Home Agriculture ରାଜଧାନୀରେ ଦଶପଲ୍ଲା ପରିବା

ରାଜଧାନୀରେ ଦଶପଲ୍ଲା ପରିବା

ଭୁବନେଶ୍ୱର : ଚାଷୀମାନେ ଉତ୍ପାଦନ କରିଥିବା ପନି ପରିବାକୁ ଆଜି ସିଧାସଳଖ ଆଣି ରାଜଧାନୀରେ ବିକ୍ରି କରିଛନ୍ତି । ପରିବା ଉତ୍ପାଦନର ଅନ୍ୟତମ ପେଣ୍ଠସ୍ଥଳୀ ଦଶପଲ୍ଲାରୁ ଏହି ପନିପରିବାକୁ ଚାଷୀମାନେ ବେପାରୀଙ୍କୁ ନଦେଇ ଅତି ଶସ୍ତାରେ ସିଧାସଳଖ ଭାବେ ଲୋକଙ୍କୁ ବିକ୍ରି କରିଛନ୍ତି ।

ଦଶପଲ୍ଲା ଫ୍ରେସ ନାମରେ ଆରମ୍ଭ ହୋଇଥିବା ଏହି ଯୋଜନାର ଗାଡି ଆଜି ସକାଳୁ ସକାଳୁ ରସୁଲଗଡରେ ପହଞ୍ଚି ରାସ୍ତାକଡରେ ସେମାନଙ୍କ ପରିବା ବିକିଥିଲେ । ଚାଷୀଙ୍କ ଆୟ ବୃଦ୍ଧି ଲାଗି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦର ସହଯୋଗରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମେ ଦଶପଲ୍ଲାରୁ ବାଇଗଣ, ଟମାଟୋ, କାକୁଡି, ଭେଣ୍ଡି, ଜହ୍ନି, ଫୁଲକୋବି, ପଣସ, ଅମୃତଭଣ୍ଡା ଆଦି ଆସିଥିଲା ।

ଚାଷୀମାନେ ଆଣିଥିବା ପନିପରିବା ଦର ବି ରାଜଧାନୀ ବଜାର ଠାରୁ ଢେର କମ୍‍ ରହିଥିଲା । କାକୁଡି କିଲୋ ୨୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ବାଇଗଣ ୩୦, ଟମାଟୋ ୨୦, ମିଠା ମକା ଗୋଟିକୁ ୫, ଫୁଲକୋବି ଗୋଟିକୁ ୨୦ଟଙ୍କାରେ ବିକ୍ରି ହୋଇଥିଲା । ଦଶପଲ୍ଲାର କୃଷି ଉତ୍ପାଦକ ଗୋଷ୍ଠି ଦେଇଥିବା ସୂଚନା ଅନୁଯାୟୀ ଏହି ଏହି ପନିପରିବା ଉଭୟ ତଟକା, ଜୈବିକ ଓ ଶସ୍ତା ।

ଦଶପଲ୍ଲାରେ ବ୍ୟାପକ ପନିପରିବା ଉତ୍ପାଦନ ହେଉଥିବାବେଳେ ଚାଷୀମାନେ ସେଠାରେ ତାହାକୁ ଅତି ଶସ୍ତା ଦରରେ ବିକ୍ରି କରିଥାନ୍ତି । ଏପରିକି ଅନେକ ସମୟରେ ସେମାନଙ୍କ ବିହନ, ସାର ଆଦିର ପଇସା ଉଠେ ନାହିଁ । ଚାଷୀଙ୍କ ଏଭଳି ଦୁର୍ଦ୍ଦଶାକୁ ଦେଖି ଜୀବନ ରେଖା ପରିଷଦ ପକ୍ଷରୁ ସେହି ଅଞ୍ଚଳରେ ଗୋଟିଏ ସୌରଚାଳିତ ଶୀତଳଭଣ୍ଡାର ନିର୍ମାଣ କରାଯାଇଛି, ଯାହା କି ରାଜ୍ୟରେ ପ୍ରଥମ । ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ କିଛି ପନିପରିବାକୁ ଶୀତଳଭଣ୍ଡାରରେ ରଖି ପରବର୍ତ୍ତୀ ସମୟରେ ଭଲ ଦୁଇପଇସା ଆୟ କରିପାରୁଛନ୍ତି ।

ରାଜଧାନୀକୁ ଆଜି ଆସିଥିବା ପନିପରିବା ସବୁ ଦଶପଲ୍ଲାର ଓଡସରା, ଜହ୍ନିସାହି, ପଙ୍କୁଆ, ଫୁଲରା ଓ ଜାନିସାହି ଆଦି ଗାଁରୁ ଆସିଥିଲା । ସେଠାକାର ଚାଷୀମାନେ ପ୍ରଥମଥର ପାଇଁ ରାଜଧାନୀରେ ଅଧିକ ଦରରେ ପରିବା ବିକ୍ରି ଖୁସି ଥିବାବେଳେ ରାଜଧାନୀବାସୀ ବି ସେମାନଙ୍କ ଠାରୁ ଶସ୍ତାରେ ପରିବା କିଣି ଖୁସି ।

ଜେଆରପି ପକ୍ଷରୁ ଏଭଳି ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ଚାଷୀଙ୍କ ଆୟ ବୃଦ୍ଧି ଲାଗି ଜେଆରପି ସହାୟତାର ହାତ ବଢାଇଛି । ଯେଉଁ ଚାଷୀ ଶାଗମାଛ ଦରରେ ପନିପରିବା ବିକ୍ରି କରୁଥିଲେ ସେମାନେ ଆଜି ଶୀତଳଭଣ୍ଡାର ସହାୟତାରେ ନିଜ ନିଜ କୃଷିଜାତ ସାମଗ୍ରୀକୁ ଆଣି ରାଜଧାନୀରେ ବିକି ଭଲ ଦୁଇପଇସା ପାଇପାରୁଛନ୍ତି ।

ପ୍ରଥମ ଦିନରେ ରସୁଲଗଡବାସୀଙ୍କ ନିକଟରେ ଦଶପଲ୍ଲା ଫ୍ରେସ ପହଞ୍ଚି ଥିବାବେଳେ ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନ ବିଶେଷକରି ଜନବହୁଳ ଆପାର୍ଟମେଣ୍ଟ ଓ କଲୋନୀଗୁଡିକ ନିକଟରେ ଏହା ଲାଗିବ ବୋଲି ଡକ୍ଟର ମିଶ୍ର ସୂଚନା ଦେଇଛନ୍ତି । (ତଥ୍ୟ)