ଭୁବନେଶ୍ୱର : ବିଜୁଳି କାଟ୍ ନକରିବାପାଇଁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭକରି ଶକ୍ତି ସଚିବଙ୍କ ତାଗିଦା କରିବା ଓ ବିଧାନସଭାର ଶକ୍ତି ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟି ଅସନ୍ତୋଷ ପ୍ରକଟ କଲେ ମଧ୍ୟ ଲୋକଙ୍କୁ ବିଜୁଳି କାଟ୍ରୁ ନିସ୍ତାର ମିଳୁନାହିଁ । ଗତକାଲି ରାଜଧାନୀ ସମେତ ରାଜ୍ୟର ବିଭନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀ ବର୍ଷାରୁ ଏହା ସ୍ପଷ୍ଟ ହୋଇଛି ।
ରାଜ୍ୟର ଏବେ ଯେଉଁସବୁ ସ୍ଥାନଗୁଡିକରେ ସାମାନ୍ୟ ବର୍ଷା କିମ୍ବା ପବନ ଆରମ୍ଭ ହେଉଛି ସେଠାରେ ତୁରନ୍ତ ବିଦ୍ୟୁତ୍ କାଟି ଦିଆଯାଉଛି । ଖୋଦ ରାଜଧାନୀ ବି ଏଥିରୁ ବାଦ୍ ପଡୁନାହିଁ । ଶନିବାର ମଧ୍ୟରାତ୍ରରେ ରାଜଧାନୀରେ କାଳବୈଶାଖୀ ବର୍ଷା ହୋଇଥିବାବେଳେ ରାତି ତମାମ ସହ ପରଦିନ ଦିନବେଳା ବି ଅନେକ ସ୍ଥାନରେ ବିଦ୍ୟୁତ୍ ନଥିଲା । ବର୍ଷା ଛାଡିବାର ବହୁ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ବଳବତ୍ତର ରହିଥିଲା ।
ଗାଁ ଗହଳରେ ଏହି ସମସ୍ୟା ଅତି ଉତ୍କଟ ସ୍ଥିତିରେ ପହଞ୍ଚିଛି । ଯଦି ଅପରାହ୍ନରେ ବର୍ଷା ପବନ ଆସୁଛି ତେବେ ତୁରନ୍ତ ବିଦ୍ୟୁତ୍ ବିଚ୍ଛିନ୍ନ କରିଦିଆଯାଉଛି । ବର୍ଷା ପବନ ଛାଡିଗଲେ ବି ଅଧିକାଂଶ ସ୍ଥାନରେ ରାତିରେ ବିଜୁଳି ସଂଯୋଗ ହେଉନାହିଁ । ଫୋନ୍ କଲେ ମଧ୍ୟ କେହି କିଛି ଶୁଣିବାକୁ ନାରାଜ । ବର୍ଷା ପବନର ଦ୍ୱାହି ଦେଇ ଘଣ୍ଟା ଘଣ୍ଟା ବିଜୁଳି କାଟ ଚାଲିଛି ।
ତେବେ ଖୋଦ୍ ରାଜଧାନୀରେ ପବନ ସମୟରେ ଯେଭଳି ବିଜୁଳି କାଟ୍ ନହେବ ସେଥିପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିଜୁଳି ତାର ଆଖପାଖରେ ଥିବା ଗଛ ଗୁଡିକୁ କାଟି ଦିଆଯାଉଛି । ଏପରିକି ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ଥିବା ବଡ ବଡ ଗଛକୁ ବି କର୍ତ୍ତୃପକ୍ଷ ମେସିନ୍ ଲଗାଇ କାଟି ଦେଉଛନ୍ତି । ଏଥିପାଇଁ ରକ୍ଷଣା ବେକ୍ଷଣ ନାଁରେ ଘଣ୍ଟା ଘଣ୍ଟା ବିଜୁଳି କାଟ୍ ହେଉଛି । ଏତେ ସବୁ ସତ୍ୱେ ବି ଟିକେ ବର୍ଷା କିମ୍ବା ପବନ ହେଲେ ଲୋକସେବଭବନ ଓ ରାଜଭବନ ଭଳି ଭିଭିଆଇପି ଅଞ୍ଚଳ ବି ବିଦ୍ୟୁତ୍କାଟ୍ରୁ ବାଦ୍ ପଡୁନାହିଁ ।
ବିଶେଷଜ୍ଞଙ୍କ ମତରେ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଏଭଳି ବିଜୁଳି କାଟ୍ ହେଉଛି । ବିତରଣ କମ୍ପାନୀ ସହରାଞ୍ଚଳରେ ଟ୍ରାନ୍ସଫର୍ମର ଚାରିପଡେ ମଜବୁତ୍ ଲୁହାବାଡ ଦେବାପାଇଁ ଯେଭଳି ତତ୍ପରତା ପ୍ରଦର୍ଶନ କରୁଛନ୍ତି ବିଦ୍ୟୁତ୍ ଖୁଣ୍ଟ, ତାର, ଫ୍ୟୁଜ୍ ଆଦି ରକ୍ଷଣା ବେକ୍ଷଣ ଉପରେ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ କାଳେ କୌଣସି ଅଘଟଣ ଘଟିବ ତେଣୁ ବର୍ଷା ପବନ ଆସିଲା ମାତ୍ରେ ବିଜୁଳି କାଟି ଦେଉଛନ୍ତି ।
ସହରାଞ୍ଚଳରେ ବର୍ଷା ପବନ ଥମିବା ପରେ ବହୁ ସ୍ଥାନରେ ବିଜୁଳି ସଂଯୋଗ ହେଉଥିବାବେଳେ ଗାଁ ଗହଳରେ କିନ୍ତୁ ଘଣ୍ଟା ଘଣ୍ଟା ଧରି ବିଜୁଳିର ଦେଖା ଦର୍ଶନ ମିଳୁନି । ବିଶେଷକରି ଫନି କ୍ଷତିଗ୍ରସ୍ତ ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାର ଗ୍ରାମାଞ୍ଚଳରେ ଏଭଳି ଉତ୍କଟ ଅବସ୍ଥା ଦେଖାଯାଉଛି । ଫନିରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାରଗୁଡିକର ରକ୍ଷଣା ବେକ୍ଷଣ ଆଜି ପର୍ଯ୍ୟନ୍ତ ସଠିକ ଭାବେ ହୋଇନଥିବାରୁ ଲୋକେ ଘନ ଘନ ବିଜୁଳିକାଟ୍ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ରକ୍ଷଣା ବେକ୍ଷଣ ସହିତ ତ୍ୱରିତ ସେବା ଯୋଗାଣ ପାଇଁ ଖାଉଟିମାନେ ମତ ଦେଉଛନ୍ତି । (ତଥ୍ୟ)