Home Industry ଆଇଏଲ୍‍ଏସରେ ଷ୍ଟାର୍ଟଅପ୍‌ ଉତ୍ପାଦର ଶୁଭାରମ୍ଭ

ଆଇଏଲ୍‍ଏସରେ ଷ୍ଟାର୍ଟଅପ୍‌ ଉତ୍ପାଦର ଶୁଭାରମ୍ଭ

ଭୁବନେଶ୍ୱର : କୃଷି ଉତ୍ପାଦର ଫଳପ୍ରଦ ଉପଯୋଗ, କୃଷି ଆୟ, ନିଯୁକ୍ତି ଓ ସ୍ୱରୋଜଗାର ବୃଦ୍ଧିରେ ପ୍ରକି୍ରୟାକୃତ କୃଷି ଉତ୍ପାଦର ଗୁରୁତ୍ୱ ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ପୂର୍ବାହ୍ନରେ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ସହିତ ତିନୋଟି ଷ୍ଟାର୍ଟଅପ୍‌କୃତ ଉତ୍ପାଦର ଶୁଭାରମ୍ଭ କରି ଉପରୋକ୍ତ ମତ ଦେଇଛନ୍ତି ।

‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବିଭିନ୍ନ କାରଣ ହେତୁ କୃଷକମାନଙ୍କ ରୋଜଗାର ହ୍ରାସକୁ ଦୃଷ୍ଟିରେ ରଖି ପ୍ରକ୍ରିୟାକୃତ କୃଷି ଉତ୍ପାଦଗୁଡ଼ିକର ଭୂମିକା ବୃଦ୍ଧିପାଇଛି ଏବଂ ସେସବୁ ପ୍ରାଥମିକ କୃଷି କାର୍ଯ୍ୟକୁ ମୂଲ୍ୟଯୁକ୍ତ କରିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳଗୁଡ଼ିକରେ କୃଷି ଉଦ୍ୟୋଗ ବଢ଼ାଇବାରେ ସହାୟକ ହୋଇଛନ୍ତି । ଷ୍ଟାର୍ଟଅପ୍‌ଗୁଡ଼ିକର ଉପଯୋଗିତାକୁ ସବୁମତେ ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଜୀବବିଜ୍ଞାନ ପ୍ରତିଷ୍ଠାନର ବାୟୋ ..ଇନ୍‌କୁ୍ୟବେଟର ଜରିଆରେ ବର୍ଷକ ମଧ୍ୟରେ ପ୍ରାୟ ୨୩ଟି ଷ୍ଟାର୍ଟଅପ୍‌ କାର୍ଯ୍ୟକାରୀ ହେବା ପ୍ରଶଂସନୀୟ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆର୍‌ଏନ୍‌ଏ ବାୟୋଟେକ୍‌, ଥିଙ୍କଜେନିକ୍ସ ଓ ଓଡ଼ିଶା ବେଭେରେଜ୍‌ ନାମକ ତିନୋଟି ଷ୍ଟାର୍ଟଅପ୍‌ର ବିଭିନ୍ନ ଉତ୍ପାଦର ଶୁଭାରମ୍ଭ କରିଥିଲେ ।

ବିଜ୍ଞାନ ଓ କାରିଗରୀ ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଏକ ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ସଫଳ ହୋଇ ଜୀବବିଜ୍ଞାନ ପ୍ରତିଷ୍ଠାନର ଇନ୍‌କୁ୍ୟବେଟର କେନ୍ଦ୍ର ସରକାରଙ୍କ ଶିଳ୍ପ ତଥା ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ୫ କୋଟି ଟଙ୍କାର ଷ୍ଟାର୍ଟଅପ୍‌ ପାଣ୍ଠି ହାସଲ କରିପାରିଛି । ଏହା ଫଳରେ ରାଜ୍ୟରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ମିଳିପାରିବ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି ।

ଜୀବବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଜା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ବିଜ୍ଞାନ ଓ କାରିଗରୀ କୌଶଳ ସହାୟତାରେ ପୋଷଣୀୟ ବ୍ୟବସ୍ଥା, କୃଷି ଏବଂ ପୁଷ୍ଟିସାଧନ, ସ୍ୱାସ୍ଥ୍ୟସେବା, ଇଲେକ୍‌ଟ୍ରୋନିକ୍‌, ଯନ୍ତ୍ରପାତି ବ୍ୟବସ୍ଥା, ପୂର୍ତ୍ତ ଭିତ୍ତିଭୂମି ନିର୍ମାଣ ତଥା ଇଂଜିନିୟରିଂ, ପରିବେଶ, ଜଳବାୟୁ ପରିବର୍ତ୍ତନ ତଥା ଶକ୍ତିକ୍ଷେତ୍ରରେ କାର୍ଯ୍ୟକରିବା ନିମନ୍ତେ ବିଭିନ୍ନ ଷ୍ଟାର୍ଟଅପ୍‌କୁ ଉତ୍ସାହିତ କରାଯାଉଛି ବୋଲି କହିଥିଲେ ।

ଏହି ଅବସରରେ ଏକ ପ୍ରଦର୍ଶନୀ ତଥା ଆଲୋଚନା ଚକ୍ର ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଖୋଲା ଅଧିବେଶନରେ ଜାତୀୟ ଧାନଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ପଦ୍ମିନୀ ସ୍ୱାଇଁ, ସାମୁଦି୍ରକ ଉତ୍ପାଦ ରପ୍ତାନୀ ସଂଘ, ଓଡ଼ିଶା ଶାଖା ସଭାପତି ଡ. କମଳେଶ ମିଶ୍ର, ବରିଷ୍ଠ ବୈଜ୍ଞାନିକ ଡ. ସନତ ମିଶ୍ର, ଆଗ୍ରୋ-ଲିଙ୍କ୍‌ ଖାଦ୍ୟ ପ୍ରକ୍ରିୟାକରଣ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅସୀତ ମହାପାତ୍ର ଓ ଉଦ୍ୟୋଗୀ ଶ୍ରୀରାମ ପଣ୍ଡା ବକ୍ତବ୍ୟ ରଖିଥିଲେ ।