ଭୁବନେଶ୍ୱର : ପନି ପରିବାର ଅଭାବୀ ବିକ୍ରିକୁ ରୋକିବାପାଇଁ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଛି ଦଶପଲ୍ଲା ଅଞ୍ଚଳର ଓଡସରା ଗାଁରେ । ବିଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ଶୀତଳଭଣ୍ଡାରର ବିଶେଷତ୍ୱ ହେଲା ଏଠାରେ ଭିନ୍ନ ଭିନ୍ନ ରକମର ପନିପରିବାପାଇଁ ଅଲଗା ଅଲଗା ତାପମାତ୍ରା ଉପଲବ୍ଧ ହେବ ।
ଦଶପଲ୍ଲା ଅଞ୍ଚଳରେ ପ୍ରଚୁର ପନିପରିବା ଉତ୍ପାଦିତ ହେଉଥିବାବେଳେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇପାରୁ ନାହାନ୍ତି । ବାଧ୍ୟହୋଇ ସେମାନେ ଅତି ଶସ୍ତା ଦରରେ ଏହାକୁ ବିକ୍ରି କରୁଛନ୍ତି । ତେଣୁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ପନିପରିବାର ଉଚିତ୍ ମୂଲ୍ୟ ଦେବା ସକାଶେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ (ଜେଆରପି) ଓ ବ୍ରିଟେନର ବ୍ରୁନେଲ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରିଛନ୍ତି ।
ଶୀତଳଭଣ୍ଡାର ସଂକ୍ରାନ୍ତରେ ସୂଚନା ଦେଇ ଜେଆରପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ଏହି ଶୀତଳଭଣ୍ଡାର ପାଇଁ ବ୍ରୁନେଲ ବିଶ୍ୱବିଦ୍ୟାଳୟ ସମସ୍ତ ପ୍ରକାର ଜ୍ଞାନକୌଶଳ ଓ ସହାୟତା ଯୋଗାଇ ଦେଇଛନ୍ତି । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଥିବାବେଳେ ଏଥିରେ ୧୦ ମେଟ୍ରିକ ଟନ୍ ପନିପରିବା ରହିପାରିବ । ବିଭିନ୍ନ କିସମର ପନିପରିବା ଯଥା ଟମାଟୋ, ବାଇଗଣ, ଭେଣ୍ଡି, ବନ୍ଧାକୋବି ଆଦି ପାଇଁ ସ୍ୱତନ୍ତ୍ର କଣ୍ଟେନର ରହିଛି । ତେଣୁ କଣ୍ଟେନରଗୁଡିକ ପାଇଁ ଭିନ୍ନ ଭିନ୍ନ ତାପମାତ୍ରା ଉପଲବ୍ଧ କରାଯାଇ ପାରିବ ।
ଏହି ଶୀତଳଭଣ୍ଡାର ପରିଚାଳନା ପାଇଁ ସମ୍ପୃକ୍ତ ଅଞ୍ଚଳରେ ସମିତି ଗଠନ କରାଯାଇ ଏଥିରେ ପରିବାଚାଷୀମାନଙ୍କୁ ସାମିଲ କରାଯାଇଛି । ଏଥି ସହିତ ଶୀତଳଭଣ୍ଡାର ପରିଚାଳନା ପାଇଁ ଗୋଟିଏ ଆପ୍ ପ୍ରସ୍ତୁତ ହୋଇଛି ଏବଂ ଚାଷୀଙ୍କୁ ଏହା ଯୋଗାଇ ଦିଆଯାଇଛି । ଆପ୍ ଜରିଆରେ ଚାଷୀମାନେ ପ୍ରତି ମୂହୂର୍ତ୍ତରେ ଶୀତଳଭଣ୍ଡାର ତାପମାତ୍ରା ସହିତ କେତେ ସ୍ଥାନ ଉପଲବ୍ଧ ଅଛି ଜାଣିବା ସହିତ ତାପମାତ୍ରାକୁ ବି ଘରେ ବସି ନିୟନ୍ତ୍ରଣ କରିବେ ।
ଏହି ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରାୟ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସମସ୍ତ ଖର୍ଚ୍ଚ ଜେଆରପି ଓ ବ୍ରୁନେଲ ବିଶ୍ୱବିଦ୍ୟାଳୟ ବହନ କରିଛନ୍ତି । ତେବେ ଏହାର ରକ୍ଷଣା ବେକ୍ଷଣ ପାଇଁ ଚାଷୀମାନଙ୍କୁ ଗୋଟିଏ କୁଇଣ୍ଟାଲ ପରିବା ରଖିବାପାଇଁ ୧୦ଟଙ୍କା କରି ଦେବାକୁ ପଡିବ । ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବଳକା ପନିପରିବାକୁ ଆଉ ବେପାରୀଙ୍କ ହାତରେ ଶସ୍ତା ଦରରେ ଟେକିଦେବେ ନାହିଁ ।
ଏହି ଶୀତଳଭଣ୍ଡାର କେବଳ ପନିପରିବାର ଅଭାବି ବିକ୍ରିକୁ ରୋକିବ ନାହିଁ ଗଚ୍ଛିତ ରହିଥିବା ପରିବାକୁ ତିରୋଟ ସମୟରେ ବିକ୍ରିକରି ଉଚିତ୍ ମୂଲ୍ୟ ପାଇପାରିବେ । ଆସନ୍ତା ଫେବୃୟାରୀ ପହିଲାରୁ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଚାଷୀମାନେ ଏବେ ଠାରୁ ଏଠାରେ ପନିପରିବା ରଖିବାକୁ ସଜେବାଜ ହେଲେଣି । (ତଥ୍ୟ)