ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ହାରାହାରି ୭୮.୩ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ଜିଲ୍ଲାରେ ମତଦାନ ହାର ୮୦ ପ୍ରତିଶତ ଉପରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏହି ହାର ସର୍ବାଧିକ ୮୫.୬୭ ପ୍ରତିଶତ ହୋଇଥିବା ରେକର୍ଡ କରାଯାଇଛି ।
ଅନ୍ୟ ଯେଉଁସବୁ ଜିଲ୍ଲାଗୁଡିକରେ ୮୦ ପ୍ରତିଶତ ଉପରେ ମତଦାନ ହୋଇଛି ସେଗୁଡିକ ହେଲା, ଝାରସୁଗୁଡାରେ ୮୫.୧୪, କଳାହାଣ୍ଡିରେ ୮୩.୮୧, ଗଜପତିରେ ୮୨.୬୯, ଢ଼େଙ୍କାନାଳରେ ୮୧.୦୮, ନବରଙ୍ଗପୁରରେ ୮୧.୭୩, ଭଦ୍ରକରେ ୮୧.୦୪ ଓ ଅନୁଗୁଳରେ ୮୦.୩୨ ପ୍ରତିଶତ ରେକର୍ଡ କରାଯାଇଛି ।
ସେହିଭଳି ସବୁଠାରୁ କମ୍ ମାତ୍ର ୬୪.୮୬ ପ୍ରତିଶତ ମତଦାନ ଗଞ୍ଜାମ ଜିଲ୍ଲାରେ ରେକର୍ଡ ହୋଇଛି । ଏହାପଛକୁ ଯାଜପୁର ଜିଲ୍ଲାରେ ୭୦ ପ୍ରତିଶତ ଭୋଟ ପଡିଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ମତଦାନ ହାର ୭୦ ପ୍ରତିଶତ ଉପରେ ରେକର୍ଡ କରାଯାଇଛି ।
ବାଲେଶ୍ୱର ଜିଲ୍ଲାରେ ମତଦାନ ହାର ୭୮.୪୭ ପ୍ରତିଶତ ଥିବାବେଳେ ବଲାଙ୍ଗୀରରେ ୭୪.୬୩, ବରଗଡରେ ୭୬.୦୨, କଟକରେ ୭୯.୬୪, ଦେବଗଡରେ ୭୮.୩୩, ଜଗତସିଂହପୁରରେ ୭୮.୬୨, କନ୍ଧମାଳରେ ୭୯.୫ ପ୍ରତିଶତ ଭୋଟ ପଡିଛି ।
ସେହିଭଳି କେନ୍ଦ୍ରାପଡାରେ ୭୪.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦୁଝରରେ ୭୮.୧୮, ଖୋର୍ଦ୍ଧାରେ ୭୩.୯୭, କୋରାପୁଟରେ ୭୯.୦୧, ମାଲକାନଗିରିରେ ୭୩.୪୩, ମୟୂରଭଞ୍ଜରେ ୭୬.୮୫, ନୟାଗଡରେ ୭୭.୯୫, ନୂଆପଡାରେ ୭୭.୬୭, ପୁରୀରେ ୭୯.୧୬, ରାୟଗଡାରେ ୭୭.୧୬, ସମ୍ବଲପୁରରେ ୭୮.୪୩ ଓ ସୁନ୍ଦରଗଡରେ ୭୪.୨୫ ପ୍ରତିଶତ ଭୋଟ ପଡିଛି ।
ଦ୍ୱିତୀୟ ପର୍ଯ୍ୟାୟରେ କାଁ ଭାଁ ଗଣ୍ଡଗୋଳକୁ ବାଦ୍ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଯେଉଁସବୁ ମତଦାନ କେନ୍ଦ୍ରରେ ଭୋଟବାକ୍ସ ଲୁଟିବା ଓ ଅନ୍ୟାନ୍ୟ କାରଣ ପାଇଁ ଭୋଟଦାନ ବ୍ୟାହତ ହୋଇଛି ସେଠାରେ ପୁଣିଥରେ ମତଦାନ ଲାଗି ଜିଲ୍ଲା ପ୍ରଶାସନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୁପାରିସ୍ କରିଥିବା ଜଣାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୬୮ଟି ବ୍ଲକର ୨୦,୪୩୬ଟି ବୁଥ୍ରେ ୧୬୮ ଜିଲ୍ଲା ପରିଷଦ ସଦସ୍ୟ ଓ ୧୫୧୪ ସପରଞ୍ଚ ପଦବୀ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବହୁଚର୍ଚ୍ଚିତ କୋଟିଆ ଅଞ୍ଚଳରେ ଭୋଟ ହୋଇଥିଲା । ତେବେ ୨୦୧୭ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୭.୯୧ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି ।