Home Education ଊର୍ଦ୍ଦୁ ଶିକ୍ଷକଙ୍କ ଚାକିରି ଯିବ

ଊର୍ଦ୍ଦୁ ଶିକ୍ଷକଙ୍କ ଚାକିରି ଯିବ

ଭୁବନେଶ୍ୱର : ମଦ୍ରାସା ବୋର୍ଡ ପରୀକ୍ଷାରେ ନମ୍ବର ବଢ଼ାଇ ଚାକିରି ହାତେଇଥିବା କେତେକ ଊର୍ଦ୍ଦୁ ଶିକ୍ଷକଙ୍କୁ ଚାକିରି ହରାଇବାକୁ ପଡିପାରେ । ଏଥିଘେନି ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏବେ ସରକାରୀ ସ୍ତରରେ ବ୍ୟାପକ ଖୋଳତାଡ ଚାଲିଛି । କମ୍‍ ନମ୍ବର ରଖିଥିବା କିଛି ପ୍ରାର୍ଥୀଙ୍କ ଲାଗି ଟାବୁଲେସନ ରେଜିଷ୍ଟର ଜାଲିଆତି କରାଯାଇ ପରବର୍ତ୍ତୀ ସମୟରେ ସେମାନେ ଅଧିକ ନମ୍ବର ରଖିଥିବା ଘେନି ମିଳିଥିବା ସାର୍ଟିଫିକେଟ ଆଧାରରେ ଚାକିରି ଦିଆଯାଇଥିବା ସଂପର୍କରେ ଗୁରୁତର ଅଭିଯୋଗ ଆସିଛି ।

ନବେ ଦଶକରେ ହୋଇଥିବା ମଦ୍ରାସା ବୋର୍ଡ ପରୀକ୍ଷାରେ ଏଭଳି ଅନିୟମିତତା ଘଟିଥିବା ଘେନି ଚାକିରିରୁ ବଞ୍ଚିତ କେତେକ ପ୍ରାର୍ଥୀ ପ୍ରାୟ ୧୫ବର୍ଷ ଧରି ଅଭିଯୋଗ କରିଆସୁଛନ୍ତି । ଅତୀତରେ ଏହି ଅଭିଯୋଗର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ଏବଂ ତଦନ୍ତକାରୀ ଅଧିକାରୀ ଅଭିଯୋଗର ସତ୍ୟତା ଥିବା ପ୍ରମାଣ ପାଇବା ପରେ କ୍ରାଇମବ୍ରାଞ୍ଚ ଏସପିଙ୍କୁ ଦେଇଥିବା ରିପୋର୍ଟରେ ଯେଉଁମାନଙ୍କର ଟାବୁଲେସନ ସିଟରେ ନମ୍ବର ହେରଫେର କରାଯାଇଛି ଏବଂ ଏଥିରେ ଯେଉଁ ଅଧିକାରୀମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ଲାଗି ଉଲ୍ଲେଖ କରିଥିଲେ ।

ପରବର୍ତ୍ତୀ ସମୟରେ ଏହି ଆଧାରରେ କିଛି ଊର୍ଦ୍ଦୁ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା ଓ ସେମାନେ ଜାମିନରେ ଆସି ଏବେ ଚାକିରିରେ ଅଛନ୍ତି । ତେବେ ଦୁର୍ନୀତି ନିବାରଣ ସଂସ୍ଥା କିନ୍ତୁ ଏହି ବ୍ୟାପାରରେ କିଛି ଜାଲିଆତି ହୋଇନାହିଁ ବୋଲି ଦର୍ଶାଇଥିବା ଅଦାଲତଙ୍କୁ ଜଣାଯାଇଛି ।

ପରୀକ୍ଷାର ମାର୍କ ହେରଫେର ଆଧାରରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆଣି କିଛି ବଞ୍ଚିତ ପ୍ରାର୍ଥୀ ସାଟ୍‍ରେ ମାମଲା ରୁଜୁ କରିଥିଲେ । ସାଟ୍‍ ଉଚ୍ଛେଦ ପରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ୩ ମାସ ମଧ୍ୟରେ ଆବେଦନକାରୀଙ୍କ ଅଭିଯୋଗ ପତ୍ର ଉପରେ ବିଚାରକରି ନିଷ୍ପତ୍ତି ନେବାକୁ ୨୦୨୧ ଜୁନ୍‍ ମାସରେ କହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୩ ମାସ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ଦରଖାସ୍ତର ଫଏସଲା କରିବା କଥା ।

କିନ୍ତୁ ଇତିମଧ୍ୟରେ ୧୧ ମାସ ବିତିଯାଇଥିଲେ ବି ଅଭିଯୋଗକାରୀଙ୍କୁ ବିଭାଗୀୟ ନିର୍ଦ୍ଦେଶକ କିଛି ଜଣାଇ ନାହାନ୍ତି । ତେବେ ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ବଳରେ ମଦ୍ରାସା ବୋର୍ଡ କର୍ତ୍ତୃପକ୍ଷ ଟାବୁଲେସନ ସିଟ୍‍ର ଯେଉଁ ଜେରକ୍ସ କପି ଯୋଗାଇଛନ୍ତି ସେଥିରୁ ଟାବୁଲେସନ ରେଜିଷ୍ଟରରେ ବ୍ୟାପକ ହେରଫେର ଚାକିରି ପାଇଥିବା କିଛି ନିର୍ଦ୍ଦିଷ୍ଟ ପ୍ରାର୍ଥୀ ସପକ୍ଷରେ କରାଯାଇଥିବା ଦେଖିବାକୁ ମିଳୁଛି ।

ଏବେ ରାଜ୍ୟ ସରକାର ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଟାବୁଲେସନ ରେଜିଷ୍ଟରରେ କାହା ସ୍ୱାର୍ଥରେ କିଏ କାହିଁକି ହେରଫେର କରାଇଲେ ସେଥିଘେନି ଖୋଳତାଡ ଆରମ୍ଭ କରିଛନ୍ତି । ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଏହା ପଛରେ ଏକ ବଡ ରାକେଟ୍‍ କାମ କରୁଥିବା ସନ୍ଦେହ କରାଯାଉଛି । ସବୁ ଦିଗରୁ ଅଭିଯୋଗର ନିରପେକ୍ଷ ଯାଞ୍ଚ ଚାଲିଛି ଏବଂ ଏଥିରୁ ଯଦି କିଛି ଦୁର୍ନୀତିର ସୁରାକ୍‍ ମିଳେ ତେବେ ସଂପୃକ୍ତ ପ୍ରାର୍ଥୀଙ୍କୁ ନିଶ୍ଚିତ ଭାବେ ବିଭାଗୀୟ କର୍ତ୍ତୃପକ୍ଷ ଚାକିରିରୁ ବିଦା କରିବେ ।

ଏହି ଘଟଣା ଜଣାପଡିବା ପରେ ଊର୍ଦ୍ଦୁ ଶିକ୍ଷକ ମହଲରେ ଆଲୋଡନ ସୃଷ୍ଟି ହୋଇଛି । କଟକ ଜିଲ୍ଲାରେ ନିଯୁକ୍ତି କ୍ଷେତ୍ରରେ ଏଭଳି ହେରଫେର ହୋଇଥିବା କୁହାଯାଉଛି । ତେବେ ପାଖାପାଖି ୧୫ବର୍ଷ ଧରି ଏତେବଡ ଘୋଟାଲାକୁ କିପରି ଚପାଇ ରଖାଯାଇଛି ସେଥିଘେନି ବିଭିନ୍ନ ମହଲ ପ୍ରଶ୍ନବାଚୀ ଉଠାଉଥିବା ବେଳେ ନିରପେକ୍ଷ ତଦନ୍ତରେ ଯେଉଁମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ସେମାନଙ୍କୁ ନିଶ୍ଚିତ ଭାବେ ଚାକିରିରୁ ବିଦା କରାଯିବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ଜଣକ ସୂଚାଇଛନ୍ତି ।