ଭୁବନେଶ୍ୱର : ନିଶା କାରବାରକୁ ପ୍ରତିହତ ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିପି) ପକ୍ଷରୁ ଓଡିଶା ସରକାରଙ୍କୁ କୁହାଯାଇଛି । ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲ ଢାଞ୍ଚା ଅନୁଧ୍ୟାନ ଲାଗି ଏନ୍ସିପି ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ ଏନ୍ସିପି ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ନିଶା କାରବାର ରୋକିବାପାଇଁ ପର୍ଯ୍ୟାପ୍ତ ମାନବସମ୍ବଳ ସହିତ ଜଣେ ଏଡିଜି କିମ୍ବା ଆଇଜି ପାହ୍ୟାର ପୁଲିସ୍ ଅଧିକାରୀଙ୍କ ନେତୃତ୍ୱରେ ଉତ୍ସର୍ଗୀକୃତ ଟାସ୍କଫୋର୍ସ ଗଠନ ପାଇଁ କହିଛନ୍ତି । ଉଲ୍ଲେଖ କରାଯାଇପାରେ ଯେ ୨୦୨୧ ଡିସେମ୍ବର ୩୧ ତାରିଖରେ ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଓଡିଶା ସରକାର ନିଶା କାରବାର ରୋକିବାପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି ।
ତେବେ ଇତି ମଧ୍ୟରେ ଏନସିବି ମହାନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଟାସ୍କଫୋର୍ସ ଗଠନ ନିମନ୍ତେ ପରାମର୍ଶ ଦେଇଥିବା ଜଣାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପଞ୍ଜାବ ମଡେଲର ସଫଳତାକୁ ଲକ୍ଷ୍ୟକରି ଏଭଳି ଢାଞ୍ଚାରେ ଟାସ୍କଫୋର୍ସ ଗଠନ କରିବା ସକାଶେ ମତପ୍ରକାଶ ପାଉଛି । ସେ କହିଛନ୍ତି ଯେ ରାଜ୍ୟ ସ୍ତରରେ ଏହି ଟାସ୍କଫୋର୍ସ ହେଉଛି ଏନ୍ସିବିର ନୋଡାଲ ପଏଣ୍ଟ ଭାବେରେ କାର୍ଯ୍ୟ କରିବ । ତେଣୁ ସମସ୍ତ ପ୍ରକାର ମାରାତ୍ମକ ନିଶା ସାମଗ୍ରୀ ମାମଲାଗୁଡିକୁ ଏହା ନିୟନ୍ତ୍ରଣ କରିବ ।
ଦେଶରେ ନିଶା ସାମଗ୍ରୀ ଓ ନିଶାଔଷଧର ବେଆଇନ୍ କାରବାର ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ଚାରିଥାକିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ସ୍ତରରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ନାର୍କୋ କୋର୍ଡିନେସନ ସେଣ୍ଟର ରହିଥିବାବେଳେ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇଛି । ରାଜ୍ୟ ସ୍ତରୀୟ ଟାସ୍କଫୋର୍ସର ମୁଖ୍ୟ ରାଜ୍ୟର ମୁଖ୍ୟ ଶାସନ ସଚିବ ରହିବେ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ । ଏହି ଚାରି ଥାକିଆ ସଂଗଠନ ଦେଶରୁ ନିଶା ସାମଗ୍ରୀ କାରବାରକୁ ନିୟନ୍ତ୍ରଣ ଲାଗି ସମନ୍ୱିତ ଭାବରେ କାର୍ଯ୍ୟ କରିବ ।
ବର୍ତ୍ତମାନ ରାଜ୍ୟ ସରକାର ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରିବେ । ବର୍ତ୍ତମାନ ଜଳପଥରେ ବ୍ୟାପକ ନିଶା କାରବାର ହେଉଥିବାରୁ ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଏହାର ପ୍ରତିହତ ପାଇଁ ପଦକ୍ଷେପ ଗ୍ରହଣ କରିବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସଂଗେ ସଂଗେ ଜିଲ୍ଲା ସ୍ତରରେ ନିଶା ବିରୋଧି କାର୍ଯ୍ୟକ୍ରମକୁ ନଜର ରଖିବାପାଇଁ ଏହା କାର୍ଯ୍ୟ କରିବ ।
ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ କରାଯିବ ତାହା ସେହି ଇଲାକାରେ ଗଞ୍ଜେଇ ଓ ଅଫିମ ଚାଷକୁ ରୋକିବାପାଇଁ ପଦକ୍ଷେପ ଗ୍ରହଣ କରିବ । ଏଥି ସଂଗେ ସଂଗେ ଏହି କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ସେ ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରିବ । ମାରାତ୍ମକ ନିଶା ସାମଗ୍ରୀ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ବ୍ୟାପକ ସଚେତନତା ଅଭିଯାନ ଚଳାଯିବା ଉପରେ ଗୁରୁତ୍ୱଆରୋପ କରାଯାଇଛି । (ତଥ୍ୟ)