Home Election ବଢୁଛି ନିର୍ବାଚନୀ ଅଭିଯୋଗ

ବଢୁଛି ନିର୍ବାଚନୀ ଅଭିଯୋଗ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ ହିଂସାକାଣ୍ଡ ବୃଦ୍ଧି ସହ ଅଧିକରୁ ଅଧିକ ସଂଖ୍ୟକ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆସୁଛି । ନିର୍ବାଚନକୁ ହିଂସାମୁକ୍ତ କରିବାପାଇଁ ସନ୍ଦିଗ୍ଧ ଅପରାଧିମାନଙ୍କ ଉପରେ ପୁଲିସ୍‍ ସତର୍କଦୃଷ୍ଟି ରଖୁଥିବାବେଳେ ଆବଶ୍ୟକସ୍ଥଳେ ଫେରାର ଆସାମୀମାନଙ୍କୁ ଗିରଫ କରିବା ଓ ଯେଉଁମାନେ ଜାମିନରେ ଅଛନ୍ତି ସେମାନଙ୍କର ଗତିବିଧି ଉପରେ ନଜର ରଖାଯାଉଛି ।

ଏବେ ବିଭିନ୍ନ ସ୍ଥାନରୁ ଅପହରଣ, ବୋମାମାଡ, ଘରପୋଡି, ଗୋଷ୍ଠି ସଂଘର୍ଷ, ଆକ୍ରମଣ ଓ ପ୍ରତିଆକ୍ରମଣ ଭଳି ଅଭିଯୋଗମାନ ଆସୁଛି । ଏମିତିକି ବରିଷ୍ଠ ନେତାମାନେ ମାରପିଟ୍‍ ସହ ଗାଳିଗୁଲଜ କରିବା ଘେନି ମଧ୍ୟ ପୁଲିସ୍‍ ନିକଟରେ ଅଭିଯୋଗମାନ ଗଦା ହେବାରେ ଲାଗିଛି । ଏହା ପୁଲିସ୍‍ ପାଇଁ ମୁଣ୍ଡବିନ୍ଧାର କାରଣ ହେଉଛି ।

ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ କହିଛନ୍ତି ଯେ କେଉଁ ଅଞ୍ଚଳର କେଉଁ ବୁଥ୍‍ ସବୁ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ତାହାର ତାଲିକା ପ୍ରସ୍ତୁତି ଚାଲିଛି । କରୋନା ପରିପ୍ରେକ୍ଷୀରେ ପଞ୍ଚାୟତ ର୍ନିବାଚନ ପାଇଁ ଉଭୟ ନିର୍ବାଚନ କମିଶନ ଓ ସ୍ୱତନ୍ତ୍ର ରିଲିଫ କମିଶନର କଟକଣା ଜାରି କରିଛନ୍ତି । ତେବେ ନାମାଙ୍କନପତ୍ର ଦାଖଲବେଳେ ଅନେକ ସ୍ଥଳରେ ଏହାର ଖୋଲା ଉଲ୍ଲଙ୍ଘନ କରାଯାଇ ବିନା ମାସ୍କରେ ଦୂରତ୍ୱ ରକ୍ଷା ନକରି ଅଧିକ ସଂଖ୍ୟକ ଲୋକଙ୍କୁ କେତେକ ଦଳ ଓ ପ୍ରାର୍ଥୀ ଶୋଭାଯାତ୍ରାରେ ସାମିଲ କରିଥିବାର ଭିଡିଓ ବାରମ୍ବାର ପ୍ରସାରିତ ହେବାରେ ଲାଗିଛି । ଏ ଘଟଣାର ତଦନ୍ତ ଚାଲିଥିଲେ ମଧ୍ୟ ଏଯାବତ୍‍ କାହା ବିରୁଦ୍ଧରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଇତି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଘେନି ଗୋଷ୍ଠି କନ୍ଦଳ ଉତ୍କଟ ହେବାରେ ଲାଗିଛି । ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ଏବେ ପ୍ରଚଣ୍ଡ ଶୀତ ସତ୍ୱେ ନିର୍ବାଚନ ବାତାବରଣ କିନ୍ତୁ ସରଗରମ ହେବାରେ ଲାଗିଛି । ଏ କ୍ଷେତ୍ରରେ ପେଶାଦାର ଅପରାଧିମାନେ ବିଭିନ୍ନ ପ୍ରାର୍ଥୀଙ୍କ ଲାଗି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟ କରୁଥିବାରୁ ହିଂସାକାଣ୍ଡ ବଢୁଛି । ଏହି ଅପରାଧିମାନେ ନିର୍ବାଚନକୁ ଆଖିଆଗରେ ରଖି ଚୋରା ନିଶା କାରବାରରେ ବି ସକ୍ରିୟ ରହୁଥିବା ଅଭିଯୋଗ ଆସୁଛି । ଯାଞ୍ଚ ପରେ ନାମାଙ୍କନପତ୍ର କଟିଥିବାରୁ କେତେକ ପ୍ରାର୍ଥୀ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହେବାପାଇଁ ଓକିଲଙ୍କ ସହ ପରାମର୍ଶ କରୁଥିବା ଦେଖିବାକୁ ମିଳୁଛି ।

କେବଳ ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଚିହ୍ନରେ ହେଉଥିବାବେଳେ ଏଯାବତ୍‍ ନିର୍ବାଚନ କମିଶନ କିମ୍ବା କୌଣସି ଦଳ ବିଧିବଦ୍ଧ ଭାବେ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ସେହିପରି କେଉଁ ଦଳର କେଉଁ ପ୍ରାର୍ଥୀଙ୍କର କି ପ୍ରକାରର ଅପରାଧିକ ପୃଷ୍ଠଭୂମି ମାମଲା ରହିଛି ତାହା ବି ଏଯାବତ୍‍ କୌଣସି ଦଳ ଘୋଷଣା କରିନାହାନ୍ତି ।

ସବୁଠାରୁ ବେଶି ଉତ୍ତେଜନା ସୃଷ୍ଟି କରୁଛି ସରପଞ୍ଚ ନିର୍ବାଚନ । ଦଳୀୟ ଚିହ୍ନରେ ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେଉନଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳର ଲୋକେ ଜାଣନ୍ତି କିଏ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ।

ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ଓଡିଶାର ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତେ ଅଧିକ ସରଗରମ ହେଉଥିବାବେଳେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଏବେ ନିଜ ନିଜ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ଡେରା ପକାଇ ଗଡରକ୍ଷା ଲାଗି କଳ, ବଳ, କୌଶଳ ଖଟାଉଥିବାବେଳେ ଭବିଷ୍ୟତ ନେତୃତ୍ୱ ପାଇଁ ଆଶାୟୀ ଥିବା ନେତାମାନେ ବି ଏ ପ୍ରତିଯୋଗିତାରେ ପଛରେ ପଡୁ ନାହାନ୍ତି । (ତଥ୍ୟ)