Home Industry ଏମ୍‍ଏସ୍‍ଏମ୍‍ଇ ପାଇଁ ପ୍ୟାକେଜ ଘୋଷଣା

ଏମ୍‍ଏସ୍‍ଏମ୍‍ଇ ପାଇଁ ପ୍ୟାକେଜ ଘୋଷଣା

କୋଭିଡ୍‌-୧୯ ମହାମାରୀର ପରିସ୍ଥିତିକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍‌ ଘୋଷଣା କରାଯାଇଛି  । ଏହି ପ୍ୟାକେଜ୍‌ରେ ସୁଧ ରିହାତି, ଟପ୍‌ଅପ୍‌ ସବ୍‌ସିଡି, ରାଜ୍ୟ ଜିଏସ୍‌ଟି ପଇଠ ଓ ବାର୍ଷିକ ଆନୁଷ୍ଠାନିକ ପରିଚାଳନା ବ୍ୟୟ ଛାଡ଼ ପରି ଅନେକ ସହାୟତା ଅନ୍ତର୍ଭୁକ୍ତ ।

କୋଭିଡ୍‌-୧୯ ଅପ୍ରତ୍ୟାଶିତ ଆହ୍ୱାନରୁ ମୁକୁଳିବା ନିମନ୍ତେ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଉଦ୍ୟୋଗୀ, ବିଶେଷ କରି ମହିଳା ଓ ସମାଜର ଦୁର୍ବଳ ଶ୍ରେଣୀ ଏଥିରେ ଉପକୃତ ହେବେ । ଆବଦକାଳୀନ ଋଣ ପ୍ରଦାନ ନିଶ୍ଚିତ ଯୋଜନା (ଇସିଏଲ୍‌ଜିଏସ୍‌)ରେ ପ୍ରାୟ ଏକ ଲକ୍ଷ ୭୦ ହଜାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୁଧଛାଡ଼ର ସୁବିଧା ପାଇପାରିବେ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଚଳାଉଥିବା ୪୦ ପ୍ରତିଶତ ଯୋଗ୍ୟ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ୧୦୮ କୋଟି ୨୯ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ପ୍ରଧାନ ମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ନିୟମାନୁସାରେ ପ୍ରମୋଟର ଦେୟ ଭାବରେ ଦୁର୍ବଳ ଶ୍ରେଣୀଙ୍କୁ ୫ ପ୍ରତିଶତ ଟପ୍‌ଅପ୍‌ ସବ୍‌ସିଡି ଦିଆଯାଇଥାଏ । ଏହି ଅବଶ୍ୟକତା ପୂରଣ କରିବା ପାଇଁ ୨୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ମହାମାରୀ ସଂକଟର ସମ୍ମୁଖୀନ ହେଉଥିବା ଦୁର୍ବଳ ଶ୍ରେଣୀ (ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଓବିସି/ସଂଖ୍ୟାଲଘୁ/ମହିଳା/ଭିନ୍ନକ୍ଷମ/ପୂର୍ବତନ ସେନା କର୍ମଚାରୀ)ମାନେ ବହୁଭାବରେ ଉପକୃତ ହେବେ ।

ପିଏମ୍‌ଏଫ୍‌ଏମ୍‌ଇ କେନ୍ଦ୍ରୀୟ ଯୋଜନା ଅଧୀନରେ ଯେଉଁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକ ୬୦:୪୦ ଅନୁପାତରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଚଳିତ ଆର୍ଥିକ ବର୍ଷରେ ୧୫ ପ୍ରତିଶତ ଅତିରିକ୍ତ ଟପ୍‌ଅପ୍‌ ସବ୍‌ସିଡି ଦିଆଯିବ । ଏଥିରେ ଏକ ହଜାର ଉଦ୍ୟୋଗ ଉପକୃତ ହେବେ । ଏହି ଯୋଜନାରେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ ।