme) ନିମନ୍ତେ ମଧ୍ୟ ଭିଟାମିନଯୁକ୍ତ ଚାଉଳ ଯୋଗାଇଦିଆଯାଉଛି ।