ଭୁବନେଶ୍ୱର : ପ୍ରାର୍ଥୀତାଲିକା ଚୂଡାନ୍ତ ପରେ ଏବେ ବିଭିନ୍ନ ଦଳର ସମର୍ଥିତ ଓ ସ୍ୱାଧୀନ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇଥିବାବେଳେ ଡିଜିଟାଲ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତେବେ ଏଥିପାଇଁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଏବେ ବିଭିନ୍ନ ଡିଟିପି ସେଣ୍ଟର, ଫ୍ଲେକ୍ସ ଛପା କାରକାନା ଓ ସୋସିଆଲ ମିଡିଆ ପ୍ରଚାର ଚଳାଇଥିବା ସଂସ୍ଥାଗୁଡିକରେ ଭିଡ ଜମାଇଛନ୍ତି ।
ପ୍ରାର୍ଥୀପତ୍ର ପତ୍ୟାହାର ପରେ ପରେ ଚୂଡାନ୍ତ ତାଲିକାରେ ଥିବା ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ଚିହ୍ନଟ ପ୍ରଦାନ କରାଯାଇଥିଲା । ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ ପାଇଁ ଲଢୁଥିବା ପ୍ରାର୍ଥୀମାନେ ସେମାନଙ୍କ ଚିହ୍ନ ସଂକ୍ରାନ୍ତରେ ଅବଗତ ଥିବାବେଳେ ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କୁ ଲିଖିତ ଆକାରରେ ସେମାନଙ୍କ ଚିହ୍ନ ସଂକ୍ରାନ୍ତରେ ଜଣାଇ ଦିଆଯାଇଥିଲା ।
ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ସଭା, ଶୋଭାଯାତ୍ରା ଓ ସମାବେଶ ଆଦି ଉପରେ କଡା କଟକଣା ଲାଗିବା ସହିତ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ଡିଜିଟାଲ ପ୍ରଚାର ପାଇଁ ପ୍ରାର୍ଥୀମାନେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରାୟ ସମସ୍ତ ପ୍ରାର୍ଥୀ ଫେସ୍ବୁକ୍, ହ୍ୱାଟସ୍ଆପ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ବ୍ୟବହାର କରୁଥିବାବେଳେ ଏଥିରେ କିଭଳି ନିଜ ନିଜର ରଙ୍ଗ ବେରଙ୍ଗ ଫଟୋ ଓ ଚିହ୍ନ ରହିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ।
ତେବେ ସଂଖ୍ୟାଧିକ ପ୍ରାର୍ଥୀ ଡିଜିଟାଲ କାରବାର ସହିତ ଜଡିତ ନଥିବାରୁ ସେମାନେ ବିଭିନ୍ନ ଡିଟିପି ସେଣ୍ଟରରେ ଭିଡ ଲଗାଇଛନ୍ତି । ଏଠାରେ ନିଜର ଫଟୋ ଇଠାଇବା ସହିତ ବିଭିନ୍ନ ପ୍ରକାରର ଲେଖା ଓ ନିଜର ଦଳୀୟ ଚିହ୍ନ ଯୋଡି ବ୍ୟାନର ପୋଷ୍ଟର ଆଦି ତିଆରି କରୁଛନ୍ତି । ତାହାକୁ ସଂଗେ ସଂଗେ ନିଜ ନିଜର ସୋସିଆଲ ମିଡିଆ ସାଇଟ୍ରେ ଛାଡୁଛନ୍ତି ।
ଗାଁ ଗହଳର ବହୁ ପ୍ରାର୍ଥୀ ସୋସିଆଲ ମିଡିଆ ସହିତ ପରିଚିତ ନଥିବାରୁ ଏବେ ସେମାନଙ୍କ ସମର୍ଥକ ଓ ଅନ୍ୟମାନେ ଅଳ୍ପ ପାରିଶ୍ରମିକରେ ତତ୍କାଳ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ପ୍ରଚାର ଆରମ୍ଭ କରିଦେଉଛନ୍ତି । ତେବେ ଗାଁ ଗହଳରେ ଏବେ ଏଥିପାଇଁ ଧିମା ଇଣ୍ଟରନେଟ୍ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ପାଇଁ କାଳ ସାଜିଛି ।
ଆଉ କିଛି ପ୍ରାର୍ଥୀ ଏବେ ଫ୍ଲେକ୍ସ ବ୍ୟାନର ଛପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ମତଦାନ ତିନି ଚାରିଦିନ ପୂର୍ବରୁ ପ୍ରାର୍ଥୀମାନେ ଏହାକୁ ଟଙ୍ଗାଇବା ସପକ୍ଷରେ ଅଛନ୍ତି । ସେହିଭଳି କାନ୍ଥ ବାଡରେ ମାରିବାପାଇଁ କାଗଜ ପୋଷ୍ଟର ଛପାଇବାକୁ ବି ଏବେ ବିଭିନ୍ନ ପ୍ରେସ୍ରେ ଭିଡ ଆରମ୍ଭ ହୋଇଛି । ହାତରେ ମାତ୍ର ୨୦ଦିନରୁ କମ୍ ସମୟ ଥିବାରୁ ହଜାର ହଜାର ପ୍ରାର୍ଥୀ ଏବେ ବିକଳିଆ ସ୍ଥିତିରେ ଅଛନ୍ତି ।
ତେଣୁ ଋତକାଳୀନ ବ୍ୟବସାୟ ଭଳି ବର୍ତ୍ତମାନ ଭଲ ଦୁଇପଇସା ରୋଜଗାର ଲକ୍ଷ୍ୟରେ ଡିଟିପି ସେଣ୍ଟର, ଫ୍ଲେକ୍ସ ଛପାଉଥିବା କାରଖାନା ଓ ପ୍ରେସ୍ ଆଦି ଲକ୍ଷ୍ୟ ରଖିଥିବାବେଳେ ପ୍ରାର୍ଥୀମାନେ ସ୍ଥିତିକୁ ଦେଖିଚାହିଁ ଖର୍ଚ୍ଚ କରୁଥିବା ଲକ୍ଷ୍ୟ କରାଯାଉଛି । ନିଶ୍ଚିତ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀମାନେ ହାତଖୋଲା ଖର୍ଚ୍ଚ କରୁଥିବାବେଳେ ଅନିଶ୍ଚିତତା ଭିତରେ ଥିବା ପ୍ରାର୍ଥୀମାନେ ମାପିଚୁପି ଖର୍ଚ୍ଚ କରୁଛନ୍ତି । (ତଥ୍ୟ)