ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ନକ୍ସଲ ଦମନ ଅଭିଯାନକୁ ବଡ ସଫଳତା ମିଳିଛି । ଜିଲ୍ଲାର ଗୋଛପଡା ଥାନା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ହୋଇଥିବା ମିଳିତ ଚଢଉରେ ବିପୁଳ ପରିମାଣର ଗୁଳିଗୋଳା ଓ ନକ୍ସଲ ସାଗ୍ରୀ ଜବତ ହୋଇଛ ।
ବିଶେଷ ସୂତ୍ରରୁ ସୂଚନା ପାଇବାପରେ ଏସ୍ଓଜି ଓ ଡିଭିଏଫ୍ ମିଳିତ ଅଭିଯାନ ଆରମ୍ଭ କରିଥିଲେ । ତେବେ ନକ୍ସଲମାନେ ଚଢଉ ସମୟରେ ନିଜ ନିଜର ସାମଗ୍ରୀକୁ ସ୍ଥାନୀୟ ଶଶୀକେତ ଗ୍ରାମର ଏକ ଗୁମ୍ଫାରେ ଲୁଚାଇ ରଖିଥିଲେ । ମିଳିତ ବାହିନୀ ସେହି ସ୍ଥାନରେ ଚଢଉ କରିବାପରେ ବିପୁଳ ସାମଗ୍ରୀ ଜବତ କରିଥିଲା ।
ଜବତ ସାମଗ୍ରୀ ମଧ୍ୟରେ ବିସ୍ଫୋରଣ ପାଇଁ ବ୍ୟବହୃତ ୧୭ଟି ଜିଲେଟିନ୍ ଛଡ, ଗୋଟିଏ ହାତ ତିଆରି ଇନ୍ସାସ ମାଗାଜିନ୍, ୨ଟି ଛୁରୀ, ବିପୁଳ ପରିମାଣ ପ୍ରସ୍ତୁତ ହେଉଥିବା ମାଗାଜିନ୍, ନକ୍ସଲମାନେ ପିନ୍ଧୁଥିବା କଳାରଙ୍ଗର ପୋଷାକ, କଳା ଟିସାର୍ଟ, ୩ଟି ଟିଫିନ ବକ୍ସ, ଗୋଟିଏ ସୋଲାର ପ୍ଲେଟ, ଗୋଟିଏ ବଣ୍ଡଲ ବିଦ୍ୟୁତ୍ ତାର, ଔଷଧ, ଗର୍ଭନିରୋଧକ ସାମଗ୍ରୀ ଆଦି ରହିଥିଲା ।
ଏଥି ସହିତ ମିଳିତ ବାହିନୀ ହାତରେ ଦିଗ ନିର୍ଣ୍ଣୟ ଯନ୍ତ୍ର, ମୋବାଇଲ୍ ଚାର୍ଜର, ଦୂରକୁ ଦେଖିପାରୁଥିବା କାଚ, ମାଓପୁସ୍ତିକା, ଜୋତା ଆଦି ମଧ୍ୟ ଲାଗିଥିଲା । ବିପୁଳ ସାମଗ୍ରୀ ଜବତ ପରେ ସେହି ଅଞ୍ଚଳରେ ନକ୍ସଲମାନଙ୍କୁ ଧରିବାପାଇଁ ଚଢଉ ଜାରି ରହିଥିବା ସୂଚନା ମିଳିଛି ।