Home Election ଉପନିର୍ବାଚନରେ ମନ୍ତ୍ରୀ, ବିଧାୟକ ହାଉ ଜାଉ

ଉପନିର୍ବାଚନରେ ମନ୍ତ୍ରୀ, ବିଧାୟକ ହାଉ ଜାଉ

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଆସନପାଇଁ ହେଉଥିବା ଉପନିର୍ବାଚନ ଲାଗି ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ଏବେ ରାଜଧାନୀରେ ନାହାନ୍ତି । କେବଳ ମନ୍ତ୍ରୀ ବିଧାୟକ ନୁହନ୍ତି ବିଭିନ୍ନ ଦଳର ଶହ ଶହ କାର୍ଯ୍ୟକର୍ତ୍ତା ଓ କର୍ମୀ ଏବେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଗଳିକନ୍ଦିରେ ହାଉ ଜାଉ ହେଉଛନ୍ତି ।

ଲୋକସେବା ଭବନରେ ଥିବା ମନ୍ତ୍ରୀମାନଙ୍କ ଦପ୍ତର ଏବେ ପ୍ରାୟ ଖାଁ ଖାଁ ଲାଗୁଛି । ସେହିଭଳି ଏମଏଲ୍‍ଏ କଲୋନି ସମେତ ଅନ୍ୟ ସ୍ଥାନରେ ଥିବା ସଂଖ୍ୟାଧିକ ବିଧାୟକଙ୍କ କ୍ୱାଟର୍ସରେ ବି ଗହଳି ଚହଳି ନାହିଁ । ମନ୍ତ୍ରୀ ବିଧାୟକଙ୍କ ସମେତ ବିଭିନ୍ନ ଦଳର ଛାମୁଆ ସଂଗଠନଗୁଡିକର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ନେତା ବ୍ରଜରାଜନଗର ମୁହାଁ ହୋଇଥିବାବେଳେ ସେମାନଙ୍କ ଦପ୍ତର ଓ ବାସଭବନ ଶୂନ୍ୟଶାନ୍‍ ହୋଇପଡିବା ସ୍ୱାଭାବିକ ।

ବ୍ରଜରାଜନଗର ବିଧାନସଭା କ୍ଷେତ୍ର ଦ୍ୱିତୀୟଥର ପାଇଁ ଉପନିର୍ବାଚନ ଦେଖୁଛି । ଅତୀତରେ ସେଠାକାର ଜନପ୍ରିୟ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ମୃତ୍ୟୁ ପରେ ପୂର୍ବରୁ ଯେଉଁ ଉପନିର୍ବାଚନ ହୋଇଥିଲା ସେତେବେଳେ ବର୍ତ୍ତମାନ ଭଳି ଗହଳି ଚହଳି ଓ ବର୍ଣ୍ଣାଢ୍ୟ ପ୍ରଚାର ଦେଖାଯାଉନଥିଲା ।

ମିଳିଥିବା ଖବର ମୁତାବକ ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି, ବିଜେପି କଂଗ୍ରେସ ଓ କମ୍ୟୁନିଷ୍ଟଦଳର ନେତାମାନଙ୍କ ରାଜନୈତିକ କାର୍ଯ୍ୟକଳାପ ଲାଗି ସରକାରୀ ଅତିଥିଭବନରେ ନିର୍ବାଚନ କମିଶନଙ୍କ କଟକଣା ପରିପ୍ରେକ୍ଷୀରେ ସଂଖ୍ୟାଧିକ ନେତା ଓ କର୍ମୀ ଏବେ ବ୍ରଜରାଜନଗର, ବେଲପାହାଡ, ଝାରସୁଗୁଡା, ବୁର୍ଲା, ସମ୍ବଲପୁର, ସୁନ୍ଦରଗଡ ଓ ବରଗଡ ଆଦି ସହରରେ ଥିବା ହୋଟେଲମାନଙ୍କରେ ଭିଡ ଜମାଇଛନ୍ତି ।

ଏମିତିକି ଗୋଟିଏ ଗୋଟିଏ ଦଳର ନେତାଙ୍କ ପାଇଁ ଗୋଟିଏ ଗୋଟିଏ ହୋଟେଲର ସମସ୍ତ ପ୍ରକୋଷ୍ଠ ବି ସଂରକ୍ଷିତ କରି ରଖାଯାଇଛି । ଏହାଛଡା ଗାଁ ଗହଳରେ ଓ ସହରାଞ୍ଚଳରେ ଘରଭଡା ନେଇ କିମ୍ବା ପ୍ରମୁଖ ରାଜନେତା ଓ କର୍ମୀଙ୍କ ଘରେ ବି ପ୍ରଚାର ଦାୟିତ୍ୱରେ ଥିବା ନେତାଙ୍କ ଭିତରୁ କେତେକ ରହୁଛନ୍ତି ।

ଏହି ବିଧାନସଭା ଉପର୍ନିବାଚନ ଲାଗି ୨୭୯ଟି ବୁଥ୍‍ ରହିଛି । କେତେକ ଦଳ ବୁଥ୍‍ ପରିଚାଳନା ଉପରେ ଅଗ୍ରାଧିକାର ଦେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ ପଞ୍ଚାୟତରେ ବହୁ ନେତା ଚକ୍କର କାଟି କେଉଁ ବୁଥ୍‍ରୁ କେତେ ଭୋଟ ମିଳିବ ଓ କେଉଁଠି କାହାର ସ୍ଥିତି କେତେ ସୁଦୃଢ କି ଦୁର୍ବଳ ସେ ସମ୍ପର୍କରେ ସ୍ଥିତି ପରୀକ୍ଷା କରିବା ସହ ପ୍ରତିକାର ଲାଗି ନିର୍ବାଚନୀ ଭିଟାମିନ୍‍ ପ୍ରୟୋଗ କରିବା ଆରମ୍ଭ କରିଦେଇଛନ୍ତି । ଏହି ପ୍ରତିଯୋଗିତାରେ ଯିଏ ଯେତେ ଆଗରେ ରହିବ ସିଏ ସେତେ ଅଧିକ ଭୋଟ ହାତେଇବ ବୋଲି କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ୧୧ଜଣ ପ୍ରାର୍ଥୀ ଥିବାବେଳେ ମୁଖ୍ୟ ପ୍ରତିଦ୍ୱନ୍ଦିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି । ତେବେ ଏଠାରେ ବାମପନ୍ଥୀଙ୍କର ଶ୍ରମିକ ସଂଗଠନ ବେଶ୍‍ ସୁଦୃଢ ଥିବାରୁ ସିପିଆଇ ବି ଗତ ଥର ଭଳି ଭଲ ଭୋଟ୍‍ ପାଇବ ବୋଲି ଆଶା ରଖିଛି ।

୨୦୧୯ ନିର୍ବାଚନରେ ବିଜେଡି ବିଜେପି ଠାରୁ ୧୧ହଜାର ଅଧିକ ଭୋଟ ପାଇ ବ୍ରଜରାଜନଗର ଆସନ ଦଖଲ କରିଥିବାବେଳେ ଏଥର ବିଜେଡିର ବିଜୟ ବ୍ୟବଧାନ ୫୦ହଜାରରୁ ଅଧିକ ହେବ ବୋଲି ଦଳର ନେତାମାନେ ବକ୍ତବ୍ୟ ରଖୁଥିବାବେଳେ ଏହି ଆସନ ବିଜେପି କବଜାରେ ୨୦୧୪ ମସିହାରେ ଥିବାବେଳେ ଏଥର ପୁଣି ବିଜେପି ଏହାକୁ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି ।

କଂଗ୍ରେସ ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଛାଡିଥିବାବେଳେ ଏହି ଜାତୀୟ ଦଳ ବି ଜିଣିବା ପାଇଁ ନିର୍ବାଚନ ଲଢୁଛି ବୋଲି ଦଳର ନେତାମାନେ କହୁଛନ୍ତି । ତେବେ ଏଠାରୁ କେଉଁ ଦଳ ଜିଣିବ ତାହା ଉପରେ ଯେତେ ଚର୍ଚ୍ଚା ହେଉନାହିଁ ତାହାଠାରୁ ଅଧିକ ଚର୍ଚ୍ଚାଚାଲିଛି ବ୍ରଜରାଜନଗରରେ କେଉଁ ଦଳ ଦ୍ୱିତୀୟ ସ୍ଥାନରେ ରହିବ ।(ତଥ୍ୟ)