Home General ଧାର୍ଯ୍ୟ ବସ୍‍ ଭଡାକୁ ମାନୁନାହାନ୍ତି

ଧାର୍ଯ୍ୟ ବସ୍‍ ଭଡାକୁ ମାନୁନାହାନ୍ତି

ଭୁବନେଶ୍ୱର : ଡିଜେଲ ଦର ହ୍ରାସ ପରେ ରାଜ୍ୟ ସରକାର ବସ୍‍ଭଡା ଦର କମାଇଥିବାବେଳେ ଘରୋଇ ବସ୍‍ଗୁଡିକ କିନ୍ତୁ ଏହାକୁ ମାନୁ ନାହାନ୍ତି । ସରକାର ଯଉଁ ଭଡା ଧାର୍ଯ୍ୟ କରିଛନ୍ତି ତାହା ଠାରୁ ପ୍ରାୟ ଦେଢଗୁଣ ଅଧିକ ଆଦାୟ କରୁଛନ୍ତି ।

ଏହାର ଗୋଟିଏ ଉଦାହରଣ ହେଉଛି ଭୁବନେଶ୍ୱର-କଟକ ବସ୍‍ଭଡା । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ କଟକର ଦୂରତା ୩୦ କିଲୋମିଟର ଏବଂ ସାଧାରଣ ବସ୍‍ରେ ଏତିକି ବାଟ ଯିବାପାଇଁ କିଲୋମିଟର ପିଛା ୮୯ ପଇସା ହାରରେ ୨୭ଟଙ୍କା ପଡିବ । ତେବେ ଯେଉଁ ଯାତ୍ରୀମାନେ ବରମୁଣ୍ଡାରୁ କଟକ ଯାଉଛନ୍ତି ସେମାନଙ୍କ ଠାରୁ ୪୦ଟଙ୍କା ଆଦାୟ ହେଉଥିବାବେଳେ ଯିଏ ବାଣୀବିହାରରୁ ଯାଉଛି ତାହାଠାରୁ ବି ୪୦ଟଙ୍କା ନେଉଛନ୍ତି । ପଚାରିଲେ ଉତ୍ତର ମିଳୁଛି ଡିଜେଲ ଦର ବୃଦ୍ଧି ସହିତ କରୋନାରେ ବିପୁଳ କ୍ଷତି ହୋଇଛି । ତେଣୁ ଆମେ ଅଧିକ ଭଡା ନେବାକୁ ବାଧ୍ୟ ହେଉଛୁ ।

କେବଳ ଏହି ଗୋଟିଏ ରୁଟ୍‍ରେ ନୁହେଁ, ରାଜଧାନୀରୁ ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍‍ ସମେତ ଅନ୍ୟାନ୍ୟ ସ୍ଥାନରେ ଚଳାଚଳ କରୁଥିବା ବସ୍‍ରେ ମଧ୍ୟ ସମାନ ଅବସ୍ଥା । କଟକରୁ ଜଗତ୍‍ସିଂହପୁରକୁ ଯାଉଥିବା ଯାତ୍ରୀମାନଙ୍କୁ ୪୦ କିଲୋମିଟର ବାଟ ପାଇଁ ସାଧାରଣ ବସ୍‍ରେ ୬୦ ଟଙ୍କା ଭଡା ଦେବାକୁ ପଡୁଛି । ସମଗ୍ର ରାଜ୍ୟରେ ଏହିଭଳି ଅବସ୍ଥା ।

ରାଜ୍ୟ ସରକାର ତେଲ ଦର କମିବା ସମୟରେ ବିଭିନ୍ନ କିସମର ବସ୍‍ ପାଇଁ ଭଡାହ୍ରାସ କରୁଛନ୍ତି । ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ସହିତ କେଉଁ ସ୍ଥାନକୁ ଗଲେ କେତେ ଭଡା ଦେବାକୁ ପଡିବ ତାହା ବି ଜାରି ହେଉଛି । ହେଲେ ବସ୍‍ କର୍ମଚାରୀମାନେ ଯାତ୍ରୀଙ୍କ ଠାରୁ କେଉଁ ହାରରେ କେତେ ଭଡା ଆଦାୟ କରୁଛନ୍ତି ତାହାର ତଦାରଖ ହେଉନାହିଁ । ପରିବହନ କର୍ତ୍ତୃପକ୍ଷ ମଦୁଆ ଧରା ଅଭିଯାନରେ ଯେଭଳି ମାତୁଛନ୍ତି ଅନୁରୂପ ଭାବେ ରାସ୍ତା ମଝିରେ ଯାତ୍ରୀବାହୀ ବସ୍‍ଗୁଡିକୁ ଯାଞ୍ଚ ଲାଗି ମତପ୍ରକାଶ ପାଉଛି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର ଭଡା ଦର ପ୍ରକାଶ ସମୟରେ ସାଧାରଣ ବସ୍‍, ଏକ୍ସପ୍ରେସ ବସ୍‍, ଡିଲକ୍ସ ବସ୍‍, ଏସି ଡିଲକ୍ସ ଓ ପ୍ରିମିୟମ ଡିଲକ୍ସ ବସ୍‍ ପାଇଁ ଭିନ୍ନ ଭିନ୍ନ ବସ୍‍ ଭଡା ଧାର୍ଯ୍ୟ କରୁଛନ୍ତି । ତେବେ ଯାତ୍ରୀମାନେ ଏହି ଧରଣର ବସ୍‍କୁ କିଭଳି ଚିହ୍ନିବେ ସେଥିପାଇଁ କୌଣସି ବ୍ୟବସ୍ଥା ନାହିଁ । କୌଣସି ବସ୍‍ରେ ସେ କେଉଁ ପ୍ରକାର ବସ୍‍ ତାହା ଉଲ୍ଲେଖ ନାହିଁ । ଫଳରେ ସାଧାରଣ ଲୋକେ ବସ କିସମ ଜାଣିପାରୁ ନଥିବାବେଳେ ଏହାର ଫାଇଦା ବସ୍‍ କର୍ମଚାରୀ ନେଉଛନ୍ତି ଓ ମନଇଚ୍ଛା ଯାତ୍ରୀଙ୍କ ଠାରୁ ଦର କସୁଛନ୍ତି । ତେଣୁ ତୁରନ୍ତ ସମଗ୍ର ରାଜ୍ୟରେ ଚଳାଚଳ କରୁଥିବା ବସ୍‍ଗୁଡିକରେ ସେ କେଉଁ ପ୍ରକାର ତାହା ବଡ ବଡ ଅକ୍ଷରରେ ଲେଖିବାପାଇଁ ଯାତ୍ରୀମାନେ ମତ ଦେଉଛନ୍ତି । (ତଥ୍ୟ)