ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ପ୍ରାୟ ୭୦ହଜାର କୋଟି ଟଙ୍କା ପାଇବାର ଆଶା ରଖି ଯେଉଁ ବୃହଦାକାୟ ବଜେଟ୍ ପ୍ରସ୍ତୁତ କରିଛନ୍ତି ସେଥିପାଇଁ ପ୍ରକୃତ ପକ୍ଷେ ଆବଶ୍ୟକୀୟ ଅନୁଦାନ ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
କରୋନା ଯୋଗୁଁ ଦେଶର ଆର୍ଥିକ ଅବସ୍ଥା ଜଟିଳ ପରିସ୍ଥିତି ମଧ୍ୟଦେଇ ଗତି କରୁଥିବାବେଳେ ରାଜ୍ୟ ସରକାର କେନ୍ଦ୍ରୀୟ ଅଂଶଧନ ଓ ଅନୁଦାନ ବାବଦରେ ୬୮,୨୯୯ କୋଟି ଟଙ୍କା ଚଳିତ ଆର୍ଥିକବର୍ଷ ମଧ୍ୟରେ ପାଇବେ ବୋଲି ବଜେଟ୍ରେ ବ୍ୟବସ୍ଥା ରଖିଛନ୍ତି । ତେବେ ଅଂଶଧନ ବାବଦରେ ୩୬,୨୯୯ କୋଟି ଟଙ୍କା ଓ ଅନୁଦାନ ବାବଦରେ ୩୨ହଜାର କୋଟି ଟଙ୍କା ମିଳିବ ବୋଲି ଆର୍ଥିକବର୍ଷ ଆରମ୍ଭରେ ଯେଉଁ ଆକଳନ କରାଯାଉଥିଲା ଏବେ ତାହା ମିଳିବା ନେଇ ଗୁରୁତର ଆଶଙ୍କା ଉପୁଜିଲାଣି । କାରଣ କେନ୍ଦ୍ର ଧିରେ ଧିରେ କେନ୍ଦ୍ରୀୟ ଯୋଜନାରେ ଅନୁଦାନର ପରିମାଣ ହ୍ରାସ କରିବା ସଂଗେ ସଂଗେ ଯୋଜନାମାନଙ୍କରେ ଖର୍ଚ୍ଚକାଟ ଆରମ୍ଭ କରିଦେଲେଣି ।
ଏବେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସଂସ୍କାର ଆଣି ଅଧିକ ଋଣ ସଂଗ୍ରହ କରିବାପାଇଁ ପ୍ରସ୍ତାବ ଦେଇଛନ୍ତି । ସରକାରୀ ଅଧିକାରୀଙ୍କ କହିବାକଥା ଯେ ଆର୍ଥିକ ସଂସ୍କାର ଆଣିବା ପରେ ଏହାକୁ ପ୍ରୋତ୍ସାହିତ କରିବାପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ବୃଦ୍ଧି କରିବା ଆବଶ୍ୟକ । ତାହାଦ୍ୱାରା ରାଜ୍ୟମାନେ ସଂସ୍କାର ଆଣିବାପାଇଁ ଉତ୍ସାହିତ ହେବେ । କିନ୍ତୁ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ଅଧିକ ଋଣ ବୋଝ ବୋହିବାପାଇଁ ଅରାଜି ଥିବା ବାରିହୋଇ ଯାଇଛି ।
ଏହା ଫଳରେ କେନ୍ଦ୍ର ସରକାର ଯେଉଁ ଚାରିଗୋଟି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାପାଇଁ ରାଜ୍ୟମାନଙ୍କୁ କହିଥିଲେ ତାହା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟମାନଙ୍କ ପକ୍ଷରୁ ଆଗ୍ରହ ପରିଲକ୍ଷିତ ହେଉନାହିଁ । ଓଡିଶାରେ ମଧ୍ୟ ଅନୁରୂପ ଅବସ୍ଥା ଉପୁଜିଛି । ଏକ ଦେଶ ଏକ ରାସନ କାର୍ଡ, ସହଜ ବ୍ୟବସାୟିକ ସଂସ୍କାର, ସହରାଞ୍ଚଳର ବ୍ୟବସ୍ଥାଏବଂ ବିଜୁଳି କ୍ଷେତ୍ରରେ ସଂସ୍କାର ଆଣିବାକୁ ଯାଇ କେନ୍ଦ୍ର ସରକାର ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି) ର ଧାର୍ଯ୍ୟ ଋଣ ସୀମା ଠାରୁ ଅଧିକ ୨ ପ୍ରତିଶତ କରିବାର ଯେଉଁ ସୁଯୋଗ ଦେଉଛନ୍ତି ତାହା ସପକ୍ଷରେ ରାଜ୍ୟ ସ୍ତରରେ ଅନୁକୂଳ ମତ ପ୍ରକାଶ ପାଉନାହିଁ ।
ତେଣୁ ଏଭଳି ନ ଯୌ ତ ସ୍ତୌ ବ୍ୟବସ୍ଥା ମଧ୍ୟରେ କେନ୍ଦ୍ରରୁ ଧାର୍ଯ୍ୟ ପରିମାଣ ଅନୁଦାନ ମିଳିବାର ସମ୍ଭାବନା କ୍ଷୀଣ ହେବା ସଂଗେ ସଂଗେ ବର୍ତ୍ତମାନ ସୁଦ୍ଧା ମୋଟ ଆକଳନର ଶତକଡା ୫୦ ଭାଗ ରାଜ୍ୟକୁ ମିଳିପାରି ନାହିଁ । ତେଣୁ ଆଉ ସାଢେ ୩ମାସ ମଧ୍ୟରେ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶଧନ ମିଳିବା ନେଇ ଅଧିକାରୀମାନେ ସନ୍ଦିହାନ ।