Home General ଓଡିଶାକୁ ମିଳୁଛି ୪୬% ଏମ୍‍ସିଏଲ୍‍ କୋଇଲା

ଓଡିଶାକୁ ମିଳୁଛି ୪୬% ଏମ୍‍ସିଏଲ୍‍ କୋଇଲା

ଭୁବନେଶ୍ୱର : ମହାନଦୀ କୋଲ ଫିଲ୍ଡ (ଏମସିଏଲ୍‍)ରୁ ଯେତେ କୋଇଲା ପଠାଯାଉଛି ତାହାର ୪୬ ପ୍ରତିଶତ ଓଡିଶାର ବିଭିନ୍ନ ଶିଳ୍ପସଂସ୍ଥାକୁ ମିଳୁଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାଳେଣି ଯୋଗାଣ ଚୁକ୍ତିନାମା (ଏଫ୍‍ଏସ୍‍ଏ) ଅନୁଯାୟୀ ଏମ୍‍ସିଏଲ୍‍ ସହିତ ହୋଇଥିବା ରାଜିନାମା ଆଧାରରେ ଶିଳ୍ପସଂସ୍ଥା ସହିତ ଘରୋଇ ତାପଜ ବିଦ୍ୟୁତ୍‍ କେନ୍ଦ୍ରକୁ ବି କୋଇଲା ଯୋଗାଣ ହେଉଛି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଏମ୍‍ସିଏଲ୍‍ ୧୧୭.୧୨ ନିୟୁତ ମେଟ୍ରିକ ଟନ୍‍ କୋଇଲା ଉତ୍ତୋଳନ କରିଥିବାବେଳେ ୧୨୯.୩୭ ନିୟୁତ୍‍ ଟନ୍‍ ଯୋଗାଣ କରିଛି । ଏମ୍‍ସିଏଲ୍‍ ଯୋଗାଣ କରିଥିବା ମୋଟ୍‍ କୋଇଲା ମଧ୍ୟରୁ ଓଡିଶା ଭିତରେ ବିଭିନ୍ନ ସଂସ୍ଥାକୁ ୫୯.୩୫ ନିୟୁତ୍‍ ଟନ୍‍ ଦିଆଯାଇଛି ଯାହା ମୋଟ୍‍ ଯୋଗାଣର ୪୬ ପ୍ରତିଶତ ।

ଏହାବାଦ୍‍ ସେ କହିଛନ୍ତି ଯେ ଓଡିଶା ଭିତରେ ଥିବା ଅଣ ତାପଜ ଶିଳ୍ପସଂସ୍ଥାଗୁଡିକୁ ୩୧.୭୫ ନିୟୁତ ଟନ୍‍ କୋଇଲା ଯୋଗାଣ ହୋଇଛି ଯାହାକି ଓଡିଶାକୁ ଦିଆଯାଇଥିବା ମୋଟ୍‍ କୋଇଲାର ୫୪ ପ୍ରତିଶତ । ୨୦୨୧-୨୨ ବର୍ଷର ଡିସେମ୍ବର ପର୍ଯ୍ୟନ୍ତ ବାର୍ଷିକ ଚୁକ୍ତି ପରିମାଣର ୬୦ ପ୍ରତିଶତ ଓଡିଶାର ସିପିପିଗୁଡିକୁ ଯୋଗାଯାଇଛି । ଅତିରିକ୍ତ ଭାବେ ସ୍ଥାନୀୟ ତାପଜ ବିଦ୍ୟୁତ୍‍ କେନ୍ଦ୍ରଗୁଡିକୁ ମଧ୍ୟ ଡିସେମ୍ବର ୨୦୨୧ ସୁଦ୍ଧା ସ୍ୱତନ୍ତ୍ର ଇ-ନିଲାମ ଯୋଜନାରେ ୧୨.୭୯୭ ନିୟୁତ ଟନ୍‍ କୋଇଲା ପ୍ରଦାନ କରାଯାଇଛି ।

ଉଲ୍ଲେଖନୀୟ ଯେ ରାଷ୍ଟ୍ରାୟତ ସଂସ୍ଥା ଏମ୍‍ସିଏଲ୍‍ ଆବଶ୍ୟକ କୋଇଲା ଯୋଗାଣ କରିନପାରିବାରୁ ରାଜ୍ୟରେ ଥିବା ତାପଜ ବିଦ୍ୟୁତ୍‍କେନ୍ଦ୍ର ଗୁଡିକ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିଲେ । ନିକଟରେ ୟୁସିସିଆଇ ସମେତ ରାଜ୍ୟର ଏକାଧିକ ଶିଳ୍ପ ସଂଘ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକୁ କୋଇଲା ମିଳିବାରେ ଅନିୟମିତତା ନେଇ ମଧ୍ୟ ୟୁସିସିଆଇ ଓ ଶିଳ୍ପସଂଘମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ନିକଟରେ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଗଠନ ପକ୍ଷରୁ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କୋଲ ରେକ୍‍ ଅଭାବରୁ ସିପିପିଗୁଡିକ ଆବଶ୍ୟକତାର ୪୦ରୁ ୫୦ ପ୍ରତିଶତ କୋଇଲା ପାଉଥିବା ଦର୍ଶାଇଥିଲେ । ଦେଶରେ ଗଚ୍ଛିତ ଥିବା ସମୁଦାୟ କୋଇଲା ମଧ୍ୟରୁ ୨୫ ପ୍ରତିଶତ ଓଡିଶାରେ ରହିଛି । ଏମ୍‍ସିଏଲ୍‍ ଉତ୍ପାଦନ କରୁଥିବା ୧୫୦ ନିୟୁତ ଟନ୍‍ କୋଇଲା ମଧ୍ୟରୁ ୬୫ ପ୍ରତିଶତ ଅନ୍ୟ ରାଜ୍ୟକୁ ପଠାଯାଉଥିବାବେଳେ ଓଡିଶାର ଶିଳ୍ପସଂସ୍ଥା ପାଇଁ ୩୫ ପ୍ରତିଶତ ସଂରକ୍ଷିତ ରହୁଛି । ତେବେ ଓଡିଶାର ସିପିପିଗୁଡିକ ପାଇଁ ସର୍ବନିମ୍ନ ୫୫ ପ୍ରତିଶତ କୋଇଲା ଆବଶ୍ୟକ ବୋଲି ସଂଘ ଦର୍ଶାଉଛନ୍ତି । ଅନୁରୂପ ଭାବେ ଭୁବନେଶ୍ୱର ଶିଳ୍ପ ଉଦ୍ୟୋଗ ମହାସଂଘ (ଏଆଇଇବିଏ) ପକ୍ଷରୁ ମଧ୍ୟ କୋଇଲା ସମସ୍ୟା ଦୂରପାଇଁ ରାଜ୍ୟ ସରକାରଙ୍କ ସହାୟତା ଲୋଡାଯାଇଛି । (ତଥ୍ୟ)