ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇନଥିଲେ ମଧ୍ୟ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନକୁ ଆଖିଆଗରେ ରଖି ଅନେକ ଅଞ୍ଚଳରେ ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀମାନଙ୍କୁ ଆଶୟୀ ଅଧ୍ୟକ୍ଷ ପ୍ରାର୍ଥୀ ଓ ସେମାନଙ୍କ ଦଳର ନେତାମାନେ ଅଜ୍ଞାତବାସକୁ ନେଇ ଯାଇଛନ୍ତି । ଫଳରେ ନିର୍ବାଚନ ସରିଥିଲେ ମଧ୍ୟ ଏବେ ଅନେକ ଅଞ୍ଚଳରେ ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀମାନଙ୍କୁ ଦେଖିବାକୁ ମିଳୁନାହିଁ ।
ଆଜି ସୁଦ୍ଧା ଚାରି ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ୨୪ତାରିଖରେ ହେବ । ଏହା ପରେ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ଭୋଟ ଗଣତି କରାଯାଇ ବିଧିବଦ୍ଧ ଭାବେ ବିଜିତ ପ୍ରାର୍ଥୀମାନଙ୍କ ନାମ ଆସନ୍ତା ମାର୍ଚ୍ଚ ୩ତାରିଖରେ ଜିଲ୍ଲାପାଳମାନେ ସରକାରୀ ବିଜ୍ଞପ୍ତି ଜରିଆରେ ଘୋଷଣା କରିବେ ।
ଏହାପରେ ଆସନ୍ତା ୧୨ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୩ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ବ୍ଲକ ସ୍ତରରେ ହେବ । ସେହିଭଳି ମାର୍ଚ୍ଚ ୧୩ତାରିଖରେ ଜିଲ୍ଲା ପରିଷଦ ସଭାପତି ଓ ୨୫ତାରିଖରେ ଉପସଭାପତି ପଦବୀ ପାଇଁ ନିର୍ବାଚନ ହେବାର ଅଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ସମିତି ସଦସ୍ୟମାନେ ଭୋଟ ଦେବେ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ପରିଷଦର ସଭାପତି ଓ ଉପସଭାପତି ନିର୍ବାଚନ କରିବେ ।
ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ବେଳକୁ ଦଳ ବଦଳ ନିରୋଧ ଆଇନ୍ ଲାଗୁ ହେଉଥିବାରୁ ଯେଉଁମାନେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଭୋଟ ଦେବେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବାର ଆଶଙ୍କା ରହିଛି । ଏହି ନିର୍ବାଚନବେଳେ ପ୍ରାର୍ଥୀମାନେ ଏଜେଣ୍ଟ କିମ୍ବା ଅନ୍ୟ କ୍ଷମତାସୀନ ଅଧିକାରୀଙ୍କୁ ସେ ଦେଇଥିବା ଭୋଟ ଦେଖାଇବାକୁ ଏକ ପ୍ରକାର ବାଧ୍ୟ ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ପଦବୀଗୁଡିକ ଦଖଲ କରିବାପାଇଁ ବିଭିନ୍ନ ରାଜନୈତିକଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । କାଳେ ନିର୍ବାଚନ ପୂର୍ବରୁ ବିଜିତ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଅପହରଣ କରି ବିପକ୍ଷଦଳ ଚାପ ପ୍ରୟୋଗ କରିବେ ସେହି ଆଶଙ୍କାରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଜିଣିବା ସମ୍ଭାବନା ଥିବା ଜିଲ୍ଲା ପରିଷଦ ଓ ସମିତିସଭ୍ୟ ପ୍ରାର୍ଥୀମାନଙ୍କୁ ଦେଖିବାକୁ ମିଳୁନାହିଁ ।
ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କେଉଁଠି ଜିଲ୍ଲାପାରି ତ କେଉଁଠି ରାଜ୍ୟ ପାରି କରି ଲୁଚାଇ ରଖାଯାଇଛି । ଏମିତିକି ଆଉ କେତେକଙ୍କୁ ମଧ୍ୟ ବିଭିନ୍ନ ରାଜ୍ୟର ପ୍ରମୁଖ ସହରରେ ବୁଲାଯାଉଛି । (ତଥ୍ୟ)