ଭୁବନେଶ୍ୱର : ରାଜ୍ୟରେ ନିଶା କାରବାର ହ୍ରାସ ପାଇଁ ଅବକାରୀ ବିଭାଗ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ଗତ ସପ୍ତାହକ ମଧ୍ୟରେ ୧୮୪ଟି ଏନ୍ଡିପିଏସ୍ ମାମଲା ରୁଜୁ ସହିତ ୧୮୮ଜଣ ଗିରଫ ହେଲେଣି । ଏହି ସମୟରେ ପ୍ରାୟ ୨.୮୬ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି ।
ରାଜ୍ୟରେ ଏନ୍ଡିପିଏସ୍ ଅପରାଧ ଉପରେ କଟକଣା ଲଗାଇବାପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ଅଭିଯାନ ଚଳାଇଛି । ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଜୋରଦାର ଚଢାଉ ଅଭିଯାନ ଜାରି ରଖିଛନ୍ତି । ଗତ ସପ୍ତାହ ଅର୍ଥାତ୍ ଚଳିତମାସ ୧୯ରୁ ୨୫ତାରିଖ ମଧ୍ୟରେ ହୋଇଥିବା ଏହି ଅଭିଯାନରେ ଏନ୍ଡିପିଏସ୍ ମାମଲା ବଳରେ ୧୮୮ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ୧୮୪ଟି ମାମଲା ରୁଜୁ ହୋଇଛି ।
ଏହି ସ୍ୱତନ୍ତ୍ର ଅଭିଯାନବେଳେ ଅବକାରୀ ବିଭାଗ ପକ୍ଷରୁ ୨୬୪୩ କିଲୋ ଗଞ୍ଜେଇ, ୧୦୨୮ଗ୍ରାମ ବ୍ରାଉନସୁଗାର, ୧୬୫ ଲିଟର କଫସିରପ, ନଗଦ ୧୩ଲକ୍ଷ ଟଙ୍କା ଏବଂ ୧୯ଟି ଗାଡିମୋଟର ଜବତ ହୋଇଛି । ଏହି ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨.୮୬ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୧୪ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ଏହା ପଛକୁ କଟକରେ ୧୧ଟି ମାମଲା ରୁଜୁ ହୋଇଛି । ଚଳିତ ମାସ ୨୦ତାରିଖ ଦିନ ଗଞ୍ଜାମ ଅବକାରୀ ବିଭାଗ ୨୬୫ କିଲୋ ଗଞ୍ଜେଇ ସମେତ ଗୋଟିଏ ପିକ୍ ଅପ୍ ଭ୍ୟାନ ଜବତ କରିଥିଲେ । ସେହିଦିନ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗସ୍କ୍ୱାଡ୍ ଭୁବନେଶ୍ୱରରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଥିଲା । ୨୨ତାରିଖ ଦିନ କଟକ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ୨୫୦ କିଲୋ ଗଞ୍ଜେଇ ସହିତ ଗୋଟିଏ ଚାରିଚକିଆ ଯାନ ଜବତ କରିଛନ୍ତି ।
ସେହିଭଳି ଏପ୍ରିଲ୍ ୨୩ତାରିଖ ଦିନ କଟକରୁ ୧୩୦କିଲୋ ଗଞ୍ଜେଇ ସହିତ ଗୋଟିଏ ୧୨ଚକିଆ ଟ୍ରକ ଜବତ ହୋଇଥିବାବେଳେ ୨୪ତାରିଖ ଦିନ ସମ୍ବଲପୁର ଅବକାରୀ ଅଧିକାରୀମାନେ ୨୧କିଲୋ ଗଞ୍ଜେଇ ସହିତ ନଗଦ ୧୩ଲକ୍ଷ ଟଙ୍କା ବଲାଙ୍ଗିର ଜିଲ୍ଲାରୁ ଜବତ କରିଥିଲେ ।
ଏନ୍ଡିପିଏସ୍ ମାମଲା ସହିତ ଚଳିତ ମାସରେ ଅବକାରୀ ଚଢଉ ଯୋଗୁଁ ମୋଟ୍୨୯୫୫ ଟି ମାମଲା ରୁଜୁ ହୋଇଥିବାବେଳେ ୨୫୨୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏଥି ସହିତ ୬୮,୦୩୯ କାରଖାନା ତିଆରି ଦେଶୀ ମଦ, ୫,୫୭,୧୯୫ କିଲୋ ମଦ ତିଆରି ସାମଗ୍ରୀ, ୧୨୪୫ କିଳୋ ଭାଭ୍ଗ, ୬୮ଲିଟର ସ୍ପିରିଟ୍, ୨୩ଲିଟର ଟିକସଫାଙ୍କି ବିଦେଶୀମଦ, ୪୬୪ ଲିଟର ନକଲି ବିଦେଶୀମଦ, ୧୨୯୮ କୁଇଣ୍ଟାଲ ମହୁଲ ଫୁଲ ସମେତ ୧୭୮ ଟି ଗାଡିମୋଟର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୩.୪୫ କୋଟି ଟଙ୍କା ବୋଲି ଆକଳନ ହୋଇଛି ।
ଅବକାରୀ କମିଶନର ଶ୍ରୀ ସିଂହ ଏବେ ଏନଫୋର୍ସ କାର୍ଯ୍ୟର ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା କରୁଛନ୍ତି । ଏହି ସମୀକ୍ଷାରେ କ୍ଷେତ୍ର ସ୍ତରରେ ଅବକାରୀ ଚଢଉ କିଭଳି ହେଉଛି ତାହାର ବିସ୍ତୃତ ସମୀକ୍ଷା କରାଯାଉଛି । ଆଗାମୀ ଦିନରେ ଏଭଳି ଅଭିଯାନ ରାଜ୍ୟରେ ଅବକାରୀ ଓ ଏନ୍ଡିପିସ୍ ମାମଲା ହ୍ରାସ କରିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)