ଭୁବନେଶ୍ୱର : ରାଜ୍ୟର ୧୪ଟି ଜିଲ୍ଲାରେ ୫ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ଭୂତଳ ଜଳସ୍ତର କୃତ୍ରିମ ଉପାୟରେ ବୃଦ୍ଧି କରାଯିବ । ଏହି ସବୁ ସ୍ଥାନରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଘେନି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟରେ ଦର୍ଶାଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୃତ୍ରିମ ଉପାୟରେ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁ ଇଲାକାରେ ଭୂତଳ ଜଳ ସ୍ତର ସାମାନ୍ୟ ସ୍ତର ଠାରୁ ୬ମିଟର ତଳକୁ ଚାଲିଯାଉଛି ସେହିସବୁ ସ୍ଥାନରେ ପ୍ରାଥମିକତା ଭିତ୍ତିରେ ଜଳସ୍ତର ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁଠାରେ ଭୂତଳ ସ୍ତର ବାର୍ଷିକ ୦.୧ ମିଟର ହ୍ରାସ ପାଉଛି ତାହାକୁ ମଧ୍ୟ ବିଚାରକୁ ନିଆଯାଉଛି । ରାଜ୍ୟର ୧୪ଟି ଜିଲ୍ଲାରେ ଥିବା ୫୩୩୮.୯୮ ବର୍ଗ କିଲୋମିଟର ଅଞ୍ଚଳରେ କୃତ୍ରିମ ଉପାୟରେ ଜଳସ୍ତର ବୃଦ୍ଧି ପାଇ ଚିହ୍ନଟ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କେନ୍ଦୁଝର, ଖୋରଧା, କୋରାପୁଟ, ମୟୁରଭଞ୍ଜ, ନୟାଗଡ, ରାୟଗଡା ଓ ସୋନପୁର ।
ଚିହ୍ନଟ ଅଞ୍ଚଳ ମଧ୍ୟରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୭୮୭.୮୧ ବର୍ଗ କିଲୋମିଟର ଅଞ୍ଚଳ ଥିାବବେଳେ ରାୟଗଡାରେ ୧୬୫୭.୦୮, ଖଣି ଖାଦାନ ଭରା ଜିଲ୍ଲା କେନ୍ଦୁଝରରେ ୮୪୮.୬୩, ବରଗଡରେ ୩୧୩.୩୬, ମୟୁରଭଞ୍ଜରେ ୨୩୮.୧୮ ଓ ଖୋରଧା ଜିଲ୍ଲାରେ ୧୯୦.୭୮ ବର୍ଗକିଲୋମିଟର ଅଞ୍ଚଳ ରହିଛି । କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଅନୁଯାୟୀ ଭୂପୃଷ୍ଠରେ ୧୦୦ ପ୍ରତିଶତ ଜଳ ମହଜୁଦ ରହିଲେ ମଧ୍ୟ ବିଭିନ୍ନ ସ୍ତରରେ କ୍ଷତି ଯୋଗୁଁ ତାହା ଭୂତଳରେ ପହଞ୍ଚି ପାରୁନାହିଁ । ତେଣୁ ଭୂପୃଷ୍ଠରେ ଅଧିକ ଜଳ ସଂରକ୍ଷଣ ଆବଶ୍ୟକ ହେଉଛି । ସ୍ଥାନୀୟ ଅଞ୍ଚଳର ଭୌଗଳିକ ସ୍ଥିତିକୁ ଦେଖି କୃତ୍ରିମ ଉପାୟରେ ଜଳ ସ୍ତର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ରାଜ୍ୟପାଇଁ ମୋଟ୍ ୧୧୯୨.୦୫ ନିୟୁତ କ୍ୟୁବିକ ମିଟର (ଏମ୍ସିଏମ୍) ଭୂତଳ ଜଳ ଆବଶ୍ୟକ ।
କୃତ୍ରିମ ଉପାୟରେ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ରାଜ୍ୟରେ ମୋଟ୍ ୫୫୩୮.୪୦ ଏମ୍ସିଏମ୍ ଜଳ ମହଜୁଦ ରହିଛି । ଏହା ହେଉଛି ମହଜୁଦ ଥିବା ଭୂତଳ ଜଳର ୨୧.୫୨ ପ୍ରତିଶତ । ତେଣୁ ଭୂତଳ ଜଳ ସ୍ତର ଏକ ସମସ୍ୟା ନୁହେଁ ବୋଲି ଦର୍ଶାଯାଇଛି । ମନ୍ତ୍ରାଳୟ ପକ୍ଷରୁ ୫୩୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୫୮୫୬ ଟି କୃତ୍ରିମ ଭୂତଳ ଜଳ ରିଚାର୍ଜ ଭିତ୍ତିଭୂମି ସ୍ତାପନ ଲାଗି ଯୋଜନା ହୋଇଛି । ଏହି ଯୋଜନାରେ ଛାତ ଉପରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ମଧ୍ୟ ରହିଛି । ସରକାରୀ ଓ ଘରୋଇ କୋଠାକୁ ମିଶାଇ ପ୍ରାୟ ୩ଲକ୍ଷ ଛାତରେ ଏହା ନିର୍ମାଣର ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ ପୌରାଞ୍ଚଳରେ ଏହା ନିର୍ମାଣ ହେବ । ଏହାଦ୍ୱାରା ସାଧାରଣ ବର୍ଷା ସମୟରେ ୭୬.୬୬ ଏମ୍ସିଏମ୍ ଜଳ ଭୂତଳକୁ ଯାଇପାରିବ ।
ଛାତ ଉପରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ପ୍ରତି ୨୦୦ ବର୍ଗ ମିଟର ଲାଗି ୧୨ହଜାର ଟଙ୍କା ବ୍ୟୟ ହେବ । ବଡ ବଡ କୋଠାରେ ୧୦୦୦ ବର୍ଗମିଟର ପାଇଁ ଏକ ଲକ୍ଷ ଟଙ୍କା ବ୍ୟୟହେବ । ପ୍ରଥମ ପର୍ଯ୍ୟାୟରେ ୪୯୨ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଛାତ ଉପରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ହେବ ଯାହାକି ବୃହତ୍ କୋଠା ଗୁଡିକର ମାତ୍ର ୫ ପ୍ରତିଶତ । କୃତ୍ରିମ ଉପରେ ଭୂତଳ ଜଳସ୍ତର ବୃଦ୍ଧି ଓ ଛାତ ଉପରେ ବର୍ଷାଜଳ ଅମଳ ପ୍ରକଳ୍ପ ଲାଗି ୧୦୨୪କୋଟି ୫୦ଲକ୍ଷ ବ୍ୟୟ ଅଟକଳ ହୋଇଛି । (ତଥ୍ୟ)