ଭୁବନେଶ୍ୱର : ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଖାଉଟି ଅଦାଲତମାନ ଖୋଲିଥିବାବେଳେ ଭଦ୍ରକରେ କିନ୍ତୁ ଏହା ଏକପ୍ରକାର ଅଚଳ । ଦୀର୍ଘଦିନ ଏଠାରେ ଅଦାଲତ ଚଳାଇବାକୁ ଅଧ୍ୟକ୍ଷ କିମ୍ବା ସଦସ୍ୟ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ଶୋଷଣ ଓ ଠକାମୀର ଶିକାର ହେଉଥିଲେ ବି ବହୁ ଗ୍ରାହକ ଅଭିଯୋଗ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଥିବା ଖାଉଟି ଅଦାଲତରେ ଗତବର୍ଷ ଏପ୍ରିଲ ମାସରୁ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପଦବୀ ଖାଲି ପଡିଛି । ଏହା ପୂରଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ୧୯୯୬ ମସିହାରେ ଜିଲ୍ଲାରେ ଏହି ଅଦାଲତ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପୂର୍ବରୁ ଏଭଳି ଅବସ୍ଥା କେବେ ସୃଷ୍ଟି ହୋଇନଥିଲା ।
ଅଦାଲତ ଅଚଳ ଥିବାରୁ ଜିଲ୍ଲାରୁ ଅଭିଯୋଗ ଆସିବା ଏକ ପ୍ରକାର ହ୍ରାସ ପାଇଛି । ଲୋକେ ଠକାମୀ ଓ ଶୋଷଣର ଶିକାର ହେଲେ ମଧ୍ୟ ଏଠାକୁ ଆସୁନାହାନ୍ତି । କାରଣ ସେମାନଙ୍କ ଅଭିଯୋଗ ଶୁଣିବାପାଇଁ ଏଠାରେ କେହି ନାହାନ୍ତି । ଅଦାଲତରେ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ରାଜକୋଷରୁ ଲକ୍ଷାଧିକ ଟଙ୍କାର ଦରମା ନେଉଥିଲେ ମଧ୍ୟ ଏକ ପ୍ରକାର ହାତବାନ୍ଧି ବସିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଏହି ଖାଉଟି ଅଦାଲତରେ ପ୍ରାୟ ୪ହଜାର ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୦୦ଟି ମାମଲାର ଚୂଡାନ୍ତ ରାୟ ପ୍ରକାଶ ଅପେକ୍ଷାରେ ଥିବାବେଳେ ୨୦୦ ମାମଲାର ବିଚାର ଅଧାପନ୍ତରିଆ ଅବସ୍ଥାରେ ରହିଛି । ଅଧ୍ୟକ୍ଷ ଓ ସଦସ୍ୟଙ୍କ ଅନୁପସ୍ଥିତ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇପାରୁନଥିବାବେଳେ ଲୋକେ ବି କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛି ।
ଖାଉଟିମାନଙ୍କୁ ସୁରକ୍ଷା ଯୋଗାଇବା ଉପରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଏପରିକି ଠକାମୀ ଓ ଶୋଷଣର ଶିକାର ହେଉଥିବା ଖାଉଟିଙ୍କ ପାଇଁ ଟୋଲଫ୍ରି ଫୋନ୍ ନମ୍ବର ବି ଜାରି ହୋଇଛି । ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରିବାପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି । ହେଲେ ଭଦ୍ରକ ଜିଲ୍ଲାରେ କିନ୍ତୁ କଥା ଭିନ୍ନ । ଲୋକେ ଚାହିଁଲେ ବି ନିଜ ଜିଲ୍ଲାରେ ଅଭିଯୋଗ କରିବାୁ ଆସୁନାହାନ୍ତି ।
ବର୍ତ୍ତମାନ ଖାଉଟି ସାମଗ୍ରୀ ଠାରୁ ଆରମ୍ଭକରି ଗାଡିମୋଟର ଖରିଦ ଏପରିକି ବ୍ୟାଙ୍କ୍ କାରବାରରେ ବହୁ ଲୋକ ଠକାମୀର ଶିକାର ହେଉଥିବାରୁ ବିଭିନ୍ନ ଖାଉଟି ଅଦାଲତରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ତେବେ ଭଦ୍ରକ ଜିଲ୍ଲାରେ ଅଚଳ ହୋଇ ପଡିଥିବା ଖାଉଟି ଅଦାଲତରେ ତୁରନ୍ତ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି । (ତଥ୍ୟ)