ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୧ଲକ୍ଷ ୨୦ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଘରୋଇ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଅନ୍ୟ ଯାନ୍ତ୍ରିକ ବିଭାଗଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ରହିଛି
ନଅମାସ ଧରି କରୋନା କଲବଲ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଏବଂ ରୋଜଗାର ଶୂନ୍ୟ ହୋଇପଡ଼ିଥିବା ଲୋକଙ୍କ ନିକଟରେ ଆୟର ପନ୍ଥା ପହଞ୍ଚାଇବା ସହିତ ନିଅଣ୍ଟିଆ ଆର୍ଥିକ ସ୍ଥିତିର ଭରଣା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱାରୋପ କରୁଥିବା ବେଳେ ଏହି ୯ ମାସ ମଧ୍ୟରେ ସରକାରୀ ପଦପଦବୀଗୁଡ଼ିକ ପୂରଣ ଦିଗରେ ସେଭଳି କିଛି ସକରାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୭ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା କୁହାଯାଉଥିବା ବେଳେ ଉଚ୍ଚଶିକ୍ଷା ବିଭାଗରେ ପାଖାପାଖି ୮ ହଜାର ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ପ୍ରାୟ ୨ହଜାର ପଦବୀ ଖାଲି ପଡ଼ିଥିବା କୁହାଯାଇଛି ।
ସ୍ୱାସ୍ଥ୍ୟ ବିଭାଗରେ ୧୫ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ଘରୋଇ ବିଭାଗରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୪ହଜାରରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ବିଭିନ୍ନ ପାହ୍ୟାର ୭ହଜାରରୁ ଅଧିକ ପଦବୀ ଖାଲି ରହିଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବି ପ୍ରାୟ ୬ହଜାର ପର୍ଯ୍ୟନ୍ତ ପଦବୀ ଖାଲିପଡ଼ିଛି । ଜଳସେଚନ, ପୂର୍ତ୍ତ, ନଗର ଉନ୍ନୟନ, ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଆଦି ବିଭାଗରେ ମଧ୍ୟ ବ୍ୟାପକ ପଦବୀ ଖାଲି । ଜଙ୍ଗଲ ଓ ପରିବେଶ ବିଭାଗରେ ପ୍ରାୟ ୪ହଜାର ପଦବୀ ଖାଲି ପଡ଼ିଥିବା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ପାଖାପାଖି ସାଢ଼େ ୪ହଜାର ପଦବୀ ଖାଲିଥିବା କୁହାଯାଉଛି ।
ଖାଲି ପଡ଼ୁଥିବା ପଦବୀଗୁଡ଼ିକ ମଧ୍ୟରେ ପ୍ରାୟ ୬୪ହଜାର ତୃତୀୟ ଶ୍ରେଣୀ ପାହ୍ୟାର ଥିବା ବେଳେ ୨୩ହଜାରରୁ ଅଧିକ ହେଉଛି ଚତୁର୍ଥ ଶ୍ରେଣୀ ପାହ୍ୟାର । ପ୍ରଥମ ଶ୍ରେଣୀ ବା ଗ୍ରେଡ୍ ଏ’ ପାହ୍ୟାରେ ପ୍ରାୟ ୯ ହଜାର ପଦବୀ ଓ ଦ୍ୱିତୀୟ ଶ୍ରେଣୀ ବା ଗ୍ରେଡ୍ ବି’ରେ ପାଖାପାଖି ୨୫ହଜାର ପଦବୀ ଖାଲି ପଡ଼ିଥିବା ଆଶଙ୍କା କରାଯାଉଛି । ଏହାଛଡ଼ା ଗ୍ରାଣ୍ଟ-ଇନ୍-ଏଡ୍ ସଂସ୍ଥାଗୁଡ଼ିକରେ ବି ୧୧ହଜାରରୁ ଅଧିକ ପଦବୀ ଖାଲିପଡ଼ିଥିବା କୁହାଯାଉଛି ।
ଗୋଟିଏ ପଟେ ନିଯୁକ୍ତି ନ ପାଇ ବର୍ଷ ବର୍ଷ ଧରି ଶିକ୍ଷିତ ବେକାରମାନେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ବେଳେ ଅନ୍ୟପଟେ ବିଭିନ୍ନ ପାହ୍ୟାରେ ବ୍ୟାପକ ପଦବୀ ଖାଲି ଯୋଗୁ ସରକାରୀ କାର୍ଯ୍ୟ ବି ବ୍ୟାହାତ ହେଉଛି । ତେବେ ବିଭିନ୍ନ ବିଭାଗର ଖାଲି ପଡ଼ିଥିବା ପଦପଦବୀଗୁଡ଼ିକ କିପରି ଅଗ୍ରାଧିକାର ଭିତ୍ତିରେ ପୂରଣ ହେବ ତାହା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ତର୍ଜମା କରୁଥିବା ବେଳେ ଅର୍ଥ ବିଭାଗ ମଧ୍ୟ ନଜର ରଖିଛି ।