ଭୁବନେଶ୍ୱର : ଇ-ଯାନ ଖରିଦ ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସବସିଡ୍ ରାଶି ମିଳିବାରେ ବିଳମ୍ବ ହେବାରେ ଲାଗିଛି । ସରକାର ଜାରି କରିଥିବା ପୋର୍ଟାଲରେ ଇ-ଯାନ ପଞ୍ଜିକରଣ ଏବଂ ଏହାର କିଛିଦିନ ପରେ ଆଞ୍ଚଳିକ ପରିବହନ ଦପ୍ତର ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ଗ୍ରାହକଙ୍କୁ ଏହି ଅର୍ଥ ମିଳିପାରୁନାହିଁ ।
ରାଜ୍ୟ ସରକାର ଇ-ଯାନ ନୀତିକୁ ଗତ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ଆକାରରେ ଜାରି କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଲୋକେ ଯେଭଳି ଅଧିକରୁ ଅଧିକ ଇ-ଯାନ କିଣିବେ ସେଥିପାଇଁ ସରକାର ଏହା ଉପରେ ଆର୍ଥିକ ପୋତ୍ସାହନ ଯୋଗାଇ ଦେବେ । ଦୁଇ ଚକିଆ ଯାନ ପାଇଁ ସର୍ବାଧିକ ୫ହଜାର ଟଙ୍କା ଓ ଚାରଚକିଆ ଯାନ ପାଇଁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସବସିଡ୍ ଘୋଷଣା ହୋଇଥିଲା । ତେବେ ବୈଷୟିକ କାରଣ ପାଇଁ ଏହା କାର୍ଯ୍ୟକାରୀ କରିବାରେ ବିଳମ୍ବ ଉପୁଜିଥିଲା ।
କିନ୍ତୁ ଗତ ଏପ୍ରିଲ୍ ପହିଲାରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସବସିଡ୍ ଅର୍ଥ ପ୍ରଦାନ ନେଇ ପୋର୍ଟାଲ ଜାରି କରାଯିବା ସହିତ ପ୍ରଥମ ହିତାଧିକାରୀଭାବେ ଜଣେ ଦୁଇ ଚକିଆ ଯାନ ମାଲିକଙ୍କୁ ତତ୍କାଳ ୫୦୦୦ ଟଙ୍କା ସବସିଡ୍ ପ୍ରଦାନ କରାଯାଇଥିଲା । ମାତ୍ର କେଇ ମିନିଟ୍ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଡି ପଞ୍ଜିକରଣ ଓ ଆରଟିଓ ଅନୁମତି ପାଇ ଯେଭଳି ସବସିଡ୍ ଅର୍ଥ ପ୍ରଦାନ କରାଗଲା ତାହା ଦେଖି ଅନ୍ୟମାନେ ତୁରନ୍ତ ଏହା ପାଇବେ ବୋଲି ଆଶା ବାନ୍ଧିଥିଲେ ।
ବିଭାଗ ପକ୍ଷରୁ ୱେବସାଇଟ୍ ଜାରି ପରେ ପରେ ଅନେକ ହିତାଧିକାରୀ ନିଜ ନିଜ ଗାଡିର ପଞ୍ଜିକରଣ ନମ୍ବର, ଚେସିସ୍ ନମ୍ବର, ବ୍ୟାଙ୍କ୍ ସୂଚନା ଓ ପାସ୍ବୁକ୍ ଆଦିର କପି ଆଦି ଦେଇ ପଞ୍ଜିକୃତ କରାଇଥିଲେ । ଏହାର କିଛିଦିନ ପରେ ସମ୍ପୃକ୍ତ ଗାଡି ଯେଉଁ ଆରଟିଓ ଅଫିସ ଅଧିନରେ ପଞ୍ଜିକରଣ ହୋଇଥିଲା ସେଠାରୁ ମଧ୍ୟ ଯାଞ୍ଚ କରାଯାଇ ହିତାଧିକାରୀଙ୍କୁ ଜଣାଇ ଦିଆଯାଇଥିଲା । ଏହି ସୂଚନା ପାଇବାକୁ ଇତି ମଧ୍ୟରେ ଦେଢ ମାସ ବିତିଥିଲେ ବି ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଆସିପାରୁ ନାହିଁ ।
ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରୁ ଗାଡି ଖରିଦ କରିଥିବା ହିତାଧିକାରୀଙ୍କୁ ସବସିଡ୍ ଅର୍ଥ ଦେବାପାଇଁ ଘୋଷଣା କରିଥିଲେ । ତେବେ ଯେଉଁମାନଙ୍କ ଗାଡି କେବଳ ଆରଟିଓ ଅଧିନରେ ପଞ୍ଜିକୃତ ହୋଇଥିବ ସେମାନେ ଏହା ପାଇପାରିବେ । ଇତି ମଧ୍ୟରେ ତୈଳଦର ବୃଦ୍ଧି ଓ ସରକାରଙ୍କ ପ୍ରୋତ୍ସାହନ ଘୋଷଣାକୁ ଦେଖି ଅଧିକରୁ ଅଧିକ ଲୋକେ ଦୁଇ ଚକିଆ ଓ ଚାରିଚକିଆ ଯାନ କିଣୁଛନ୍ତି । ହେଲେ ସବସିଡ୍ ଅର୍ଥ ମିଳିବାରେ କାହିଁକି ଏତେ ବିଳମ୍ବ ହେଉଛି ତାହା ଅନେକ ବ୍ୟକ୍ତି ଜାଣିପାରୁ ନାହାନ୍ତି ।
ରାଜ୍ୟରେ ଇ-ଯାନ ନୀତିର ସଠିକ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ କମିଟି ରହିଛି । ଏହି କମିଟିର ବୈଠକରେ ବାରମ୍ବାର ସରକାରଙ୍କ ଘୋଷିତ ନୀତିକୁ ଠିକଣା ଭାବେ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଉଛି । ହେଲେ କୌଣସି କାରଣ ଯୋଗୁଁ ଇଲେକଟ୍ରୋନିକ୍ସ ବ୍ୟବସ୍ଥାରେ ବି ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପହଞ୍ଚିବାରେ ବ୍ୟାପକ ବିଳମ୍ବ ହେବାରେ ଲାଗିଛି । (ତଥ୍ୟ)