ଭୁବନେଶ୍ୱର : ୩୦ବର୍ଷ ଭିତରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ଢ଼େର ହ୍ରାସ ପାଇଛି । କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ, ତ୍ରିପୁରା, ବିହାର, ମଧ୍ୟପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ମଧ୍ୟ ଢ଼େର କମ୍ ରହୁଛି । ସଂସଦରେ ସଦ୍ୟ ଉପସ୍ଥାପିତ କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ପ୍ରଦତ୍ତ ପରିସଂଖ୍ୟାନରେ ଏହି ତଥ୍ୟ ପ୍ରକାଶ ପାଇଛି ।
ଆର୍ଥିକ ସର୍ଭେ ରିପୋର୍ଟ ମୁତାବକ ୧୯୯୨-୯୩ ବେଳକୁ ଓଡ଼ିଶାରେ ଜନ୍ମ ହେଉଥିବା ପ୍ରତି ହଜାରେ ପିଲା ମଧ୍ୟରୁ ୧୧୨ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୧୯୯୮-୯୯ ବେଳକୁ ଏହି ସଂଖ୍ୟା ୮୧ରେ ଥିଲା । ତେବେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ପଞ୍ଚମ ରିପୋର୍ଟ ଅନୁଯାୟୀ ଗତବର୍ଷରେ ଓଡ଼ିଶାରେ ଏହି ଶିଶୁମୃତ୍ୟୁ ହାର ହଜାରରେ ୩୬.୩ ପ୍ରତିଶତକୁ ହ୍ରାସ ପାଇଛି ।
ଏହି ଧାରା ଅବ୍ୟାହତ ରହିଲେ ୨୦୨୫ ବେଳକୁ ଓଡ଼ିଶାରେ ସଦ୍ୟଜାତ ଶିଶୁମାନଙ୍କ ମଧ୍ୟରେ ମୃତ୍ୟୁହାର ୨୦ରୁ ୨୫ ମଧ୍ୟରେ ସୀମିତ ରହିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଉତ୍ତରପ୍ରଦେଶ, ଛତିଶଗଡ, ବିହାର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଆଦି ବହୁ ରାଜ୍ୟ ତୁଳନାରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ଢ଼େର କମ୍ ଅଛି ।
୫ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ମଧ୍ୟରେ ପ୍ରତି ହଜାରରେ ମୃତ୍ୟୁସଂଖ୍ୟା ଓଡ଼ିଶାରେ ୧୯୯୨-୯୩ ବେଳକୁ ୧୩୧ରେ ଥିବାବେଳେ ଏହା କମି କମି ଗତବର୍ଷ ବେଳକୁ ୪୧ରେ ପହଞ୍ôଚଛି । ଆଉ ୧୦ବର୍ଷ ମଧ୍ୟରେ ଏହି ହାର ୨୦ ତଳକୁ ରହିପାରେ ବୋଲି ଯୋଜନା ବିଶାରଦମାନେ ଆଶାବ୍ୟକ୍ତ କରୁଛନ୍ତି । ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟର ବିବରଣୀ ମୁତାବକ ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ମଧ୍ୟରେ ପ୍ରତି ହଜାରରେ ଓଡ଼ିଶାରେ ମୃତ୍ୟୁହାର ୪୧.୧ ଥିବାବେଳେ ଉତ୍ତର ପ୍ରଦେଶରେ ଏହା ୫୯.୮, ଛତିଶଗଡରେ ୫୦.୪, ଉତ୍ତରାଖଣ୍ଡରେ ୪୫.୬, ମଧ୍ୟପ୍ରଦେଶରେ ୪୯.୨ ଓ ବିହାରରେ ୫୬.୪ ପ୍ରତିଶତ ରହିଛି । ଅର୍ଥାତ୍ ଅନେକ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହି ସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି ।
୫ ବର୍ଷରୁ କମ୍ ପିଲାଙ୍କ ଭିତରେ ବୟସ ଅନୁପାତରେ ଉଚ୍ଚତା ଓଡ଼ିଶାରେ ୩୧ ପ୍ରତିଶତ ପିଲାଙ୍କର କମ୍ ରହିଥିବା ବେଳେ ଉତ୍ତରପ୍ରଦେଶ, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ର, ବିହାର, ଆସାମ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଆଦି ରାଜ୍ୟ ଏ କ୍ଷେତ୍ରରେ ଓଡ଼ିଶାଠାରୁ ଢ଼େର ପଛରେ ଅଛନ୍ତି । ସେହିଭଳି ଏହି ବୟସର ପିଲାଙ୍କ ଭିତରେ ଉଚ୍ଚତା ଅନୁପାତରେ ଓଜନ ଓଡ଼ିଶାରେ ୧୮ ପ୍ରତିଶତ ପିଲାଙ୍କର କମ୍ ରହୁଥିବା ବେଳେ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଗୁଜରାଟ, ଜାମ୍ମୁ-କାଶ୍ମୀର, ଆସାମ, ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ଅନେକ ରାଜ୍ୟରେ ସ୍ଥିତି ଓଡ଼ିଶାଠାରୁ ଢ଼େର ଖରାପ ।
ଏହି ବୟସର ପିଲାଙ୍କ ମଧ୍ୟରେ ବୟସ ଅନୁପାତରେ ଓଜନ ଓଡ଼ିଶାରେ ୨୯.୭ ପ୍ରତିଶତ ପିଲାଙ୍କର କମ୍ ରହୁଥିବା ବେଳେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ, ଗୁଜରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ ଆଦି ରାଜ୍ୟର ସ୍ଥିତି ଓଡ଼ିଶା ତୁଳନାରେ ଢ଼େର ଦୟନୀୟ ଥିବା କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟରୁ ପ୍ରକାଶ ।
ମୋଟାମୋଟି ଭାବେ ଶିଶୁଙ୍କ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଓଡ଼ିଶା ଦେଶର ଅନେକ ତଥାକଥିତ ଅଗ୍ରଣୀ ରାଜ୍ୟଙ୍କଠାରୁ ଭଲ ପ୍ରଦର୍ଶନ କରୁଛି । ମିଶନଶକ୍ତି, ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର, ଗାଁ ଗହଳରେ କାର୍ଯ୍ୟରତ ଆଶା ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରଚେଷ୍ଟା, ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଫଳରେ ପୁଷ୍ଟିହୀନତା ଓ ରକ୍ତହୀନତା ଦୂର କରିବା ଲାଗି ଚାଲିଥିବା ସରକାରୀ କାର୍ଯ୍ୟକ୍ରମକୁ ମିଶନ ମୋଡ୍ରେ ରୂପାୟନ କରାଯାଉଥିବା ଫଳରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅନ୍ୟ ବହୁ ରାଜ୍ୟ ତୁଳନାରେ ଓଡ଼ିଶାରେ ଉନ୍ନତତର ରହୁଥିବା ଯୋଜନା ବିଶାରଦମାନେ ସ୍ୱୀକାର କରୁଛନ୍ତି ।