ଭୁବନେଶ୍ୱର : ନ୍ୟାୟିକ ସେବା ପ୍ରୋବେଶନର ମାନଙ୍କ ତାଲିମ କାର୍ଯ୍ୟକ୍ରମର ଅଂଶଭାବେ ଆଜି ୩୯ ଜଣ ଶିକ୍ଷାନବିଶ ଅଧିକାରୀ ଲୋକସେବା ଭବନ ପରିଦର୍ଶନ କରି ପ୍ରଶାସନିକ ବ୍ୟବସ୍ଥା ବିଷୟରେ ପରିଚୟାତ୍ମକ ତାଲିମ ନେଇଥିଲେ । ଏଥି ନିମନ୍ତେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଏକ ଆଲୋଚନା ଚକ୍ରରେ ଆୟୋଜିତ ହୋଇଥିଲା । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମହାପାତ୍ର ଜୁଡ଼ିସିଆଲ୍ ସର୍ଭିସ୍ ପ୍ରୋବେଶନରମାନଙ୍କୁ ପ୍ରଶାସନିକ ବ୍ୟବସ୍ଥା ଓ କାର୍ଯ୍ୟ ପଦ୍ଧତି ବିଷୟରେ ପରିଚୟାତ୍ମକ ତାଲିମ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଲୋକସେବା ଭବନର ନାମକରଣ ହିଁ ପ୍ରଶାସନିକ ବ୍ୟବସ୍ଥାର ଏକ ପ୍ରତିଫଳନ । ଏହି ନାମକରଣ ସର୍ବଦା ପ୍ରଶାସନିକ ଅଧିକାରୀମାନଙ୍କୁ ସର୍ବଦା ମନେପକାଇ ଦିଏ ଯେ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ସେମାନେ ଉଦ୍ଦିଷ୍ଟ ଏବଂ ବିଧି ଦ୍ୱାରା ନିର୍ଦ୍ଧାରିତ ନାକରିକ-କେନ୍ଦ୍ରିକ ସେବା ଯୋଗାଣ ହିଁ ପ୍ରଶାସନର ମୌଳିକ ଲକ୍ଷ୍ୟ । ବ୍ୟବସ୍ଥାପକ, ନ୍ୟାୟପାଳିକା ଏବଂ କାର୍ଯ୍ୟ ନିର୍ବାହୀ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଏକ ସ୍ତମ୍ଭଭାବେ ନିଜ ନିଜର କାର୍ଯ୍ୟ ସଂପାଦନ କରିଥାଆନ୍ତି ।
ଏଥି ପାଇଁ ପ୍ରତ୍ୟେକ ସ୍ତମ୍ଭ ଅନ୍ୟ ସ୍ତମ୍ଭର କାର୍ଯ୍ୟ ପଦ୍ଧତି ବିଷୟରେ ଜ୍ଞାତ ହେବା ଆବଶ୍ୟକ । ଏହି ସ୍ତମ୍ଭମାନେ ସାମଗ୍ରିକ ଭାବେ ସମ୍ବିଧାନର ସାର୍ବଭୌମତ୍ୱ ବଜାୟ ରଖିବାକୁ ଅଙ୍ଗିକାର ବଦ୍ଧ । ନାଗରିକମାନଙ୍କ ଅଧିକାର, ସୁରକ୍ଷା, ବିକାଶ ଓ ସାମାଜିକ ନ୍ୟାୟ ସମ୍ବିଧାନର ମୂଳମନ୍ତ୍ର । ସ୍ୱଚ୍ଛ ଓ ନିରପେକ୍ଷଭାବେ ତ୍ୱରିତ ଓ ସଠିକ୍ ସେବା ଯୋଗାଣ ମାଧ୍ୟମରେ ଏହି ସାମ୍ବିଧାନିକ ଆଦର୍ଶର ରୂପାୟନ ହୋଇଥାଏ ।
ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ବର୍ତ୍ତମାନ ନ୍ୟାୟିକ ସେବା ଯୋଗାଣ କ୍ଷେତ୍ରରେ ଏକ ଉଚ୍ଚମାନର ରୂପାନ୍ତରିକରଣ ସଂଗଠିତ ହେଉଛି । ଓଡ଼ିଶା ହାଇକୋର୍ଟଙ୍କ ନିଷ୍ୱତ୍ତିକ୍ରମେ ପ୍ରାୟ ୧୪ ଲକ୍ଷ ମକଦ୍ଦମାର ସବିଶେଷ ବିବରଣୀକୁ ଡ଼ିଜିଟାଇଜ୍ କରାଯାଉଛି । ବିଭିନ୍ନ କୋର୍ଟରେ ଭିତ୍ତିଭୂମି ବିକାଶ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟର ଅଗ୍ରଗତି ସହିତ ନ୍ୟାୟିକ ସେବା ଯୋଗାଣରେ ଗୁଣାତ୍ମକ ଓ ପରିମାଣାତ୍ମକ ରୂପାନ୍ତର ହେବ । ମୁଖ୍ୟ ଶାସନ ସଚିବ ମଧ୍ୟ ବିଭିନ୍ନ ଆଇନ୍ ଓ ନିୟମ ଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ବିଷୟରେ ଶିକ୍ଷାନବିଶମାନଙ୍କୁ ଅବଗତ କରାଇଥିଲେ ।
ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କାର୍ଯ୍ୟ ନିର୍ବାହୀ ବ୍ୟବସ୍ଥାj କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିଥିଲେ । ବିଭିନ୍ନ ଜନମଙ୍ଗଳ ସେବା ଯୋଗାଣରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ସମନ୍ୱିତ କାର୍ଯ୍ୟପନ୍ଥା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିରପେକ୍ଷତା, ସ୍ୱଚ୍ଛତା, ସମଭାବାପନ୍ନତା ଏବଂ ସମାନତା ଆଦି ଆଦର୍ଶ ମାଧ୍ୟମରେ ଉତ୍ତମ ପ୍ରଶାସନ ଅଧିକ ସମୃଦ୍ଧ ହେବ ବୋଲି ଶ୍ରୀ କୁମାର କହିଥିଲେ ।
ଏହି କାର୍ଯ୍ୟକ୍ରମଟି ତିନିଟି ବୈଠକରେ ସମାପନ ହୋଇଥିଲା । ବିଭିନ୍ନ ବୈଠକରେ ମୁଖ୍ୟତଃ ସରକାରୀ କାର୍ଯ୍ୟଧାରା ନିୟମ, ବିଭିନ୍ନ ସେବା ସର୍ତ୍ତାବଳୀ, ପୋଲିସର ଭୂମିକା, ଦାୟିତ୍ୱ ଓ ପରିସର, ୫-ଟି ଏବଂ ମୋ-ସରକାର ଫ୍ରେମ୍ଓ୍ୱାର୍କ, ପଞ୍ଚାୟତି ରାଜ ଅନୁଷ୍ଠାନର କାର୍ଯ୍ୟ ବିଧି, ବଜେଟ୍ ପ୍ରସ୍ତୁତି, ପାଣ୍ଠି ଆବଣ୍ଟନ, ଆବଣ୍ଟିତ ବଜେଟ୍ ପାଣ୍ଠିର ସଠିକ୍ ବିନିଯୋଗ ଆଦି ବିଷୟରେ ଆଲୋଚନା ହୋଇଥିଲା ।
ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଆଇନ୍ ବିଭାଗ ଶାସନ ସଚିବ ପ୍ରତାପ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରଣୟ କୁମାର ଦାସ, ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀ ଦିଲ୍ଲୀପ ରାଉତରାଏ, ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ରାଜ୍ୟ ବଜେଟ୍ ନିର୍ଦ୍ଦେଶକ ଏବଂ ସି.ଏମ୍.ଜି.ଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ, ଓକାକ୍ର ଜେନେରାଲ୍ ମ୍ୟାନେଜର ମଧୁମିତା ରଥ ପ୍ରମୁଖ ଏହିସବୁ ବିଷୟରେ ପ୍ରୋବେଶନରମାନଙ୍କୁ ଅବଗତ କରାଇଥିଲେ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ୍, ଶିବନାରାୟଣ ସାହୁ, ସାଗରିକା ହୋତା ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।