ଭୁବନେଶ୍ୱର : ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶାର ଅଭିବୃଦ୍ଧି ହାର ୮.୦ ରୁ ୮.୫ ପ୍ରତିଶତ ମଧ୍ୟରେ ରହିବାର ଆଶା କରାଯାଉଛି । ରାଜ୍ୟ ସରକାର ୨୦୨୨-୨୩ ବଜେଟ୍ ପ୍ରସ୍ତୁତ କରୁଥିବାବେଳେ ଏଭଳି ଅଭିବୃଦ୍ଧି ପାଇଁ ଯୋଜନା କରିଛନ୍ତି । ତେଣୁ ଆର୍ନ୍ତଜାତୀୟ ସ୍ତରରେ ଧିମା ଅଭିବୃଦ୍ଧି ସତ୍ୱେ ଓଡିଶାର ଅଭିବୃଦ୍ଧି ହାର ଆଶାନୁରୂପ ଭଲ ସ୍ଥିତିରେ ରହିବ ବୋଲି ଆଶା କରାଯାଉଛି ।
ଜାତୀୟ ଅର୍ଥନୀତି ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି । ଅଭିବୃଦ୍ଧି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କରିଥିବା ପୂର୍ବାନୁମାନ ଅନୁଯାୟୀ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ହେବା ନେଇ ଆକଳନ କରାଯାଇଥିବାବେଳେ ଓଡିଶାର ବର୍ତ୍ତମାନର ଅଭିବୃଦ୍ଧି ହାର ୮.୦ ରୁ ୮.୫ ପ୍ରତିଶତ ହେବ ବୋଲି ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି ।
ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି । ବଜେଟ୍ ପ୍ରସ୍ତୁତ ସମୟରେ ରାଜ୍ୟ ସରକାର ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି, ଶିଳ୍ପ, ଏମ୍ଏସଏମଇ ସହିତ ସାମାଜିକ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
ନୂତନ ଓଡିଶା ଗଠନର ଲକ୍ଷ୍ୟ ରଖାଯାଇ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଅଗ୍ରାଧିକାର ଦିଆଯାଇଛି । ବର୍ତ୍ତମାନ ଯେଉଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଛି ସେଥିରେ ଉନ୍ନତିବିଧାନ କରାଯିବା ସାଙ୍ଗକୁ ଆର୍ନ୍ତଜାତୀୟ ସ୍ତରର ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଭିତ୍ତିଭୂମି ସୁଦୃଢ କରାଯାଉଛି । ଯେଉଁସବୁ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ରହିଛି ସେହି କ୍ଷେତ୍ରରୁ ଯେଭଳି ଅଧିକ ନିଯୁକ୍ତି ସୃଷ୍ଟି କରାଯାଇ ପାରିବ ସେଥିପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଅର୍ଥନୀତିରେ ଅଭିବୃଦ୍ଧି ଆଣିବାପାଇଁ ପୁଞ୍ଜିବିନିଯୋଗର ଯେଉଁ ଆବଶ୍ୟକତା ପଡୁଛି ସେ ଦିଗରେ ରାଜ୍ୟର ସୁଦୃଢ ସମ୍ବଳ ସଂଗ୍ରହ ବ୍ୟବସ୍ଥା ବିଶେଷ ସହାୟକ ହୋଇଛି । ନିଜସ୍ୱ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି ।
ବିଗତ ୨୧ ବର୍ଷ ମଧ୍ୟରେ ଅର୍ଥାତ ୨୦୦୦-୦୧ ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟ ବଜେଟ୍ ୧୫ଗୁଣ ବୃଦ୍ଧି ପାଇଛି । ୨୦୦୦-୨୧ ରେ ବଜେଟ୍ ଆକାର ୧୧,୦୪୭ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ ରେ ତାହା ୧,୭୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ସାଧାରଣ ସେବା କ୍ଷେତ୍ରରେ ପୂର୍ବରୁ ଯେଭଳି ଅଧିକ ଅର୍ଥ ବ୍ୟୟ କରୁଥିଲେ ଏବେ ତାହା ଅନେକ ପରିମାଣରେ ହ୍ରାସ କରିଛନ୍ତି ।
ତେବେ ସାମାଜିକ ଏବଂ ଆର୍ଥିକ ସେବା କ୍ଷେତ୍ରରେ ବ୍ୟୟଭାର ନିୟମିତ ଭାବେ ବଢିବାରେ ଲାଗିଛି । ୨୦୨୧-୨୨ ବର୍ଷରେ ଆର୍ଥିକ ଓ ସାମାଜିକ କ୍ଷେତ୍ରର ବ୍ୟୟଭାର ଏହି ଦୁଇ କ୍ଷେତ୍ରରେ ମୋଟ୍ ବଜେଟ୍ର ୭୪ ପ୍ରତିଶତ ଖର୍ଚ୍ଚ ହୋଇଛି । ଏହା ବଜେଟ୍ରେ ପ୍ରମୁଖ ପରିବର୍ତ୍ତନ ହୋଇଥିବାବେଳେ ରାଜ୍ୟର ଆର୍ଥିକ ଓ ସାମାଜିକ କ୍ଷେତ୍ରକୁ ସାହାଯ୍ୟ କରୁଛି ଏବଂ ଆର୍ଥିକ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରୁଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜସ୍ୱ ଆଦାୟରେ ଅଭିବୃଦ୍ଧି ଏବଂ ଋଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରି ରାଜ୍ୟ ସରକାର ଋଣ ବୋଝକୁ ହ୍ରାସ କରୁଛନ୍ତି । ଏଥିଯୋଗୁଁ ଋଣ ବୋଝ ଓ ସୁଧ ପରିଶୋଧ ହ୍ରାସ ପାଇଛି । ଅର୍ଥ କମିଶନଙ୍କ ସୁପାରିଶ୍ ଅନୁଯାୟୀ ରାଜ୍ୟର ଋଣଭାର ଓ ଜିଏସ୍ଡିପିର ଅନୁପାତ ୨୫ ପ୍ରତିଶତ ମଧ୍ୟରେ ରହିବା ଉଚିତ୍ ଏବଂ ସୁଧ ପରିଶୋଧ ରାଜସ୍ୱ ପ୍ରାପ୍ତିର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରହିବା ଉଚିତ୍ । ୨୦୦୨-୦୩ ରେ ଋଣଭାର ଅଧିକ ଥିବାରୁ ଏହି ହାର ୫୦.୭୩ ଥିଲା । ତାହା କ୍ରମଶଃ ୨୦୧୯-୨୦ ରେ ୧୭.୩୮ କୁ ହ୍ରାସ କରାଯାଇଥିଲା । ଏବେ ୨୦୨୦-୨୧ ରେ ତାହା ୬ ପ୍ରତିଶତକୁ ହ୍ରାସ ପାଇଛି । (ତଥ୍ୟ)